କୁଜଙ୍ଗ, 15/08/2025, ଉତ୍କଳ voice news - utkalvoicenews.com

ପବିତ୍ର ସ୍ଵାଧୀନତା ଦିବସ ଉପଲକ୍ଷେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାଟପୁର ଗ୍ରାମର କର୍କଟ ରୋଗରେ ପୀଡ଼ିତା ଉମାରାଣୀ ଦାସଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, ଉମାରାଣୀ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି | ଗତ କିଛି ମାସ ହେବ ସେ କର୍କଟ ରୋଗରେ ପୀଡିତ ହୋଇ ବର୍ତ୍ତମାନ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି | ସ୍ବାମୀ ଆଣ୍ଠୁ ଗଣ୍ଠି ବାତ ରୋଗର ଶୀକାର ହୋଇ ଆଉ ମୁଲମଜୁରୀ ନ କରିପାରି ଘରେ ଅକାମୀ ହୋଇ ବସିଛନ୍ତି ।ତେଣୁ ପରିବାର ପାଖରେ ଦୁଇ ଓଳି ଦୁଇ ମୁଠା ଖାଇବାକୁ ନାହିଁ। ଅର୍ଥାଭାବରୁ ଚିକିସ୍ଥାରେ ଅର୍ଥ ସାଜିଛି ବାଧକ | ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ଉପସଭାପତି ବିଜୟ କୁମାର ସାହୁ, ବରିଷ୍ଠ ସଦସ୍ୟ ସୂର୍ଯ୍ୟକାନ୍ତ ରାଉତ, ନନ୍ଦନନ୍ଦନ ଜୟସିଂ, ଜୀବନଜ୍ୟୋତି ଜୟସିଂ, ହରେକୃଷ୍ଣ ବେହେରା, ସତ୍ୟବ୍ରତ ଦାସ, ସମ୍ବିତ ଦାସ ଏବଂ ରାଜେଶ ତରାଇ ପ୍ରମୁଖ ଉମାରାଣୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଦଶ ହଜାର (୧୦,୦୦୦/-) ଟଙ୍କାର ଆର୍ଥିକ ସହାୟତା ଏବଂ ଏକ ମାସର ରାସନ୍ ସାମଗ୍ରୀ ପ୍ରଦାନ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ଉମାରାଣୀଙ୍କ ପରିବାର କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |

