ଏରସମା, 25/06/2025, ଉତ୍କଳ voice news - utkalvoicenews.com

ଜଗତସିଂହପୁର ଜିଲ୍ଲା ଏରସମା-ଚଟୁଆ ୫୫ନଂ ଜାତୀୟ ରାଜପଥରୁ କୁଜଙ୍ଗ ବ୍ଲକ୍ ଅଞ୍ଚଳର ରାହାମା ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ୧୩ସି ରାସ୍ତା ଏବେ ଶୋଚନୀୟ ହୋଇପଡିଛି।ଏରସମା ଗ୍ରାମ୍ୟ ଉନ୍ନୟନ ଅଧିନରେ ଥିବା ଉକ୍ତ ରାସ୍ତାର ରକ୍ଷଣା ବେକ୍ଷଣ ଅଭାବରୁ ଦୀର୍ଘ ଦିନ ଧରି ଗମନା ଗମନ କ୍ଷେତ୍ରରେ ଘୋର ସମସ୍ୟା ଦେଖାଦେଇଛି।ବିଶେଷ କରି ୫୫ନଂ ଜାତୀୟ ରାଜପଥରୁ ନୂଆଡିହି ପଞ୍ଚାୟତ ଅଞ୍ଚଳ ପର୍ଯ୍ୟନ୍ତ ଚଳିତ ବର୍ଷାରେ ରାସ୍ତା ଶୋଚନୀୟ ହୋଇ ପଡ଼ିବାରୁ ଜନ ସାଧାରଣ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ସ୍ଥାନୀୟ ଅଞ୍ଚଳର ଜନ ସାଧାରଣଙ୍କ ପକ୍ଷରୁ ଚଳିତ ବର୍ଷା ଋତୁ ପୂର୍ବରୁ ଏହି ରାସ୍ତାର ମରାମତି ପାଇଁ ଗତ ନଭେମ୍ବର ମାସରେ ଜିଲ୍ଲପାଳଙ୍କୁ ଅଭିଯୋଗ କରିଥିଲେ।ଏ ସମ୍ପକରେ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଗତ ମାର୍ଚ୍ଚ ମାସରେ ଏରସମା ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ଓ ପରେ ଏରସମା ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରାଯାଇଥିଲା।ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ଅଭିଯୋଗ କରାଯାଇଛି।ମାତ୍ର ଏ ସମସ୍ତ ଅଭିଯୋଗ ପରେ ମଧ୍ୟ କୌଣସି ଅଭିଯୋଗ ଗ୍ରହଣ କରାଗଲା ନାହିଁ ଚଳିତ ବର୍ଷା ଋତୁ ଆସିବାରୁ ଏହି ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟିଛି।ଉକ୍ତ ପିଚୁ ରାସ୍ତାରେ ଆଉ ପିଚୁର ନାଁ ଗନ୍ଧ ନାହିଁ।ସମଗ୍ର ରାସ୍ତାର ଉଭୟ ପାର୍ଶ୍ବ ଦବିଯାଇ ୬ଇଞ୍ଚ ଖାଲ ଖମା ହୋଇ ପାଣି ଜମି ରହିବା ସହିତ ରାସ୍ତା ଶୋଚନୀୟ ହୋଇପଡିଛି।ଏରସମା ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ତଥା ବାଇଳ ହାଟ,ରାହାମା ରେଲୱେ ଷ୍ଟେସନ ଓ ରାହାମା ବଜାରକୁ ଯିବା ପାଇଁ ପଞ୍ଚାୟତ ଅଞ୍ଚଳର ଦଶୀପୁର,ଜଳଉ,ଭଇଁଚ,ମହିମାଦେଇପୁର,ନୂଆଡିହି,କିଆଡିଂ,ବ୍ରାହ୍ମଣସାହି ଓ ପାଇକସାହି ଆଦି ଗ୍ରାମର ଜନ ସାଧାରଣଙ୍କ ଏହି ରାସ୍ତାଟି ମୁଖ୍ୟ ଗମନା ଗମନ ହୋଇଥିବାରୁ ବର୍ତ୍ତମାନ ରାସ୍ତାର ଏପରି ଶୋଚନୀୟ ଅବସ୍ଥାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଉକ୍ତ ରାସ୍ତାର ନବୀ କରଣ କାର୍ଯ୍ୟ ଗତ ୨୦୨୦ଡିସେମ୍ବର ମାସରେ ଶେଷ ହୋଇଥିଲା।ଚୁକ୍ତି ଅନୁଯାୟୀ ସମ୍ପୃକ୍ତ ଠିକା ସଂସ୍ଥା ୫ବର୍ଷ ପର୍ଯ୍ୟନ୍ତ ରାସ୍ତାର ରକ୍ଷଣା ବେକ୍ଷଣ କରିବେ।ମାତ୍ର ସମ୍ପୃକ୍ତ ଠିକା ସଂସ୍ଥା ପରବର୍ତ୍ତୀ ସମୟରେ ରାସ୍ତାର କୌଣସି ମରାମତି କାର୍ଯ୍ୟ ନ କରିବାରୁ ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ଗମନା ଗମନ କ୍ଷେତ୍ରରେ ଘୋର ସମସ୍ୟା ଦେଖାଦେଇଛି।ଏରସମା ଗ୍ରାମ୍ୟ ଉନ୍ନୟନ ବିଭାଗର ଖାମ ଖିଆଲ ନୀତି ଓ ଲାଞ୍ଚ ଖୋର ମନବୃତ୍ତିକୁ ନେଇ ରାସ୍ତା ଶୋଚନୀୟ ହୋଇଥିବାରୁ ସମାଜସେବୀ ପାଣୁ ନାୟକ,ବଳରାମ ଜେନା,ଜଗବନ୍ଧୁ ବିଶ୍ଵାଳ,ସଞ୍ଜୟ ଲେଙ୍କା ପ୍ରମୁଖଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
