ଢେ଼ଙ୍କାନାଳ, 15/08/2025, ଉତ୍କଳ voice news - utkalvoicenews.com( ଶୁଭମ୍ ପାଣି ଙ୍କ ରିପୋର୍ଟ ) 👉🏻
ଢେଙ୍କାନାଳ ଜିଲ୍ଲା ସଦର ମହକୁମାଠାରେ ୭୯ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପବିତ୍ର ଦିବସ ପାଳନ ଅବସରରେ ଢେଙ୍କାନାଳ ଷ୍ଟାଡିୟମଠାରେ ସକାଳ ୯ଟା ୧୫ ମିନିଟ୍ ସମୟରେ ଦିବସର ମୁଖ୍ୟଅତିଥ୍ୟ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶିଷ ଇଶ୍ଵର ପାଟିଲ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । ସ୍ଵାଧିନତା ସଂଗ୍ରାମୀମାନଙ୍କୁ ପ୍ରଣିପାତ କରି, ସ୍ୱାଧୀନତାର ୭୮ ବର୍ଷପରେ ଏହି ଦିନକୁ କେବଳ ଉତ୍ସବ ଭାବେ ପାଳନ କରିବାରେ ସୀମିତ ନୁହେଁ ବୋଲି ପ୍ରକାଶ କରି, ନୂଆ ଭାରତ ଗଢ଼଼ିବା ପାଇଁ ଆମେ ସମସ୍ତେ ଏକତା ଓ ସତ୍ୟନିଷ୍ଠାର ସହିତ ପରିଶ୍ରମ କରିବାକୁ ପଡିବ ବୋଲି ପ୍ରକାଶ କରିଥିଲେ । ଉତ୍ସବରେ ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ୟାରେଡ ଦଳ, ଢେଙ୍କାନାଳ ପୋଲିସ ବାହିନୀ, ଓ.ଏସ୍.ଏ.ପି. ପ୍ରଥମ ବାଟାଲିୟନ ଓ ବ୍ୟାଣ୍ଡ ଦଳ ପକ୍ଷରୁ ପ୍ୟାରେଡ କରାଯାଇ ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା ।

ଆନୁଷ୍ଠନିକ ପ୍ୟାରେଡ ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଚିତ୍ତାକର୍ଷକ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଆରୋଗ୍ୟମ ଯୋଗ ୱେଲଫେୟାର ଆସୋସିଏସନ ଓ ମହିମା ଯୋଗ ଏବଂ ୱେଲ ନେସ୍ଟ ଟ୍ରଷ୍ଟ ପକ୍ଷରୁ ଯୋଗ ଅଭ୍ୟାସ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ଜିଲ୍ଲାରେ ସର୍ବାଧିକ ରକ୍ତ ଦାନ ନିମନ୍ତେ ବଜରଙ୍ଗ କ୍ଲବ, ବି.ଜେ.ପି.ର ରାଜନୈତିକ ଶାଖା, ସିନର୍ଜି କଲେଜ, ଟାଟା ଷ୍ଟିଲ, ଆମ ଓଡ଼ିଶା ଅନୁଷ୍ଠାନ ଏବଂ ବଜରଙ୍ଗ କ୍ଲବର ମହିଳା ଶାଖା ଙ୍କୁ ରନିଙ୍ଗ ସିଲଡ୍ ପ୍ରଦାନ କରାଯାଇଥିଲା ।
ସମ୍ମିଳିତ ପ୍ୟାରେଡରେ ଶ୍ରେଷ୍ଠ ସମର ଶିକ୍ଷାର୍ଥୀ ଭାବେ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଶ୍ରେଷ୍ଠ ବେସାମରିକ ବାଳକ ପ୍ୟାରେଡ ଦଳ ଭାବେ ମଣ୍ଟଫୋର୍ଟ ସ୍କୁଲ, ଶ୍ରେଷ୍ଠ ବେସାମରିକ ବାଳିକା ପ୍ୟାରେଡ ଦଳ ଭାବେ ଆନନ୍ଦ ମାର୍ଗ ପବ୍ଲିକ ସ୍କୁଲ ଏବଂ ଶ୍ରେଷ୍ଠ ସ୍କାଉଟ୍ ଗାଇଡ ଦଳ ଭାବେ ଲକ୍ଷ୍ମୀଧର ମ୍ୟୁନିସପାଲ ହାଇ ସ୍କୁଲକୁ ରନିଙ୍ଗ ସିଫ୍ଟ ପ୍ରଦାନ କରାଯାଇଥିଲା । ସଫଳ ପର୍ବତାରୋହୀ ସୁଶ୍ରୀ ପ୍ରଭାସିନୀ ବେହେରା, କିକ୍ ବକସର ସ୍ମୃତି ଭୋଇ, ମାନସୀ ସାହୁ ଏବଂ ଚ଼ନ୍ଦନ ସାହୁ ଓ ବରିଷ୍ଠ ଆନ୍ତର୍ଜାତିକ କ୍ରୀଡ଼ା ଘୋଷକ ଶ୍ରୀ ଅମୀୟ ଚାନ୍ଦ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଜିଲାରେ ସର୍ବାଧିକ ନମ୍ବର (୫୬୫) ରଖିଥିବା ବଳଭଦ୍ରପୁରର ଭାନିରାମ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁଚ଼ିସ୍ମିତା ପ୍ରିୟଦର୍ଶନୀ ପରିଡ଼ାଙ୍କୁ ଏବଂ ଶ୍ରେଷ୍ଠ ବିଦ୍ୟାଳୟ ଭାବେ କାମାକ୍ଷାନଗର ବ୍ଳକ୍ ଅନ୍ତର୍ଗତ ପଞ୍ଚାୟତି ରାଜ ଉଚ୍ଚ ବିଦ୍ୟାଳୟକୁ ପୁରସ୍କୃତ କରାଯାଇଥିଲା । ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ପି.ଏମ. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଦଳ ପୁରସ୍କୃତ ହୋଇଥିଲେ । ଶ୍ରେଷ୍ଠ ଗଣେଶ ପୂଜା ଅନୁଷ୍ଠାନ ପାଇଁ ଶ୍ରେଷ୍ଠମୂର୍ତ୍ତି ପାଇଁ ବଜରଙ୍ଗ କ୍ଲବ, ସାଜସଜ୍ଜା ନିମନ୍ତେ ରାମେଶ୍ୱରପୁରର ଜୟ ଜଗନ୍ନାଥ କ୍ଳବ୍ ଓ ଶୃଙ୍ଖଳା ପାଇଁ ବଜରଙ୍ଗ ବ୍ଲକ୍ କୁ ରନିଂସିଲତ୍ ପ୍ରଦାନ କରାଯାଇଥିଲା ।ପବିତ୍ର ଜାତୀୟ ଦିବସ ଅବସରରେ ମୁଖ୍ୟ ଅତିଥ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀ ମାନଙ୍କୁ ଫଳ ବଣ୍ଟନ ଏବଂ ଜିଲ୍ଲା କାରାଗାରର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସହର ମଧ୍ୟରେ ଡାକବାଜି ଯନ୍ତ୍ର ଦ୍ବାରା ରାମ ଧୂନ ପରିବେଷଣ କରାଯାଇଥିଲା । ସକାଳ ୮ ଘଟିକା ଠାରୁ ସହର ମଧ୍ୟରେ ଥିବା ସମସ୍ତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥ୍ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ପ୍ରୟାସ ପରିବାର, ଢେଙ୍କାନାଳ ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ ଠାରେ ଏକ ରକ୍ତଦାନ ଶିବିର, ରୋଟାରୀ କ୍ଳବଠାରେ ଏକ ଚକ୍ଷୁ ଚ଼ିକିତ୍ସା ଶିବିର ଆୟୋଜିତ ହୋଇଥିଲା । ଅପରାହ୍ନରେ ଷ୍ଟାଡିୟମ ଠାରେ ଗଣ ମାଧ୍ୟମ ଏବଂ ଜିଲ୍ଲା ପ୍ରଶାସନମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ଗୋପବନ୍ଧୁ ଟାଉନ ହଲ ଠାରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । । ଷ୍ଟାଡିୟମ ଠାରେ ଅନୁଷ୍ଠିତ ଉତ୍ସବରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି (ସାଧାରଣ ), ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧ୍ ମାନେ ଯୋଗ ଦେଇଥିଲେ । ଶ୍ରୀ ଅବନୀ କୁମାର ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।


