ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶିକ୍ଷକଙ୍କ ବଦଳି ଦାବିରେ ଛାତ୍ରଛାତ୍ରୀ ମାନଙ୍କ ସହିତ ଅଭିଭାବକଙ୍କ ପ୍ରତିବାଦ ବିଦ୍ୟାଳୟରେ ଝୁଲିଲା ତାଲା

ବାଲିକୁଦା, 18/11/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ବାଲିକୁଦା ବ୍ଲକ ତିତିରା ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ତାଲା ପକାଇ ପ୍ରତିବାଦ କରିଥିଲେ । ଏହି ବିଦ୍ୟାଳୟରେ ବର୍ତ୍ତମାନ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୧୧୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ, ମଣ୍ଡଳ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ବିଦ୍ୟାଳୟର ଅନ୍ୟତମ ଦକ୍ଷ ଶିକ୍ଷୟିତ୍ରୀ ପ୍ରଣତି ରାଉତଙ୍କୁ ଅନ୍ୟତ୍ର ଡେପୁଟେସନରେ ନିଆଯିବା ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଏହା ପୂର୍ବରୁ ଉକ୍ତ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକଙ୍କ ଅଭାବ ରହିଥିବା ବେଳେ, କତୃପକ୍ଷଙ୍କ ଏପରି ଆଦେଶ ଶିକ୍ଷାର୍ଥୀ ଓ ଅଭିଭାବକ ମାନଙ୍କୁ ଘୋର ମନସ୍ଥାପ ମଧ୍ୟକୁ ଠେଲି ଦେଇଛି । ପ୍ରତିବର୍ଷ ଏହି ବିଦ୍ୟାଳୟରୁ ଲଗାତାର ଭାବେ ସରକାରୀ ବୃତ୍ତି, ଆଦର୍ଶ ପରୀକ୍ଷା, ନବୋଦୟ ପରୀକ୍ଷା, ପଠାଣି ସାମନ୍ତ ପରୀକ୍ଷାରେ ଶିକ୍ଷାର୍ଥୀ ମାନେ କୃତିତ୍ୱ ହାସଲ କରୁଥିବା ବେଳେ, ଏପରି ନିଷ୍ପତ୍ତି ବିରୁଦ୍ଧରେ ଏହି ବୈଠକରେ ପ୍ରତିବାଦ କରାଯାଇଛି । ଶିକ୍ଷୟିତ୍ରୀ ପ୍ରଣତି ରାଉତଙ୍କ ବଦଳରେ ଅନ୍ୟ ଏକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ଉକ୍ତ ଶିକ୍ଷକ ଦୀର୍ଘ ସମୟ ଧରି ବିଦ୍ୟାଳୟକୁ ନ ଆସୁଥିବା ବେଳେ, ନିଶାସକ୍ତ ଓ ମଦ୍ୟପାନ କରି ପାଠ ପଢ଼ାଉଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ଶିକ୍ଷୟିତ୍ରୀ ପ୍ରଣତି ରାଉତଙ୍କୁ ଏହି ବିଦ୍ୟାଳୟକୁ ଫେରାଇ ନ ଆଣିବା ସହିତ ଉକ୍ତ ଶିକ୍ଷକଙ୍କ ବଦଳି ଦାବିରେ ଛାତ୍ରଛାତ୍ରୀ ମାନଙ୍କ ସହିତ ଅଭିଭାବକ ମାନେ ରାସ୍ତାରେ ବସି ପ୍ରତିବାଦ କରିଥିଲେ । ଏହି ପ୍ରତିବାଦରେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଗଗନ କୁମାର ରାଉତ, ଲକ୍ଷ୍ମୀଧର ଦାସ, ନାରାୟଣ ବେହେରା, କୃଷ୍ଣଚନ୍ଦ୍ର ବେହେରା, ଗାୟତ୍ରୀ ପାତ୍ର, ସୁଖଲତା ଦାସ, ରବୀନ୍ଦ୍ର ରାଉତ ପ୍ରମୁଖଙ୍କ ସହିତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ରାସ୍ତାରେ ବସି ପ୍ରତିବାଦ କରିଥିଲେ । ଘଟଣା ସମ୍ପର୍କରେ ବାଲିକୁଦା ବ୍ଲକ ଶିକ୍ଷାଧିକାରୀଙ୍କ ସହିତ ଯୋଗାଯୋଗ କରିବାରେ ସେ ଆଜି ଅନ୍ୟ ଏକ ବ୍ଲକ ଦାୟିତ୍ୱରେ ରହିଥିବା ହେତୁ ଘଟଣା ସ୍ଥଳକୁ ଆସି ପାରିବେ ନାହିଁ ବୋଲି ମନା କରି ଦେଇଥିଲେ । ଦୀର୍ଘ ସମୟ ଧରି ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ବିଦ୍ୟାଳୟ ସମ୍ମୁଖ ଦେଇ ଯାଇଥିବା ବୋରିକିନା, ତିତିରା ଓ ସୋମପୁର ରାସ୍ତାକୁ ଅବରୋଧ କରିଥିଲେ । ଯାହା ଫଳରେ କି, ରାସ୍ତାରେ ଯାନବାହାନ ଓ ଜନସାଧାରଣଙ୍କ ଯାତାୟାତ ଠପ ହୋଇ ପଡିଥିଲା । ଖବର ପାଇ ବାଲିକୁଦା ଥାନା କର୍ମଚାରୀ ଓ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସୁଶାନ୍ତ କୁମାର ନାୟକ ଓ ବୋରିକିନା ସର୍କଲର ସିଆରସିସି ବିଜୟ କୁମାର ସେଠୀ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟାଳୟର ଅଭିଭାବକ, ଛାତ୍ରଛାତ୍ରୀ ଓ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହିତ ଆଲୋଚନା କରି ଆସନ୍ତା କାଲି ବ୍ଲକ ଶିକ୍ଷାଧିକାରୀଙ୍କ ଉପସ୍ଥିତିରେ ଉକ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହେବା ସହିତ ବିଦ୍ୟାଳୟରୁ ତାଲା ଖୋଲା ଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ସିଆରସିସି ବିଜୟ କୁମାର ସେଠୀଙ୍କ ଉପସ୍ଥିତରେ ଶ୍ରେଣୀ ଗୃହରେ ପୂର୍ବପରି ପାଠପଢା ଆରମ୍ଭ ହୋଇଥିଲା ।
6