*ଢେଙ୍କାନାଳ*, 10/08/2025, ଉତ୍କଳ voice news - utkalvoicenews.com( ଶୁଭମ୍ ପାଣି ଙ୍କ ରିପୋର୍ଟ ) 👉🏻

ରାଜ୍ୟକୁ ଫାଇଲେରିଆ ରୋଗୀ ମୁକ୍ତ କରିବା ଲକ୍ଷ୍ୟରେ ଆଜି ଢ଼େଙ୍କାନାଳ ଜିଲ୍ଲାରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ସ୍ଥାନୀୟ ପୁରୁଣା ଜିଲା ପରିଷଦ ହଲ ଠାରେ ଏକ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ ଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇ, ସ୍ଵାସ୍ଥ୍ୟ ହିଁ ସଂପଦ ବୋଲି କହିଥିଲେ । ଫାଇଲେରିଆକୁ ଜିଲ୍ଲାରୁ ସମୂଳେ ବିନାଶ କରିବା ପାଇଁ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣକରି ସମସ୍ତେ ଏହି ଔଷଧକୁ ନିଶ୍ଚିତ ଭାବେ ଖାଇବାକୁ ଅନୁରୋଧ କରିଥିଲେ । ବ୍ୟାୟମ, ଯୋଗ, ପ୍ରାଣାୟମ ମଧ୍ୟ ନିୟମିତ କରିବାକୁ ପରାମର୍ଶ ଦେଇଥିଲେ । ଜାତୀୟ ଭେକ୍ଟର ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଶୁଭାଶିଷ ମହାନ୍ତି, ଆଜି ଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧ କୋଟି ୭ ଲକ୍ଷ ଲୋକ ଏହି ଔଷଧ ସେବନ କରିବେ, ସେଥିମଧ୍ୟରୁ ଢ଼େଙ୍କାନାଳ ଜିଲ୍ଲାର ୬ ଲକ୍ଷରୁ ଉର୍ଦ୍ଧ୍ଵ ଲୋକ ଏହି ଔଷଧ ସେବନ କରିବେ ବୋଲି ପ୍ରକାଶ କରିଥିଲେ ।ଏହି ରୋଗର ଲକ୍ଷଣ ମଶା କାମୁଡିବାର ୧୦ -୧୫ ବର୍ଷ ପରେ ଦେଖାଯାଇଥିବା ଯୋଗୁଁ ନିଜେ ସୁସ୍ଥ ଅଛି ବୋଲି ଭାବୁଥିଲେ ମଧ୍ୟ ସମସ୍ତେ ଖାଇବା ନିହାତ ଉଚ଼ିତ୍ ବୋଲି କହିଥିଲେ । ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲ , ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତି ରଂଜନ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲାରୁ ଫାଇଲେରିଆ ନିରାକରଣ ପାଇଁ ସମସ୍ତେ ସଚେତନ ହୋଇ ନିଶ୍ଚିତ ଭାବେ ଔଷଧ ସେବନ କରିବାକୁ ଅନୁରୋଧ କରିଥିଲେ । ଏହି ଅବସରରେ ସମସ୍ତ ଅତିଥି ବୃନ୍ଦ ଓ ବିଭାଗୀୟ ଅଧିକାରୀ ମାନେ ଔଷଧ ସେବନ କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ସଂଜୟ ମହାପାତ୍ର ସମସ୍ତଙ୍କୁ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମ ଆୟୋଜନ ସଂପର୍କରେ ଅବଗତ କରାଇଥିଲେ । ଜିଲାରେ ୩, ୮୦୩ ଜଣ ଫାଇଲେରିଆ ରୋଗୀ ଚିହ୍ନଟ କରାଯାଇପାରିଛନ୍ତି । ଏହି କାର୍ଯ୍ୟକ୍ରମରେ ୨୮୦୦ରୁ ଉର୍ଦ୍ଧ କର୍ମୀ ନିୟୋଜିତ ହୋଇଛନ୍ତି ଏବଂ ଚଳିତ ବର୍ଷ ଏହାକୁ ନିଶ୍ଚିତ ଭାବେ ସଫଳ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ହୋଇଛି ବୋଲି ସେ ପ୍ରକାଶ କରିଥିଲେ । ଗର୍ଭବତୀ ମହିଳା, ୨ ବର୍ଷରୁ କମ ବୟସର ପିଲା ଏବଂ ଗୁରୁତର ରୋଗୀମାନଙ୍କ ବ୍ୟତୀତ ଅନ୍ୟ ସମସ୍ତେ ନିଜକୁ ସୁରକ୍ଷିତ ରଖିବା ପାଇଁ ଏହାକୁ ନିଶ୍ଚିତ ସେବନ କରିବାକୁ କହିଥିଲେ । ଶେଷରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଡ଼ି.ପି.ଏମ. ସସ୍ମିତା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

