ଏରସମା, 14/10/2025, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ଙ୍କ ରିପୋର୍ଟ ) :

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଏରସମା ବ୍ଲକ୍ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଜେ. ସୋନାଲ ଜନସାଧାରଣଙ୍କ ବିଭିନ୍ନ ଆପତ୍ତା ଅଭିଯୋଗର ଶୁଣାଣି କରିଥିଲେ।ଆଜି ମୋଟ ୨୧୨ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ଯା ସମ୍ପର୍କିତ ୧୯୨ ଟି,ଗୋଷ୍ଠୀଗତ ସମସ୍ୟା ଓ ଗ୍ରାମ୍ୟ ସମସ୍ୟା ସମ୍ପର୍କିତ ୨୦ ଟି,ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରାସନ୍ କାର୍ଡ ସମ୍ବନ୍ଧୀୟ ୨୦ ଟି,ଆବାସ ଯୋଜନା ୬୪ ଟି,ଜମିଜମା ସମସ୍ୟା ୫୨ଟି,ପୁଲିସ୍ ସହାୟତା ପାଇଁ ଗୋଟିଏ,ଭତ୍ତା ପାଇବା ପାଇଁ ୧୦ ଟି ଏବଂ ଅନ୍ୟାନ୍ୟ ୪୫ ଟି ଅଭିଯୋଗର ଶୁଣାଣି କରାଯାଇଥିଲା ।ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ଅଙ୍କିତ କୁମାର ବର୍ମା,ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ରବିନାରାୟଣ ଜେଠୀ,ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏରସମା ଦାଶରଥି ଜେନା,ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ତିର୍ତ୍ତୋଲ ଚିନ୍ମୟ ରାଉତ, ଜିଲ୍ଲାସ୍ତରୀୟ ଅଧିକାରୀ,କ୍ଷେତ୍ରୀୟ ଅଧିକାରୀ, ବ୍ଲକ୍ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତା ଅଭିଯୋଗର ଶୁଣାଣି କରିଥିଲେ।ପରେ ଜିଲ୍ଲାପାଳ ଜେ. ସୋନାଲ ଦୁଇଟି ଜଳସେଚନ କ୍ରିକ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ |

ଜିଲ୍ଲାପାଳ ନାରଦିଆ ପଞ୍ଚାୟତର ପଞ୍ଚପଲ୍ଲି ଓ ଆମ୍ବିକି ପଞ୍ଚାୟତର ନଗରୀ ଠାରେ, ମହାନଦୀ ଦକ୍ଷିଣ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ |ତତ୍ପରେ ନାରଦିଆ ଓ ଆମ୍ବିକି ପଞ୍ଚାୟତ ଅନ୍ତର୍ଗତ କିଆଦାଠାରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ନାରଦିଆ ଠାରେ ୧.୩୩ କୋଟି ବିନିମୟରେ ତିଆରି ହେଉଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ।ଆମ୍ବିକିଠାରୁ ଜପା ପଞ୍ଚାୟତର ଦହିବରକୁ ସଂଯୋଗୀ ସେତୁର ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଥିଲେ |ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେବା ପାଇଁ ଆଉ କିଛିମାସ ଲାଗିବାକୁ ଥିବାରୁ ଏଠାରେ ନଦୀରେ ଯାତାୟାତ ନିମନ୍ତେ ଉନ୍ନତ ମାନର ଡଙ୍ଗା ଓ ଲାଇଫ ଜ୍ୟାକେଟ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଏରସମା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ,ମହାନଦୀ ଦକ୍ଷିଣ ବିଭାଜନର ଅଧୀକ୍ଷଣ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ,ଗ୍ରାମ୍ୟ ଉନ୍ନୟନ,ଏରସମା ବିଡିଓ ତଥା ଅନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ |