ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ଏନଏସିରେ ଶିଶୁ ବିକାଶ ଯୋଜନାର ବିକଳ ଚିତ୍ର , ୧୧ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ କୋଠା ଘର ନାହିଁ !

ବୁଗୁଡ଼ା, 12/07/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୩ଟି ୱାର୍ଡରେ ଥିବା ମୋଟ ୧୮ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୧୧ଟି ଅଙ୍ଗନବାଡି କେନ୍ଦ୍ରର ନିଜସ୍ବ କୋଠା ନଥିବା ଜଣା ପଡିଛି | ଯାହାଫଳରେ କେଉଁଠି ଭଡାଘରେ ତ, ଅନ୍ୟ କେଉଁଠି ଗ୍ରାମ କୋଠଘରେ ଓ ସ୍କୁଲ କୋଠାରେ ସେହି ଅଙ୍ଗନୱାଡି କେନ୍ଦ୍ରଗୁଡିକ ପରିଚାଳିତ ହେଉଥିବା ଦେଖିବାକୁ ମିଳୁଛି । ବୁଗୁଡା ଏନ୍ଏସିର ୧୧ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନଥିବା ଯୋଗୁଁ କୋମଳମତି ଶିଶୁମାନଙ୍କ ପାଠପଢ଼ାରେ ନାନା ସମସ୍ୟା ସୃଷ୍ଟି ହେବା ସହ କେନ୍ଦ୍ରଗୁଡିକୁ ଆସୁଥୁବା ଚାଉଳ, ଡାଲି ଓ ଅନ୍ୟାନ୍ୟ ସାମଗ୍ରୀ ରଖିବା ଲାଗି କର୍ମୀମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ବୁଗୁଡା ଏନ୍ଏସିର କାଞ୍ଜିଆପଲ୍ଲୀ, ମୋଚିସାହି, ବ୍ଲକ୍ କଲୋନୀ, ତଳଓଡିଆ ସାହି, କାଦପଡା ଓ ଗୋଲାସାହିର ଦୁଇଟି କେନ୍ଦ୍ର ଆଦି ୭ଟି କେନ୍ଦ୍ରର ନିଜସ୍ବ କୋଠାଘର ରହିଥିବା ବେଳେ ରଘୁନାଥ ସାହି କେନ୍ଦ୍ରର ନିର୍ମିତ ନିଜସ୍ବ କୋଠାଘର ଉଦଘାଟିତ ହୋଇଥିଲେ ସୁଦ୍ଧା ସେଠାକୁ ଯିବା ପାଇଁ ସୁଗମ ପଥ ନଥିବାରୁ ତାହା କାର୍ଯ୍ୟକ୍ଷମ ହୋଇନପାରି ପଡିରହିଛି ଏବଂ ପୁରୁଣା ବାଲିପିଣ୍ଡି ସାହି ଅଙ୍ଗନଓ୍ବାଡି କେନ୍ଦ୍ରର ନବ ନିର୍ମିତ ନିଜସ୍ବ କୋଠାଘର ଜଳ ଯୋଗାଣର ଅବ୍ଯବସ୍ଥା ଯୋଗୁଁ କାମରେ ଲାଗୁନାହିଁ। ଅନ୍ୟପକ୍ଷରେ ବୀରଧନଞ୍ଜୟପୁର, କୃଷ୍ଣଶରଣପୁର ଓ ନେଳିଆବନ୍ଧ ସାହି ଆଦି ୩ଟି ଅଙ୍ଗନଓ୍ବାଡି କେନ୍ଦ୍ରର କୋଠାଘର ଦୀର୍ଘ ବର୍ଷ ହେଲା ଅଧପନ୍ତରିଆ ହୋଇ ପଡିରହିଛି। ସେହିପରି ଶକ୍ତି ନଗର, ତେଲି ସାହି ଓ ଖଦାଳ ସାହି ଆଦି ୩ଟି କେନ୍ଦ୍ରର ନିଜସ୍ବ କୋଠାଘର ନିର୍ମାଣ ପାଇଁ ସଂପୃକ୍ତ ଓ୍ବାର୍ଡ ଗୁଡିକରେ କୌଣସି ସରକାରୀ ଜାଗା ମିଳୁନଥିବାରୁ ବାଧ୍ୟ ହୋଇ ଅଙ୍ଗନଓ୍ବାଡି କର୍ମଚାରୀଙ୍କ ଘରେ କିମ୍ବା ଅନ୍ୟ କେଉଁଠାରେ କାମଚଳା କେନ୍ଦ୍ର ଖୋଲା ଯାଇଛି। କେବଳ ଏତିକି ନୁହେଁ, ଗୋଲାମୁଣ୍ଡୁଳା, ନୂଆଁ ସାହି ଓ କୁମ୍ଭାର ସାହି ଆଦି ୩ଟି କେନ୍ଦ୍ରର କୋଠାଘର ପାଇଁ ଜାଗା ଚିହ୍ନଟ ହୋଇଥିଲେ ସୁଦ୍ଧା ପ୍ରଶାସନିକ ଅବହେଳା ଏବଂ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ। ତେବେ ବୁଗୁଡା ଏନ୍ଏସି ଅନ୍ତର୍ଗତ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରର ଏଭଳି ବିକଳ ଚିତ୍ରକୁ ନେଇ ସାଧାରଣରେ ପ୍ରଶାସନିକ ଉଦାସୀନତା ଓ ଜନପ୍ରତିନିଧିଙ୍କ ଅପାରଗତାକୁ ଦାୟୀ କରାଯାଉଥିବା ବେଳେ ଏଥି ପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ପ୍ରତିକାରାତ୍ମକ ବ୍ଯବସ୍ଥା ଗ୍ରହଣ କରିବାକୁ ଦାବି ହେଉଛି।
1