ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସର୍ଦ୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀ ଅବସରରେ "ଏକତା ପଦଯାତ୍ରା" ଅନୁଷ୍ଠିତ

ଢେଙ୍କାନାଳ, 18/11/2025, ଉତ୍କଳ voice news - utkalvoicenews.com( ଢ଼େଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗରରେ ଭାରତର ଏକତାର ପ୍ରତୀକ, ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମଜୟନ୍ତୀ ଉପଲକ୍ଷେ ଭବ୍ୟ “ଏକତା ପଦଯାତ୍ରା” ଅନୁଷ୍ଠିତ ହୋଇଥିଲା । ଜନସାଧାରଣଙ୍କ ଅପାର ସହଭାଗିତା ଓ ଉତ୍ସାହର ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅଞ୍ଚଳବାସୀଙ୍କ ମନରେ ଏକତା, ଦେଶଭକ୍ତି ଓ ସମାଜସେବା ପ୍ରତି ନୂତନ ପ୍ରେରଣା ସୃଷ୍ଟି କରିଥିଲା। ପଦଯାତ୍ରାଟି ମାଳପୁରା ଠାରୁ ଆରମ୍ଭ ହୋଇ ଜିରିଡାମାଳୀ, କଳ୍ପନା କ୍ଲବ ଦେଇ ସାରଙ୍ଗଧର ଷ୍ଟାଡିଅମ ପର୍ଯ୍ୟନ୍ତ ଗମନ କରିଥିଲା। ଏହି ଏକତା ପଦଯାତ୍ରାର ସ୍ଥାନୀୟ ଲୋକ, ବିଭିନ୍ନ ସଂସ୍ଥା, ବିଦ୍ୟାଳୟ ଓ ସ୍ବେଛାସେବୀ ଦଳ ପ୍ରଚୁର ଉତ୍ସାହ ସହ ସ୍ୱଇଚ୍ଛାରେ ଯୋଗଦେଇଥିଲେ। ଏହି ଅବସରରେ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ହୋଇଥିଲେ ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି। ସାଂସଦ ମହୋଦୟ ସର୍ଦ୍ଦାର ପଟେଲଙ୍କ ଜୀବନଦର୍ଶନ, ଲୌହମାନବ ଭାବେ ତାଙ୍କର ଦୃଢ଼ ନେତୃତ୍ୱ, ଦେଶର ଏକତା ଓ ଅଖଣ୍ଡତା ପାଇଁ କରିଥିବା ଅସାଧାରଣ ଅବଦାନ ବିଷୟରେ ଆଲୋକପାତ କରି ଯୁବପିଢ଼ୀକୁ ତାଙ୍କ ଆଦର୍ଶ ଅନୁସରଣ କରିବାର ପ୍ରେରଣା ଦେଇଥିଲେ। ସେ କହିଥିଲେ ଯେ, ସର୍ଦ୍ଦାର ପଟେଲଙ୍କ ଦେଶନିର୍ମାଣରେ ଅଦ୍ୱିତୀୟ ଏବଂ ଦୃଷ୍ଟିଭଙ୍ଗୀମୟ ଭୂମିକା ବିନା ଆଧୁନିକ ଭାରତର କଳ୍ପନା ସମ୍ଭବ ନଥିଲା । ତାଙ୍କ ଦେଶପ୍ରେମ, ସଦ୍‌ଗୁଣ ଓ ନିଷ୍ଠାର ମୂଲ୍ୟବୋଧ ଆଜିର ଯୁଗରେ ମଧ୍ୟ ସମାନ ଭାବେ ପ୍ରାସଙ୍ଗିକ ଅଟେ। କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ହୋଇଥିଲେ କାମାକ୍ଷାନଗର ବିଧାୟକ ଶ୍ରୀ ଶତ୍ରୁଘ୍ନ ଜେନା, ପରଜଙ୍ଗ ବିଧାୟକ ଶ୍ରୀ ବିଭୂତି ଭୂଷଣ ପ୍ରଧାନ, ଢେଙ୍କାନାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ଏବଂ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠି। ସମସ୍ତ ଅତିଥିମାନେ ସର୍ଦ୍ଦାର ପଟେଲଙ୍କ ଚିନ୍ତାଧାରା, ସମାଜସେବାପ୍ରତି ତାଙ୍କ ନିଷ୍ଠା ଓ ରାଷ୍ଟ୍ର ପ୍ରତି ତାଙ୍କ ଅବଦାନକୁ ଉଦ୍ଧୃତ କରି ଆଜିର ପିଢ଼ୀକୁ ନୈତିକତା, ଶିଷ୍ଟାଚାର ଓ ଦେଶପ୍ରେମରେ ଅଗ୍ରସର ହେବାକୁ ଆହ୍ୱାନ କରିଥିଲେ। ବିଧାୟକ ଶ୍ରୀ ଶତ୍ରୁଘ୍ନ ଜେନା କହିଥିଲେ ଯେ, ସର୍ଦ୍ଦାର ପଟେଲଙ୍କ ଏକତାର ପଥ ଆଜିର ସାମାଜିକ ପରିପ୍ରେକ୍ଷିରେ ଅଧିକ ଆବଶ୍ୟକ। ତାଙ୍କ ଦୃଢ଼ ସଂକଳ୍ପ ଓ ଦେଶପ୍ରେମର ଶିକ୍ଷା ସମାଜକୁ ହିଂସା, ଅସମାନତା ଓ ବିଭେଦରୁ ଦୂରେ ରଖିବାରେ ସାହାଯ୍ୟ କରେ। ପରଜଙ୍ଗ ବିଧାୟକ ଶ୍ରୀ ବିଭୂତି ଭୂଷଣ ପ୍ରଧାନ ସର୍ଦ୍ଦାର ପଟେଲଙ୍କ ଦୃଷ୍ଟିକୋଣକୁ “ଦେଶର ଅଖଣ୍ଡତାର ମନ୍ତ୍ର” ବୋଲି ବର୍ଣ୍ଣନା କରିଥିଲେ। ଜିଲ୍ଳା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ଏବଂ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠି ଗ୍ରାମ୍ୟ ଉନ୍ନୟନ, ଯୁବଶକ୍ତିର ସଠିକ୍ ନେତୃତ୍ୱ ଓ ସମାଜସେବାରେ ସାମୁହିକ ଏକତାର ଭୂମିକା ବିଷୟରେ ଆଲୋଚନା କରିଥିଲେ। ସେମାନେ କହିଥିଲେ ଯେ, ଯୁବପିଢ଼ୀ ଯଦି ସର୍ଦ୍ଦାର ପଟେଲଙ୍କ ଆଦର୍ଶରୁ ପ୍ରେରିତ ହୋଇ ଦେଶଗଠନରେ ଅଂଶଗ୍ରହଣ କରିବେ, ତେବେ ଆଗାମୀ ଭାରତ ଅଧିକ ସୁସଂଗଠିତ ଓ ସମୃଦ୍ଧ ହେବ। କାମାକ୍ଷାନଗରର ଏହି ଏକତା ପଦଯାତ୍ରାରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସ୍ବେଛାସେବୀ ସଂଗଠନ, କ୍ରୀଡ଼ାବିତ, ସମ୍ପୃକ୍ତ ବିଭାଗର ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ । ଶେଷ ସମାରୋହରେ ଅତିଥିମାନଙ୍କ ଉପସ୍ଥିତିରେ ଦେଶର ଏକତା ଓ ସମୃଦ୍ଧି ପାଇଁ ସମୁହିକ ଶପଥ ଗ୍ରହଣ କରାଯାଇଥିଲା। ପଦଯାତ୍ରାର ପ୍ରାରମ୍ଭରେ ମା ପାଇଁ ଗଛଟିଏ ଅଭିଯାନ ଅନ୍ତର୍ଗତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଇଥିଲା l ପଦଯାତ୍ରାର ଶେଷରେ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ସମସ୍ତ ଅଂଶଗ୍ରହୀମାନଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ, ସର୍ଦ୍ଦାର ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଏହି ପଦଯାତ୍ରା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଆମ ଦେଶର ସାର୍ବଭୌମତା, ଅଖଣ୍ଡତା ଓ ଏକତାର ମୂଲ୍ୟବୋଧକୁ ପୁନଃ ସ୍ମରଣ କରାଇଥାଏ
5