ଏରସମା, 27/06/2025, ଉତ୍କଳ voice news - utkalvoicenews.com

ରଥ ଉପରେ ପରଂବ୍ରହ୍ମ ଙ୍କୁ ଦେଖି ଆତ୍ମହରା ହୋଇଛନ୍ତି ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ଆଖିରେ ଆଖି ମିଳାଇ ମନର କଥା କହିଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ପବିତ୍ର ଆଷାଢ଼ ମାସ ଦ୍ଵିତୀୟା ତିଥିରେ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବାଲିକୁଦା ବ୍ଲକର ସମଗ୍ର ବୋରିକିନା ଅଞ୍ଚଳରେ ଉତ୍ସବମୁଖର ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଠି ହୋଇଥିଲା । ଭକ୍ତଙ୍କ ସହ ନାଚି ନାଚି ରଥରେ ବିଜେ କରିଥିଲେ ମହାବାହୁ । ଘଣ୍ଟଘଣ୍ଟା, ମୃଦଙ୍ଗ, ଓ ସଙ୍କୀର୍ତ୍ତନ ରେ ମାଉସୀ ମା' ମନ୍ଦିର କୁ ପାଛୋଟି ନେଇଥିଲେ ଭକ୍ତ ମାନେ । ମହାପ୍ରଭୁ ଙ୍କୁ ପାଖରେ ପାଇ ଭକ୍ତ ମାନେ ଆନନ୍ଦ ରେ ଆନନ୍ଦିତ ହୋଇଥିଲେ । ଏକ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି ବୋଲି ଭକ୍ତ ମାନେ କହିଥିଲେ । ବୋରିକିନାର ଶାସନ ରେ ରୀତିନୀତି ଅନୁଯାୟୀ ପବିତ୍ର ରଥଯାତ୍ରା ଶତାଧିକ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ରୁ ମଙ୍ଗଳ ଆଳତି, ମଇଲମ୍, ତଡ଼ପ ଲାଗି, ଅବକାଶ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ରୋଷ ହୋମ, ସକାଳ ଧୂପ, ରଥ ପ୍ରତିଷ୍ଠା ମଙ୍ଗଳାର୍ପଣ, ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ମଦନମୋହନ ବିଜେ, ଚିତାଲାଗି, ରଥରେ ବେଦମନ୍ତ୍ର ପାଠ ଆଦି କରାଯିବା ପରେ ପ୍ରଥମେ ଶ୍ରୀ ସୁଦର୍ଶନ, ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥ ଙ୍କୁ ପହଣ୍ଡିରେ ଅଣାଯାଇ ରଥାରୂଢ଼ କରାଯାଇଥିଲା । ପ୍ରଣବ ମିଶ୍ର ରଥ ଚାରି ପାଖେ ଛେରା ପହଁରା କରିଥିଲେ । ଶହଶହ ଭକ୍ତଙ୍କ ଗହଣରେ ତିତିରା ମାଉସୀ ମା' ମନ୍ଦିରକୁ ମହାପ୍ରଭୁଙ୍କୁ ଅଣାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପର୍ଶୁରାମ ଶତପଥୀ, ସୁକାନ୍ତ ମିଶ୍ର, ଜ୍ୟୋତିପ୍ରକାଶ ମିଶ୍ର, ସୌଭାଗ୍ୟ ପତି, ସୋମ୍ୟଜିତ୍ ମିଶ୍ର, ମାନବ ମିଶ୍ର, ପ୍ରବୀର ନାୟକ, ଆକାଶ ବିଶ୍ୱାଳ, ସତ୍ୟନାରାୟଣ ବିଶ୍ୱାଳ, ସୌମେନ୍ଦ୍ର ବେହେରା, ପ୍ରକାଶ ଲେଙ୍କା, ଏନ୍ ଏସ୍ ନରେନ୍ଦ୍ର କୁମାର, ଉଦିତ୍ ନାରାୟଣ, ଏସ୍ ହୃଷୀକେଶ, ମୋହିତ ଜେନା, ପାର୍ଥ ସାରଥି ଜେନା, ସଞ୍ଜୀବ ସ୍ୱାଇଁ, ଓବାମା ବିଶ୍ୱାଳ, ଜଗନ୍ନାଥ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।