କୁଜଙ୍ଗ, ବାଗୋଇ, 14/07/2025, ଉତ୍କଳ voice news - utkalvoicenews.com

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଗୋଇ ଗ୍ରାମର ବ୍ରେନ ଷ୍ଟ୍ରୋକ ଏବଂ ପାରାଲିଶିସ ରୋଗରେ ପୀଡିତ ଚିତ୍ତରଞ୍ଜନ ସାମନ୍ତରାୟ ଏବଂ ପାଟପୁର ଗ୍ରାମର ଥାଲାସେମିଆ ରୋଗରେ ପୀଡିତ ଶୁଭମ୍ ବାରିକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, ଚିତ୍ତରଞ୍ଜନ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି | ଗତ କିଛି ମାସ ହେବ ସେ ବ୍ରେନ ଷ୍ଟ୍ରୋକ ଏବଂ ପରେ ପାରାଲିଶିସ ରୋଗରେ ପୀଡିତ ହୋଇ ବର୍ତ୍ତମାନ ସେ ଶଯ୍ୟାଶାୟୀ | ଦୁଇ ଓଳି ଦୁଇ ମୁଠା ଖାଇବାକୁ ନାହିଁ | ସେହି ପରି ଶୁଭମ୍ ଜଣେ ଥାଲାସେମିଆ ରୋଗୀ | ସବୁ ମାସରେ ରକ୍ତ ପରିବର୍ତ୍ତନ କରିବାକୁ ପଡୁଛି | ବାପା ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ଚିକିସ୍ଥା କରାଇ ପାରୁନାହାନ୍ତି | ଅର୍ଥାଭାବରୁ ଏହି ଦୁଇ ବ୍ୟକ୍ତିଙ୍କର ଚିକିସ୍ଥାରେ ଅର୍ଥ ସାଜିଛି ବାଧକ | ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ବରିଷ୍ଠ ସଦସ୍ୟ ସୂର୍ଯ୍ୟକାନ୍ତ ରାଉତ, ନନ୍ଦନନ୍ଦନ ଜୟସିଂ, ଜ୍ୟୋତିରଞ୍ଜନ ସ୍ୱାଇଁ, ହରେକୃଷ୍ଣ ବେହେରା ଏବଂ ରାଜେଶ ତରାଇ ପ୍ରମୁଖ ଚିତ୍ତରଞ୍ଜନଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଦଶ ହଜାର (୧୦,୦୦୦/-) ଟଙ୍କାର ଆର୍ଥିକ ସହାୟତା ଏବଂ ଏକ ମାସର ରାସନ ସମଗ୍ରୀ ପ୍ରଦାନ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ସେହି ପରି ଶୁଭମ୍ ଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଦଶ ହଜାର (୧୦,୦୦୦/-) ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ଚିତ୍ତରଞ୍ଜନଙ୍କ ପରିବାର ଏବଂ ଶୁଭମ୍ ଙ୍କ ପରିବାର କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |
