ବାଲିକୁଦା, 16/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଜଗତସିଂହପୁର ଜିଲା ବାଲିକୁଦା ବ୍ଲକର ଓଗରପୁର ଗ୍ରାମର ସମାଜସେବୀ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଅନୁଗାମୀ ବିପିନୀ ବିହାରୀ ଜେନାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଓ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଏକ ଆଧ୍ୟାତ୍ମିକ ଆଲୋଚନା ଚକ୍ର ସତସଙ୍ଗ ବିଶିଷ୍ଟ ସତସଙ୍ଗ କର୍ମୀ ସହପ୍ରତିଋତିକ ଗଣେଶ ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସତସଙ୍ଗ ଓ ଶ୍ରଦ୍ଧାଞ୍ଜଳୀ ସଭାରେ ଉପସ୍ଥିତ ଶତାଧିକ ବ୍ୟକ୍ତି ଉପସ୍ଥିତ ରହି ବିପିନୀ ବିହାରୀଙ୍କର ବହୁମୁଖୀ ପ୍ରତିଭା ଓ ଏ ଅଞ୍ଚଳର ଆଧ୍ୟାତ୍ମିକତାର ବିକାଶ ଦିଗରେ ତାଙ୍କର ଉଲ୍ଲେଖ ଯୋଗ୍ୟ ଅବଦାନ ସ୍ମରଣ କରିଥିଲେ । ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଜଣେ ବିଶିଷ୍ଟ ଅନୁଗାମୀ ହିସାବରେ ସେ ନିଜର ଆଧ୍ୟାତ୍ମିକ ପରିଚୟ ସୃଷ୍ଟି କରିପାରି ଥିଲେ । ଏହି ଆଧ୍ୟାତ୍ମିକ ସତସଙ୍ଗ ଆଲୋଚନା ଚକ୍ରରେ ଆଜିର ସମାଜରେ ପ୍ରତିଟି ମଣିଷ ପାଇଁ ସଦ୍ଗୁରୁ, ସତସଙ୍ଗ ଓ ସତ୍ ନାମର ଜରୁରୀ ଆବଶ୍ୟକତା ରହିବା ସହିତ ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ଦିବ୍ୟ ଜୀବନୀ ଓ ବାଣୀରେ ଅନୁପ୍ରାଣିତ ହୋଇ ପାରିଲେ ମାନବ ସମାଜରେ ଶାନ୍ତି, ସଂହତି ଓ ଭାଇଚାରା ପ୍ରତିଷ୍ଠା ହୋଇ ପାରିବା ସହିତ ଅବକ୍ଷୟମୁଖୀ ସମାଜକୁ ଆସନ୍ନ ଧ୍ୱଂସ ମୁଖରୁ ରକ୍ଷାକରିବା ପାଇଁ ପ୍ରତିଟି ମଣିଷ ଶ୍ରୀ ଶ୍ରୀ ଠାକୁରଙ୍କର ପ୍ରଦର୍ଶୀତ ମାର୍ଗରେ ଅନୁପ୍ରାଣୀତ ହେବାକୁ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସତ୍ସଙ୍ଗ, ସଦ୍ଗୁରୁ ଓ ସତ୍ନାମର ଆଶ୍ରୟ ବିନା ମାନବ ସମାଜରେ ଶାନ୍ତି ପ୍ରତିଷ୍ଟା ହୋଇପାରିବ ନାହିଁ ବୋଲି ବକ୍ତାମାନେ ଉପସ୍ଥିତ ଭକ୍ତମାନଙ୍କୁ ପରାମର୍ଶ ଦେଇଥିଲେ । ଶ୍ରୀ ଶ୍ରୀ ଠାକୁର ଅନୁକୂଚନ୍ଦ୍ରଙ୍କ ଆଦର୍ଶ, ତ୍ୟାଗପୁତ ଜୀବନୀ ଓ ବାଣୀ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସମୀର କୁମାର ଦାଶ, ପ୍ରମୋଦ କୁମାର ଜେନା, କାର୍ତ୍ତିକ ଚନ୍ଦ୍ର ବେହେରା, ଉପେନ୍ଦ୍ର ଜେନା, ଶ୍ରୀପତି ନନ୍ଦ, ନୀଳମଣି ଜେନା, ହେମନ୍ତ କୁମାର ସାହୁ, ନିରଞ୍ଜନ ମହାନ୍ତି, ବାବାଜୀ ଜେନା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

