କୁଜଙ୍ଗ, 21/07/2025, ଉତ୍କଳ voice news - utkalvoicenews.com
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ସାହାଡ଼ା ଗ୍ରାମର କର୍କଟ ରୋଗରେ ପୀଡିତା ଜୟନ୍ତୀ ଜେନା ଏବଂ ଗୋପିଆକୁଦ ପଞ୍ଚାୟତ ଗୋଠଦିଆ ଗ୍ରାମର ବ୍ରେନ ଟ୍ୟୁମର ରୋଗରେ ପୀଡିତ ଅଚ୍ୟୁତ ସାମଲଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, ଜୟନ୍ତୀ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି | ଗତ କିଛି ମାସ ହେବ ସେ କର୍କଟ ରୋଗରେ ପୀଡିତ ହୋଇ ବର୍ତ୍ତମାନ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି | ଦୁଇ ଓଳି ଦୁଇ ମୁଠା ଖାଇବାକୁ ନାହିଁ | ସେହି ପରି ଅଚ୍ୟୁତ ଜଣେ ବ୍ରେନ ଟ୍ୟୁମର ରୋଗୀ | ବାପା ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ଚିକିସ୍ଥା କରାଇ ପାରୁନାହାନ୍ତି | ଅର୍ଥାଭାବରୁ ଏହି ଦୁଇ ବ୍ୟକ୍ତିଙ୍କର ଚିକିସ୍ଥାରେ ଅର୍ଥ ସାଜିଛି ବାଧକ | ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ବରିଷ୍ଠ ସଦସ୍ୟ ନନ୍ଦନନ୍ଦନ ଜୟସିଂ, ହରେକୃଷ୍ଣ ବେହେରା ଏବଂ ସତ୍ୟବ୍ରତ ଦାସ ପ୍ରମୁଖ ଅଚ୍ୟୁତଙ୍କ ବାସଭବନରେ ପହଞ୍ଚି ତାଙ୍କ ମା'ଙ୍କୁ ଦଶ ହଜାର (୧୦,୦୦୦/-) ଟଙ୍କାର ଆର୍ଥିକ ସହାୟତା ଏବଂ ଏକ ମାସର ରାସନ ସମଗ୍ରୀ ପ୍ରଦାନ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ସେହି ପରି ଜୟନ୍ତୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଦଶ ହଜାର (୧୦,୦୦୦/-) ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ଅଚ୍ୟୁତଙ୍କ ପରିବାର ଏବଂ ଜୟନ୍ତୀଙ୍କ ପରିବାର କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |

