ଏରସମା / ତିତିରା / କେଉଟପାଳ, 24/09/2025, ଉତ୍କଳ voice news - utkalvoicenews.com ( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ବାଲିକୁଦା ବ୍ଲକର ତିତିରା ପଞ୍ଚାୟତର କେଉଟପାଳ ଗ୍ରାମରେ ଜନ୍ମିତ ପୁଲିସ ଭିଜିଲାନ୍ସ ବିଭାଗରେ ସେବା ନିବୃତ୍ତ ଅଧିକାରୀ ସଞ୍ଜୟ କୁମାର ବିଶ୍ୱାଳଙ୍କର ୬୮ ବର୍ଷ ବୟସରେ ହୃଦଘାତରେ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି କଟକ ପୁଲିସ ମୁଖ୍ୟ କାର୍ଯ୍ୟାଳୟର ଭିଜିଲାନ୍ସ (ଦୁର୍ନୀତି ନିବାରଣ) ବିଭାଗରେ ଦକ୍ଷତାର ସହିତ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରି ନିଜ ଦକ୍ଷତାର ପରିଚୟ ଦେଇଥିଲେ । ଅବସର ପରେ ନିଜ ଗ୍ରାମ କେଉଟପାଳରେ ରହି ବିଭିନ୍ନ ସାଂସ୍କୃତିକ, ସାମାଜିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ସମ୍ପୃକ୍ତ କରି ନିଜ ଅଞ୍ଚଳରେ ବେଶ ଲୋକପ୍ରିୟ ହୋଇପାରିଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ତାଙ୍କ ଶୁଭେଚ୍ଛୁ ଓ ବିଭିନ୍ନ ବର୍ଗର ଜନସାଧାରଣ ବାସଗୃହକୁ ଯାଇ ଶେଷ ଦର୍ଶନ କରିଥିଲେ । ଗ୍ରାମ୍ୟ ଶ୍ମଶାନରେ ଶ୍ରୀ ବିଶ୍ୱାଳଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ଜ୍ୟେଷ୍ଠପୁତ୍ର ରଞ୍ଜନ ବିଶ୍ୱାଳ ମୁଖାଗ୍ନି ଦେଇଥିଲା ବେଳେ, ସାନପୁତ୍ର ମିଲନ ବିଶ୍ୱାଳ, ଝିଅ, ଜ୍ୱାଇଁଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟସ୍ୱଜନ ମାନେ ଉପସ୍ଥିତ ରହିଥିଲେ । ଶ୍ରୀ ବିଶ୍ୱାଳଙ୍କ ବିୟୋଗରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ବରିଷ୍ଠ ବିଜେପି ନେତା ସଞ୍ଜୟ ମହାନ୍ତି, ଜିଲା ପରିଷଦ ସଭ୍ୟା ରୁନିଲତା ବେହେରା, ଆଇନଜୀବୀ ଡଃ. ବୀର ନାରାୟଣ ପାତ୍ର ପ୍ରମୁଖ ଶୋକବ୍ୟକ୍ତ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ ।