ଢେଙ୍କାନାଳ, 16/07/2025, ଉତ୍କଳ voice news - utkalvoicenews.com

ଅନ୍ତର୍ଜାତୀୟ ସ୍ତରରେ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ବ୍ରୋଞ୍ଜ ମେଡାଲ ପାଇଥିବା ବିଭାସିନ୍ଧୁ ବାରିକଙ୍କୁ ଆଜି ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଆନ୍ତର୍ଜାତୀୟ ସ୍ତରରେ ନିଜର କୃତିତ୍ୱ ହାସଲ କରି ଢେଙ୍କାନାଳକୁ ଗୌରାଵନ୍ବିତ କରିଥିବା ବିଭାସିନ୍ଧୁ ବାରିକଙ୍କୁ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ସ୍ୱାଗତ କରିବା ସହିତ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଦେଇଛନ୍ତି। ଏହି ଅବସରରେ ବିଭାସିନ୍ଧୁଙ୍କ ସହିତ ଜିଲ୍ଲା ବ୍ୟାଡ ମିଣ୍ଟନ ଏକାଡେମୀ, ଢେଙ୍କାନାଳର ଆସିଷ୍ଟାଣ୍ଡ କୋଚ୍ ଆକାଶ ଦାଶ ଉପସ୍ଥିତ ଥିଲେ।
ସୂଚନା ଥାଉକି, ଢେଙ୍କାନାଳ ରାମେଶ୍ୱରପୁରର ୧୭ବର୍ଷ ବୟସ୍କ ବିଭାସିନ୍ଧୁ ବାରିକ ଭିନ୍ନକ୍ଷମ ହେଲେ ମଧ୍ୟ ନିଜର ନିଷ୍ଠା ଓ ପରିଶ୍ରମ ତାଙ୍କୁ ଆଜି ବ୍ୟାଡମିଣ୍ଟନ ଖେଳରେ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇ ପାରିଛି। ନିକଟରେ ଉଗାଣ୍ଡା ରେ ଆୟୋଜିତ ହୋଇଥିବା ଉଗାଣ୍ଡା ଅନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପ-୨୦୨୫ରେ ଅଂଶ ଗ୍ରହଣ କରି ମେନ ଡବଲସ ସିନିୟର ଲେବଲ-୩ ଓ ୪ କାଟାଗୋରୀରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଜିଲ୍ଲା ବ୍ୟାଡମିଣ୍ଟନ ଏକାଡେମୀ, ଢେଙ୍କାନାଳ ରେ କୋଚ ମଳୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ପିଲାଟିବେଳୁ ପ୍ରଶିକ୍ଷଣ ନେଉଥିବା ବିଭାସିନ୍ଧୁ ଗତ ତିନିବର୍ଷ ଧରି ଲଗାତାର ଜାତୀୟ ସ୍ତରରେ ଜାମସେଦପୁର ଓ ଲକ୍ଷ୍ନୌ ଆଦି ପାରା ବ୍ୟାଡମିଣ୍ଟନ ତୁର୍ଣ୍ଣାମେଂଟରେ ଅଂଶ ଗ୍ରହଣ କରିଛନ୍ତି। ଏପରିକି ପୂର୍ବରୁ ଗତ ୨୦୨୪ରେ ଉଗାଣ୍ଡା ଓ ଇଣ୍ଡୋନେସିଆ ଆଦି ଅନ୍ତର୍ଜାତୀୟ ସ୍ତରରେ ପାରା ବ୍ୟାଡମିଣ୍ଟନ ରେ ଭାଗନେଇ ସାରିଛନ୍ତି ବିଭାସିନ୍ଧୁ। ତାଙ୍କର ଏହି ସଫଳତା ପାଇଁ ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁ ଜିଲ୍ଲା କ୍ରୀଡା ଅଧିକାରୀ ସୁଦୀପ୍ତ କୁମାର ସାହୁ, ବ୍ୟାଡମି ଣ୍ଟନ ଏକାଡେମୀର କୋଚ ମଲୟ ପଟ୍ଟନାୟକ ଓ କର୍ମକର୍ତା ପ୍ରମୁଖ ମହଲରୁ ସ୍ୱାଗତ କରିବା ସହିତ ତାଙ୍କର ଉତରତୋର କାମନା କରାଯାଇଛି ।