ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶିକ୍ଷାବିତ ଭାସ୍କର ମହାନ୍ତିଙ୍କ ଶିକ୍ଷାକ୍ଷେତ୍ରରେ ଅତୁଳନୀୟ ଅବଦାନ ସବୁଦିନ ପାଇଁ ଏ ଅଞ୍ଚଳବାସୀ ମନେ ରଖିବେ, ୧୬ତମ ଶ୍ରାଦ୍ଧ ବାର୍ଷିକୀରେ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରାଦ୍ଧଞ୍ଜଳି ଜ୍ଞାପନ

ବାଲିକୁଦା, 31/07/2025, ଉତ୍କଳ voice news - utkalvoicenews.com
Article Image
ବାଲିକୁଦା ଅଞ୍ଚଳର ଖ୍ୟାତନାମା ଶିକ୍ଷାବିତ, ସୁ ସଂଗଠକ ତଥା ୬୦ ଦଶକରେ ପ୍ରତିଷ୍ଠିତ ସୁନାମଧନ୍ୟ ବୋରିକିନା ହାଇସ୍କୁଲର ପ୍ରଧାନଶିକ୍ଷକ ଭାସ୍କର ମହାନ୍ତିଙ୍କ ୧୬ତମ ଶ୍ରାଦ୍ଧ ବାର୍ଷିକୀ ତାଙ୍କ ହାତ ଗଢା ବୋରିକିନା ହାଇସ୍କୁଲ ପରିସରରେ ଭାସ୍କର ମହାନ୍ତି ସ୍ମୃତି ସଂସଦ ଓ ପୁରାତନ ଛାତ୍ର ସଂସଦ ମିଳିତ ଆନୁକୂଲ୍ୟରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରାତଃରୁ ବିଦ୍ୟାଳୟ ପରିସରରେ ଥିବା ସ୍ୱର୍ଗତ ଭାସ୍କର ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ପୁରାତନ ଛାତ୍ର ଶୁଭେଚ୍ଛୁ ଓ ବିଭିନ୍ନ ବର୍ଗର ଜନସାଧାରଣ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ଅପରାହ୍ନ ରେ ଏକ ସଭା ପୁରାତନ ଛାତ୍ର ସଂସଦ ସଭାପତି ମହେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟର ପୁରାତନ ଛାତ୍ର ତଥା ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ ସମାଜରେ ପିତା, ମାତା, ଗୁରୁ ଓ ନିଜର ଜନ୍ମମାଟି ପ୍ରତି ଶ୍ରଦ୍ଧା ସମ୍ମାନ ରହି ପାରିଲେ ସାରା ଦୁନିଆରେ ଶାନ୍ତି, ମୈତ୍ରୀ ଓ ଦିବ୍ୟ ଚେତନା ସୃଷ୍ଟି ହୋଇପାରିବା ସହିତ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ସ୍ୱର୍ଗତ ଭାସ୍କର ମହାନ୍ତିଙ୍କ ଉଲ୍ଲେଖନୀୟ ଅବଦାନ ଆମ ସମସ୍ତଙ୍କୁ ପ୍ରେରଣା ଦେବ ବୋଲି ଗୁରୁତ୍ୱାରୋପ କରିଥିଲେ । ଏହି ଉତ୍ସବରେ ବରିଷ୍ଠ ଆଇନଜୀବୀ ଡକ୍ଟର ବୀର ନାରାୟଣ ପାତ୍ର, ଡଃ ବିଷ୍ଣୁ ଚରଣ ସ୍ୱାଇଁ, ଶିକ୍ଷାବିତ ନାରାୟଣ ସାହୁ, ବୋରିକିନା ହାଇସ୍କୁଲର ପ୍ରଧାନଶିକ୍ଷକ ବିଜୟ କୁମାର ମଲ୍ଲିକ, ବୋରିକିନା ସରପଞ୍ଚଙ୍କ ପ୍ରତିନିଧି ସମୀର କୁମାର ପରିଡା, ପୂର୍ଣ୍ଣଚନ୍ଦ୍ର ମହାନ୍ତି,ପ୍ରମୁଖ ଯୋଗଦେଇ ୬୦ ଦଶକରେ ବାଲିକୁଦାର ଉପାନ୍ତ ଅଂଚଳ ବୋରିକିନା ଠାରେ ଶିକ୍ଷାର ବିସ୍ତାର ପାଇଁ ସେ ଯେଉଁ ପଦକ୍ଷେପ ନେଇଥିଲେ ତାହା ଏ ଅଞ୍ଚଳବାସୀଙ୍କ ପାଇଁ ଅବିସ୍ମରଣୀୟ ହୋଇ ରହିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସ୍ୱର୍ଗତ ଭାସ୍କର ଚନ୍ଦ୍ର ମହାନ୍ତିଙ୍କର ବହୁମୁଖି ପ୍ରତିଭା ଓ ବୋରିକିନା ହାଇସ୍କୁଲ ପ୍ରତିଷ୍ଠା ଦିଗରେ ତାଙ୍କର ପ୍ରଚଣ୍ଡ ପ୍ରଚେଷ୍ଟା ଓ ଅବଦାନକୁ ସ୍ମରଣ କରି ତାଙ୍କ ଯୋଗୁଁ ବୋରିକିନା ଓ ବାଲିକୁଦା ଅଞ୍ଚଳରେ ଶିକ୍ଷାର ବ୍ୟାପକ ବିକାଶ ହୋଇପାରିଥିଲା ବୋଲି ସ୍ମରଣ କରି ଅତିଥିମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ୬୦ ଦଶକରେ ପ୍ରତିଷ୍ଠିତ ବୋରିକିନା ହାଇସ୍କୁଲ ଆଜି ସମଗ୍ର ଜଗତସିଂହପୁର ଜିଲାରେ ଶିକ୍ଷାକ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ପଛରେ ସ୍ୱର୍ଗତ ଭାସ୍କର ମହାନ୍ତିଙ୍କ ବଳିଷ୍ଠ ଅବଦାନକୁ ସ୍ମରଣ କରିଥିଲେ । ଜଣେ ଛାତ୍ରାବତ୍ସଳ ଉଚ୍ଚକୋଟୀର ଶିକ୍ଷକ ହିସାବରେ ସେ ସବୁଦିନ ପାଇଁ ମନେ ରହିବେ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ । ଏହି ୧୬ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବରେ ଶତାଧିକ ଛାତ୍ରଛାତ୍ରୀଙ୍କ ସହ ଜନସାଧାରଣ ଯୋଗଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଅନ୍ତର୍ଯ୍ୟାମୀ ନାୟକ ସଭା ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅବିଭାବକ ଓ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ସ୍ୱର୍ଗତ ଭାସ୍କର ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ ।
Article Image
Article Image
1