ଏରସମା, 16/06/2025, ଉତ୍କଳ voice news - utkalvoicenews.com(ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ)
ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀ ଗୁଡିକ ଆମ ଜୀବନ ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ । ସାମାଜିକ ଜୀବନକୁ ସରସ ସୁନ୍ଦର କରିବାପାଇଁ ସାଧାରଣତଃ ପର୍ବଗୁଡ଼ିକର ସୃଷ୍ଟି ଓଡ଼ିଶାରେ ପାଳନ କରାଯାଉଥିବା ପର୍ବମାନଙ୍କ ମଧ୍ୟରୁ ରଜ ପର୍ବ ଅନ୍ୟତମ । ଏହା ଓଡ଼ିଶାର ଝିଅ ବୋହୂ ମାନଙ୍କର ଏକ ସ୍ବତନ୍ତ୍ର ଏବଂ ପ୍ରଧାନ ପର୍ବ ।
ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ ଆମ ଓଡ଼ିଶା ରେ ।କାହିଁକି ନା ଆମ ର ଇଷ୍ଟ ଦେବ ହେଇଛନ୍ତି ମହାପ୍ରଭୂ ଶ୍ରୀଜଗନ୍ନାଥ
।ଛପନ ଭୋଗ ଖାଇଲା ବାଲା।
ରଜ ପର୍ବ ଆଷାଢ଼ ମାସରେ ପଡ଼େ । ଜ୍ୟେଷ୍ଠ ମାସ ଶେଷ ଦିନ ଆଷାଢ଼ ମାସ ଦ୍ବିତୀୟ ଦିନ ପର୍ଯ୍ୟନ୍ତ, ମାନେ ତିନିଦିନ ଧରି ରଜ ପର୍ବ ପାଳିତ ହୁଏ । ପ୍ରଥମ ଦିନକୁ ପହିଲି ରଜ, ଦ୍ବିତୀୟ ଦିନଟିକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନଟିକୁ ଭୂମିଦହନ କହନ୍ତି ।
ଏହି ପର୍ବଟି ଝିଅମାନଙ୍କର ମୁଖ୍ୟ ପର୍ବ ହେଲେ ହେଁ ଆବାଳ ବୃଦ୍ଧ ବନିତା ଏହାକୁ ଶ୍ରଦ୍ଧା ସହକାରେ ପାଳନ କରିଥାନ୍ତି । ଏହି ତିନିଦିନ ଲୋକମାନେ ଆମୋଦ ପ୍ରମୋଦ ଓ ଖେଳ କୌତୁକରେ ସମୟ ବିତାନ୍ତି । ଘରେ ଘରେ ନାନାପ୍ରକାର ସୁସ୍ବାଦୁ ଖାଦ୍ୟ, ବିଭିନ୍ନ ପ୍ରକାରର ପିଠାପଣାର ଆୟୋଜନ କରାଯାଇଥାଏ । ସଜବାଜଦିନ ପୋଡ଼ପିଠା ପ୍ରସ୍ତୁତି ରଜପର୍ବର ବିଶେଷ ଆକର୍ଷଣ । ପହିଲି ରଜ ସକାଳୁ ଝିଅ ଓ ବୋହୂମାନେ ନିଜର ନିତ୍ୟକର୍ମ ସାରି ନୂତନବସ୍ତୁ ପରିଧାନ କରିଥାନ୍ତି । ଚନ୍ଦନ ଟିକା, ପାଦରେ ଅଳତା, ଚକ୍ଷୁରେ କଜଳ, ମୁଣ୍ଡରେ ଟିକିଲି ବା ସିନ୍ଦୂର ଟିପା ସେମାନଙ୍କ ସୌନ୍ଦର୍ଯ୍ୟ ବଢ଼ାଇ ଥାଏ । କୁମାରୀମାନେ ଖାଲି ପାଦରେ ଭୂମିରେ ନ ଚାଲିବା ହେଉଛି ଏକ ପାରମ୍ପାରିକ ବିଧି । ଏଥିପାଇଁ ପୂର୍ବେ ଝିଅମାନେ ଗୁଆ ଖୋଳପା ପିନ୍ଧୁଥିବା ବେଳେ ବର୍ତ୍ତମାନ ଚପଲ ପିନ୍ଧୁଛନ୍ତି ।
ରଜରେ ଦୋଳିଖେଳ ଝିଅମାନଙ୍କର ବିଶେଷ ଆକର୍ଷଣ । ଝିଅମାନେ ଦୋଳି ଖେଳିବାକୁ ସତେ ଯେପରି ରଜପର୍ବକୁ ଅପେକ୍ଷା କରିଥାଆନ୍ତି । ପ୍ରତି ଗାଁର ବରଗଛ ମାନଙ୍କରେ ରଜଦୋଳି ଲାଗିଥାଏ । ଝିଅ ବୋହୁମାନେ ମନ ଆନନ୍ଦରେ ଗାଁ ଗାଁ ବୁଲି ଦୋଳି ଖେଳନ୍ତି । ସେମାନଙ୍କ କଣ୍ଠରୁ ଭାସିଆସେ..

"ରଜ ଦୋଳି କଟମଟ ମୋ ଭାଇ ମୁଣ୍ଡରେ ସୁନା ମୁକୁଟ
ସୁନା ମୁକୁଟ ଲୋ ଦିଶୁଥାଏ ଝଟଝଟ ।"
ବିଭିନ୍ନ ପିଠାପଣ, କ୍ରୀଡ଼ାକୌତୁକ, ମିଷ୍ଟାନ୍ନ ଭୋଜନ ଭକ୍ଷଣ ଓ ପାନ ଖାଇ ଆନନ୍ଦ ଉଲ୍ଲାସରେ ଝିଅମାନେ ସମୟ ଅତିବହିତ କରିଥାନ୍ତି । ସେହି ସମୟରେ ଘରର ସ୍ତ୍ରୀଲୋକମାନେ କିଛି କାମଧନ୍ଦା ନ କରି କ୍ରୀଡ଼ାକୌତୁକରେ ତିନିଦିନ ସମୟ ବିତାଇଥାନ୍ତି । ପୁଅମାନେ ପିଠାପଣା ଖାଇ ଆନନ୍ଦ ସହକାରେ ତାସ୍, ପଶା, ବାଗୁଡ଼ି ଖେଳି ସମୟ ଅତିବାହିତ କରିଥାନ୍ତି ।
ତୃତୀୟ ଦିନ ବା ଭୂମିଦାହ ଦିବସଟି ବସୁମତୀଙ୍କର ବିଶ୍ରାମର ଦିନ ଅଟେ । ଏହି ଦିନ ମାଟିକୁ ଆଘାତ ଲାଗିଲା ଭଳି କୌଣସି କାର୍ଯ୍ୟ କରାଯାଏ ନାହିଁ । ଚତୁର୍ଥ ଦିବସଟି ଠାକୁରାଣୀଙ୍କ ସ୍ନାନ ଦିବସ ରୂପେ ପାଳନ କରାଯାଏ । ଲୋକମାନେ ଘରେ ଠାକୁରାଣୀଙ୍କୁ ସ୍ନାନ କରାଇ ନୈବେଦ୍ୟ ଅର୍ପଣ କରନ୍ତି । ଘର ଅଗଣାରେ ହଳ, ଲଙ୍ଗଳ, ଶିଳପୁଆ ଇତ୍ୟାଦିକୁ ହଳଦିରେ ସ୍ନାନ କରାଇ ପୂଜା ଅର୍ଜନା କରାଯାଏ । ଏହିଠାରେ ରଜପର୍ବର ପରିସମାପ୍ତି ଘଟିଥାଏ ।
ପୃଥବୀମାଆଙ୍କୁଏହିଉତ୍ସବରେପୂଜାକରାଯାଏ।ପ୍ରଚଣ୍ଡ
ରୌଦ୍ରତାପରେବ୍ୟଥୂତପୃଥିବୀଆଷାଢ଼ରପ୍ରଥମବର୍ଷାକୁସ୍ବାଗତକରିଥାଏ।ବର୍ଷାର ପ୍ରଥମ ବାରିଧାରାରେ ଧରିତ୍ରୀ ଶସ୍ୟ ଉତ୍ପାଦନ କରିବା ପାଇଁ ଶକ୍ତି ଲାଭ କରିଥାଏ ।ଫଳରେ ପୂର୍ବରୁ ବୁଣାଯାଇଥିବା ଶସ୍ୟ ସବୁର ଅଙ୍କୁରୋଦଗମ ହୁଏ ଏବଂବର୍ଷା ପାଣି ପାଇ ତାହା ଧିରେଧିରେ ବଢ଼ିବାକୁ ଲାଗେ।ଏହି ସମୟରେ ବସୁମତୀ ଯୌବନାବସ୍ଥା ପ୍ରାପ୍ତ ହୋଇଥିବା ଜଣେସ୍ତ୍ରୀ ସହିତ ତୁଳନା କରାଯାଏ।ଫଳରେ ପୃଥବୀ ହୁଏ ଶସ୍ୟ ଶ୍ୟାମଳା।ରଜ ପରେ ପରେ ଚାଷୀକୁ ଆଉ ବେଳ ନଥାଏ।ସକାଳୁ ସଞ୍ଜ ଯାଏ ସେ କେବଳ ଚାଷ କାମ ରେ ହିଁ ଲାଗି ଥାଏ।ତାହା ପୂର୍ବରୁ ଏହିପର୍ବ ପାଳନ ଦ୍ବାରା ମନକୁ ଉତ୍ସାହ ଓ ଆନନ୍ଦ ମିଳିଥାଏ।
କିନ୍ତୁ ଆଜି ର ଏ ମୋବାଇଲ୍ ଯୁଗରେ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି ପରମ୍ପରା। ଆଉ ସେ ଢ଼ିଙ୍କି କୁଟା ଚାଉଳ ନାହିଁ କି ସକାଳ ପଖାଳ ନାହିଁ । ଆଉ ବିଲକୁ ଯାଉନାହିଁ ହଳ ,ନା ଅଛି ହଳୁଆ ଭାଇ ମାନଙ୍କ ଡାକ। ନା ଅଛି ବଡ଼ ସାନର ବିଚାର ।
ସେ ଯାହା ହେଉନ କାହିଁକି ଆମ ସଂସ୍କୃତି ହେଉଛି ଜଗନ୍ନାଥ୍ ସଂସ୍କୃତି।ଆମ ପ୍ରଭୁ ହେଉଛନ୍ତି ମହାପ୍ରଭୂ ଜଗନ୍ନାଥ। ଆମ ପ୍ରଭୁ ହେଉଛନ୍ତି ଭଲ ଖାଇଲା ବାଲା ଭଲ ପିନ୍ଧିଲା ବାଲା । ସବୁ ସେହି ମହାପ୍ରଭୂଙ୍କ ର ଇଚ୍ଛା । ରଜ ପର୍ବ କିଛି ଦିନ ପରେ ମହାପ୍ରଭୂଙ୍କ ର ଘୋଷ ଯାତ୍ରା ପଡ଼େ ।କେତେ ଯେ ଆନନ୍ଦ ହୁଅନ୍ତି ଆମ ଓଡ଼ିଶା ବାସୀ କେତେ ଯେ ଖୁସି ହୁଅନ୍ତି ତାହା କଳ୍ପନା ବି କରି ହୁଏ ନି ।ମହାପ୍ରଭୂ ମଧ୍ୟ ବଡ଼ ସିଂହାସନ ରୁ ଓହ୍ଲେଇ ଆସନ୍ତି ପୋଡ ପିଠା ଖାଇବା ପାଇଁ ମାଉସୀ ମା ପାଖରୁ । ଭକ୍ତ ମାନଙ୍କୁ ଦର୍ଶନ ଦିୟନ୍ତି ବଡ଼ଦାଣ୍ଡରେ ।ଭକ୍ତ ମାନଙ୍କ ସହିତ ଲୀଳା ଖେଳ କରନ୍ତି । ଏ ହେଉଛି ଆମ ଓଡ଼ିଆ ସଂସ୍କୃତି। ବିଶ୍ଵ ରେ ଯେତେ ମନ୍ଦିର ଅଛି ସବୁ ମନ୍ଦିରକୁ ଭକ୍ତ ମାନେ ଦର୍ଶନ କରିବାକୁ ଯାଆନ୍ତି ଠାକୁରଙ୍କୁ କିନ୍ତୁ ବିଶ୍ୱ ବ୍ରହ୍ମାଣ୍ଡ ରେ ଗୋଟିଏ ଠାକୁର ଯେ ଭକ୍ତଙ୍କୁ ଦର୍ଶନ ଦେବାପାଇଁ ନିଜେ ବଡ଼ ଦେଉଳରୁ ଓହ୍ଲାଇ ଆସନ୍ତି । ଏହି ହେଉଛି ଆମ ଓଡ଼ିଆ ସଂସ୍କୃତି ।
ସେ ଯାହା ହେଉନା କାହିଁକି ଭରତୀୟ ସଂସ୍କୃତି ଏକ ନିଆରା ସଂସ୍କୃତି ।ଏବେ ବି ସମୟ ଅଛି ସମସ୍ତେ ଫେରି ଆସନ୍ତୁ ଆମ ର ସେହି ପୁରୁଣା ମୁହୂର୍ତ୍ତକୁ, ସେହି ଭାଇଚାରା କୁ ମନେ ପକାନ୍ତୁ ସେହି ଦିନକୁ ।ଦେଖିବେ ପୁଣି ହସି ଉଠିବ ଆମ ପରମ୍ପରା ଆମ ସଂସ୍କୃତି ।