ବୁଗୁଡ଼ା, 13/12/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :

ବୁଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିନ୍ମୟ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡିଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ମୋଟ ୫୫ ଜଣ ଛାତ୍ରୀଛାତ୍ର ଗୋଟିଏ ଦିନରେ ବିଭିନ୍ନ ବିଦ୍ୟାଳୟରେ ପୁଣି ନାମ ଲେଖାଇଛନ୍ତି। ସେଥି ମଧ୍ୟରୁ ୩୩ ଜଣ ଛାତ୍ରୀ ଛାତ୍ର ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନରେ ନାମ ଲେଖାଇଥିବା ବେଳେ ଅବଶିଷ୍ଟ ୨୨ ଜଣ ବିଭିନ୍ନ ବିଦ୍ୟାଳୟକୁ ଫେରିଛନ୍ତି। ଏହା ପୂର୍ବରୁ ଅଧାରୁ ପାଠ ଛାଡିଥିବା ୧୨ ଜଣ ଭିନ୍ନକ୍ଷମ ଛାତ୍ରୀଛାତ୍ର ମଧ୍ୟ ବିଭିନ୍ନ ବିଦ୍ୟାଳୟରେ ନାମ ଲେଖାଇବା ସହ ସରକାରଙ୍କ ତରଫରୁ ମିଳୁଥିବା ସମସ୍ତ ପ୍ରକାର ସୁବିଧା ସୁଯୋଗକୁ ସୁନିଶ୍ଚିତ କରାଯାଇଛି । ଆଗାମୀ ଦିନରେ ଅଧାରୁ ପାଠ ଛାଡିଥିବା ସମସ୍ତ ଶିକ୍ଷାର୍ଥୀଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କାର୍ଯ୍ୟକ୍ରମ ଜାରି ରହିବା ସହିତ ପରବର୍ତ୍ତୀ ସମୟରେ କୌଣସି ଶିଶୁ ଯେପରି ଅଧାରୁ ପାଠ ନ ଛାଡନ୍ତି ସେଥି ପ୍ରତି ଧ୍ୟାନ ଦିଆଯିବ ବୋଲି ଭାମଶିଆଳି ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିକ୍ରିୟା ରଖିଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ। ଏହି କାର୍ଯ୍ୟକ୍ରମରେ ଏବିଇଓ ଅମିତା କୁମାରୀ ପାଢ଼ୀ ଓ କୃଷ୍ଣ ଚନ୍ଦ୍ର ବେହେରାଙ୍କ ସମେତ ସମସ୍ତ ସିଆରସିସି, ଗୋଷ୍ଠୀ ସମ୍ବଳ ଶିକ୍ଷକ, ପ୍ରଧାନ ଶିକ୍ଷକ ଓ ଅଫିସ କର୍ମଚାରୀଙ୍କ ଆନ୍ତରିକ ପ୍ରଚେଷ୍ଟା ଦ୍ଵାରା ଏହା ସମ୍ଭବ ହୋଇପାରିଛି ।