ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସାଇବର ସୁରକ୍ଷା ଅଭିଯାନ ସମାରୋହ ଅନୁଷ୍ଠିତ ।

ଢେଙ୍କାନାଳ, 28/10/2025, ଉତ୍କଳ voice news - utkalvoicenews.com( ଢ଼େଙ୍କାନାଳ ରୁ ଶୁଭମ୍ ପାଣିଙ୍କ ରିପୋର୍ଟ ) :
Article Image
ସାଇବର ଠକେଇ ଠାରୁ ଦୂରେଇ ରହିବାପାଇଁ ସାରା ରାଜ୍ୟରେ ସାଇବର ସୁରକ୍ଷା ସଚ଼େତନତା କାର୍ଯ୍ୟକ୍ରମ ଚାଲୁରହିଛି ।ଏହି ପରିପ୍ରେକ୍ଷୀରେ ଆଜି ଢେଙ୍କାନାଳ ଜିଲ୍ଲାରେ ସାଇବର ସୁରକ୍ଷା ଅଭିଯାନ ସମାରୋହ ସ୍ଥାନୀୟ ଆର୍ଟ ଆଣ୍ଡ କ୍ରାଫଟ୍ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ସାଇବର ଅପରାଧିମାନେ ନୂଆଁ ନୂଆଁ କୌଶଳ ମାଧ୍ୟମରେ ଜନସାଧାରଣ ବିଶେଷ କରି ବୟସ୍କ ବ୍ୟକ୍ତିମାନଙ୍କୁ ଠକେଇର ଶିକାର କରୁଛନ୍ତିି ବୋଲି ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲ ପ୍ରକାଶ କରିଛନ୍ତି ।
Article Image
ଛାତ୍ରଛାତ୍ରୀମାନଙ୍କର ଇଣ୍ଟରନେଟ୍ ବ୍ୟବହାରରେ ଅଧିକ ଜ୍ଞାନ ଥିବାରୁ ସେମାନେ ନିଜର ଅଭିଭାବକ ଓ ସଂର୍ପକୀୟମାନଙ୍କୁ ଠକେଇ ସଂପର୍କରେ ସଚେତନ କରିବାକୁ କହିଛନ୍ତି । ନିଜର ବ୍ୟକ୍ତିଗତ ତଥ୍ୟକୁ ମୋବାଇଲ ମାଧ୍ୟମରେ ନ ଜଣାଇବାକୁ ପରାମର୍ଶ ଦେଇଛନ୍ତି । ଏହି ବାର୍ତ୍ତା ତୃଣମୂଳ ପର୍ଯ୍ୟନ୍ତ ପହଞ୍ଚି ପାରିଲେ ଆମେ ସମସ୍ତ ପ୍ରକାରର ଠକେଇର ଶିକାର ହେବା ଠାରୁ ରକ୍ଷା ପାଇପାରିବା ବୋଲି ସେ ମତବ୍ୟକ୍ତ କରିଛନ୍ତି । ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ଯୋଗଦେଇ, ଛାତ୍ରଛାତ୍ରୀ ଓ ଯୁବପିଢୀ ନିଜେ ସଚ଼େତନ ହୋଇ ଅନ୍ୟମାନଙ୍କୁ ସଚେତନ କରାଇଲେ ଏହି ସାଇବର ଅପରାଧିମାନଙ୍କଠାରୁ ସମସ୍ତେ ସୁରକ୍ଷିତ ରହିପାରିବା ବୋଲି କହିଛନ୍ତି । ପୋଲିସ ପ୍ରଶାସନର ଦକ୍ଷତା ଯୋଗୁଁ ଢ଼େଙ୍କାନାଳ ଜିଲ୍ଲାରେ ସାଇବର ଅପରାଧର ହାର କମ ଥିବାରୁ ସେ ପ୍ରଶାସନକୁ ସାଧୁବାଦ ଜଣାଇଥିଲେ। ପ୍ରାରମ୍ଭରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଲୋଭ ଓ ଭୟ ଯୋଗୁଁ ସବୁ ବର୍ଗର ବ୍ୟକ୍ତି ଆର୍ଥିକ ଠକେଇର ଶିକାର ହେଉଛନ୍ତି ବୋଲି ସେ ପ୍ରକାଶ କରିଥିଲେ । ଅଧିକ ଟଙ୍କା ରୋଜଗାରର ନିଶା ଠକେଇର କାରଣ ହେଉଛି, ଏଥିପ୍ରତି ସଚେତନ ରହିବା ସହିତ ଡ଼ିଜିଟାଲ ଆରେଷ୍ଟ କଲ ପ୍ରତି ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି। କୌଣସି ଓ.ଟି. ପି. , ପିନ୍ ନମ୍ବର କିମ୍ବା ବ୍ୟାଙ୍କିଙ୍ଗ ପାସ୍ ୱାର୍ଡ଼ କାହାରିକୁ ସେୟାର ନ କରିବାକୁ କହିଛନ୍ତି। କୌଣସି ପ୍ରକାରର ସନ୍ଦେହ ଅଥବା ଅସୁବିଧା ମନେକଲେ ସାଇବର କ୍ରାଇମ୍ ହେଲ୍ପ ଲାଇନ ନମ୍ୱର ୧୯୩୦ ରେ ଯୋଗାଯୋଗ କରନ୍ତୁ। ଠକେଇର ଶିକାର ହେବା ଅପେକ୍ଷା ପ୍ରଥମରୁ ସଚେତନ ହେବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ, ସାଇବର ଠକେଇ ସୁରକ୍ଷା ଅଭିଯାନରେ ପ୍ରମୂଖ ଭୂମିକା ଗ୍ରହଣ କରିଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ, ପ୍ରଧାନ ଶିକ୍ଷକ ଓ ବ୍ୟକ୍ତି ବିଶେଷଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସୁର ସଂଗୀତ ଅନୁଷ୍ଠାନ ପକ୍ଷରୁ ସାଇବର ଠକେଇ ସଂପର୍କୀତ ସଚ଼େତନଧର୍ମୀ ସଂଗୀତ ପରିବେଷଣ ହୋଇଥିଲା । ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସୋନକର ସାଇବର ଠକେଇ ଠାରୁ କିଭଳି ଦୂରେଇ ରହିବେ ସେ ସଂପର୍କିତ ଏକ ଶପଥ ପାଠ କରାଇଥିଲେ । ଏହି ସମାରୋହରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟତ୍ରୀ, ବ୍ୟକ୍ତି ବିଶେଷ, ପ୍ରଶାସନିକ ଅଧିକାରୀ ଓ ସାମାଜ ସେବୀ, ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଶେଷରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୂର୍ଯ୍ୟମଣୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
3