ଢେଙ୍କାନାଳ, 16/11/2025, ଉତ୍କଳ voice news - utkalvoicenews.com(ଢ଼େଙ୍କାନାଳ ରୁ ଶୁଭମ୍ ପାଣିଙ୍କ ରିପୋର୍ଟ)

ଭଗବାନ୍ ବିର୍ଶା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ ଉପଲକ୍ଷେ ଆଜି ସମଗ୍ର ଦେଶରେ ଜନ ଜାତୀୟ ଗୌରବ ଦିବସ ପାଳିତ ହୋଇଅଛି । ଏହି ଅବସରରେ ସ୍ଥାନୀୟ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟର ଠାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ । ଜନ ଜାତିମାନଙ୍କ ଜଙ୍ଗଲ, ଜମି ଓ ସେମାନଙ୍କର ପରମ୍ପରାଗତ ଅଧିକାରକୁ ରକ୍ଷା କରିବା ପାଇଁ ବିର୍ଶା ମୁଣ୍ଡାଙ୍କ ଲଢ଼େଇ ଓ ତ୍ୟାଗ ଅତୁଳନୀୟ ବୋଲି ପ୍ରକାଶ କରିଥିଲେ । ଭାରତ ହେଉଛି ବୀର ସହିହମାନଙ୍କ ମାଟି, ବିର୍ଶା ମୁଣ୍ଡାଙ୍କ ଭଳି ଲଢୁଆ ବୀରମାନଙ୍କ ବଳିଦାନ ଯୋଗୁଁ ଆମେ ସ୍ଵାଧୀନତା ପାଇପାରିଛେ ବୋଲି ମତବ୍ୟକ୍ତ କରିଥିଲେ। ଦେଶମାତୃକାର ସୁରକ୍ଷା ନିମନ୍ତେ ଆମମାନଙ୍କ ମଧ୍ୟରେ ଏହି ଭଳି ବଳିଷ୍ଠ ତ୍ୟାଗ ଭାବନା ଜାଗ୍ରତ ହେବା ଦରକାର ବୋଲି କହିଥିଲେ । ଆଦିବାସୀ-ଜନଜାତି ବର୍ଗଙ୍କର ସାମଗ୍ରିକ ବିକାଶ ପାଇଁ ସରକାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତିି, ସେଗୁଡ଼ିକର ସଫଳ ରୂପାୟନ ପାଇଁ ସଂପୃକ୍ତ ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ । ଏହି ଅବସରରେ ସେ ଜନମନ ଯୋଜନାରେ ହିତାଧିକାରୀମାନଙ୍କୁ ଗୃହର ପ୍ରତିକାତ୍ମକ ଚାବି ପ୍ରଦାନ କରିଥିଲେ। ହିତାଧିକାରୀମାନଙ୍କୁ ଜମିପଟ୍ଟା, ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ସହାୟତା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ତାଲିମ ପ୍ରାପ୍ତ ଛାତ୍ର ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ- ତଥା - ନିର୍ବାହୀ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଜମିଦାରୀ ପ୍ରଥା ବିରୋଧରେ ଆନ୍ଦୋଳନ କରି ଜନ ଜାତିଙ୍କ ସ୍ଵାର୍ଥରକ୍ଷା କରିବା ପାଇଁ ବ୍ରିଟିଶ ଶାସନ ବିରୁଦ୍ଧରେ ବିର୍ଶା ମୁଣ୍ଡାଙ୍କ ଲଢ଼େଇ ଅତୁଳନୀୟ । ତାଙ୍କର ଏହି ବଳିଷ୍ଠ ନେତୃତ୍ବ ଓ ବଳିଦାନରେ ଅନୁପ୍ରାଣିତ ହୋଇ ଜନଜାତିର ଯୁବ ଭାଇ ଭଉଣୀ ମାନେ ପ୍ରକୃତିର ସୁରକ୍ଷା ନିମନ୍ତେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି ବୋଲି କହିଥିଲେ । ସରକାରଙ୍କ ବିଭିନ୍ନ ଯୋଜନା ପ୍ରଣୟନ ଫଳରେ ଜନଜାତିର ଯୁବପିଢୀ ସ୍ୱାବଲମ୍ବୀ ହେଉଛନ୍ତି ବୋଲି ପ୍ରକାଶ କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ରୁଦ୍ର ପ୍ରସାଦ ପରିଜା ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ସମସ୍ତ ଜନଜାତିଙ୍କ ସାମଗ୍ରିକ ବିକାଶ ପାଇଁ ଆଦି କର୍ମଯୋଗୀ କାର୍ଯ୍ୟକ୍ରମ ମାଧ୍ୟମରେ ହେଉଥିବା ଉନ୍ନୟନମୂଳକ ଯୋଜନା ସଂପର୍କରେ ସୂଚ଼ନା ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଜନଜାତିର ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବା ସହିତ ସଭାକାର୍ଯ୍ୟ ଶେଷରେ ପାରମ୍ପାରିକ ନୃତ୍ୟ ପରିବେଷଣ କରିଥିଲେ । ଶ୍ରୀ ଅବନୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
