ବୁଗୁଡ଼ା, 03/11/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
ଧର୍ମ ମାସ କାର୍ତ୍ତିକ ମାସର ଚତୁର୍ଥ ସୋମବାରରେ ଶ୍ରଦ୍ଧାଳୁଙ୍କ ସମାବେଶ ଯୋଗୁଁ ଐତିହାସିକ ଶୈବପୀଠ ବୁଦ୍ଧଖୋଲ ଚଳଚଞ୍ଚଳ ହୋଇ ଉଠିଥିଲା । ବୁଗୁଡା ସମେତ ଅନ୍ୟ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ବଡି ସକାଳୁ ହିଁ ବୁଦ୍ଧଖୋଲ ଅଭିମୁଖେ ଭକ୍ତଙ୍କ ସୁଅ ଛୁଟିଥିଲା । ଭକ୍ତଗଣ ପାହାଚ ନତୁବା ଘାଟି ରାସ୍ତାରେ ଯାଇ ବୁଦ୍ଧଖୋଲ ପାହାଡ଼ରେ ବିରାଜମାନ ଜଗଦେଶ୍ଵର ସ୍ଵାମୀ, ଗଙ୍ଗାଧର ସ୍ଵାମୀ, ମକରେଶ୍ଵର ସ୍ଵାମୀ,ବୁଦ୍ଧେଶ୍ଵର ସ୍ଵାମୀ ଓ ସିଦ୍ଧେଶ୍ଵର ସ୍ଵାମୀ ଆଦି ପଞ୍ଚ ଶମ୍ଭୁଙ୍କ ଆଶିଷ ପ୍ରାପ୍ତାର୍ଥେ ଦର୍ଶନ କରିଥିଲେ । ଏଥି ସହ ବୁଦ୍ଧଖୋଲ ପାଦଦେଶସ୍ଥ ଶିବ ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ସ୍ଥାପନ ସ୍ଥଳ ଲୋକାରଣ୍ୟ ପାଲଟିଥିଲା। ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ଶ୍ରଦ୍ଧାଳୁଙ୍କ ଠାକୁର ଦର୍ଶନ ସାଙ୍ଗକୁ ଯାନବାହାନ ରହଣିର ସୁବନ୍ଦୋବସ୍ତ କରାଯାଇଥିଲା । ଯାନବାହାନ ଚଳାଚଳ ଏବଂ ଟ୍ରାଫିକ ନିୟନ୍ତ୍ରଣ ସାଙ୍ଗକୁ ରହଣି ଦେୟ ସଂଗ୍ରହରେ ସ୍ୱେଛାସେବୀମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।