ବୁଗୁଡ଼ା, 08/10/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ) :

ବୁଗୁଡ଼ା ବ୍ଲକ କରଚୁଲି ପଞ୍ଚାୟତ ଅନ୍ତର୍ଗତ ଜେଏକ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ବିଦ୍ୟାଳୟ ଫାଟକରେ ତାଲା ପକାଇ ଛାତ୍ର ଛାତ୍ରୀ ଓ ଅଭିଭାବକ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟରେ ପାଠ ପଢା ସହିତ ବିଭିନ୍ନ ଅବ୍ୟବସ୍ଥା ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ ଓ ଛାତ୍ରବୃତ୍ତି ପ୍ରଦାନ କରାଯାଇନଥିବା ବେଳେ ଅନ୍ୟତ୍ର ବଦଳି ହୋଇଥିବା ଶିକ୍ଷୟିତ୍ରୀଙ୍କ ପୁଣିଥରେ ବିଦ୍ୟାଳୟରେ ଯୋଗଦାନ କୁ ବିରୋଧ କରି ଆଜି ବିଦ୍ୟାଳୟ ଫାଟକରେ ତାଲା ପକାଇ ଦିର୍ଘ ସମୟ ଧରି ଧାରଣାରେ ବସିଥିଲେ ଅଭିଭାବକ ଓ ଛାତ୍ରଛାତ୍ରୀ। ଏହାକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢ଼ା ବନ୍ଦ ରହିଛି। ଖବର ପାଇ ଘଟଣା ସ୍ଥଳରେ ବୁଗୁଡ଼ା ପୋଲିସ ପହଞ୍ଚି ବୁଝାସୁଝା କରୁଥିଲେ ମଧ୍ୟ ଧାରଣାରୁ ଓହରିନଥିଲେ ଅଭିଭାବକ।ଦୀର୍ଘ ଚାରି ଘଣ୍ଟା ପରେ ବୁଗୁଡ଼ା ଅତିରିକ୍ତ ଶିକ୍ଷାଅଧିକାରୀଣୀ ଅମିତା କୁମାରୀ ପାଢ଼ୀ ସହିତ ସେକ୍ସନ ଅଫିସର ପ୍ରିୟଦର୍ଶି ଦାସ ପହଂଚି ଅଭିଭାବକ ମାନଙ୍କୁ ବୁଝାସୁଝା ପରେ ଧାରଣାରୁ ହଟିଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଉକ୍ତ ବିଷୟ କୁ ନେଇ ବ୍ଳକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯିବ ଯାହା ନିର୍ଦ୍ଦେଶ ଆସିବ ତାହାକୁ ନେଇ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଅତିରିକ୍ତ ଶିକ୍ଷା ଅଧିକାରୀଣୀ ଶ୍ରୀମତି ପାଢ଼ୀ ପ୍ରକାଶ କରିଥିଲେ।