ବୁଗୁଡ଼ା, 16/12/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ଦୀର୍ଘ ଦିନ ଧରି ଚାଲିଆସୁଥିବା ଚୋରା ଅଫିମ (କଳା ଜହର) କାରବାର ଉପରେ ଅବକାରୀ ପୋଲିସ ଚଢ଼ାଉ କରି ଜଣେ ବ୍ୟବସାୟୀଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ଅଫିମ ଜବତ କରିଛି।ସୂଚନା ଅନୁଯାୟୀ, ଅଫିମ ଚୋରା ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବୁଗୁଡ଼ା ଅବକାରୀ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସେନାପତିଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ଘଟଣାସ୍ଥଳରୁ ୧ କେଜି ୨୫୦ ଗ୍ରାମ ଓଜନର ଅଫିମ ଜବତ କରାଯାଇଛି। ଏହା ସହିତ ଅଭିଯୁକ୍ତଙ୍କ ନିକଟରୁ ନଗଦ ୧ ଲକ୍ଷ ୨୮ ହଜାର ଟଙ୍କା ଏବଂ ଗୋଟିଏ ବାଜାଜ ବାଇକକୁ ମଧ୍ୟ ବିଭାଗ ଜବତ କରିଛି।ଗିରଫ ହୋଇଥିବା ବ୍ୟକ୍ତି ଜଣକ ବୁଗୁଡ଼ା ଥାନା ଅନ୍ତର୍ଗତ କୁଆନଳା ଗ୍ରାମର ଶିବରାମ ପଣ୍ଡା ବୋଲି ଜଣାପଡିଛି। ସେ ଦୀର୍ଘ ଦିନ ଧରି ଏହି ବେଆଇନ କାରବାରରେ ଲିପ୍ତ ଥିବା ସନ୍ଦେହ କରାଯାଉଛି।ଘଟଣା ସମ୍ପର୍କରେ ବୁଗୁଡ଼ା ଅବକାରୀ ଥାନା ଅଧିକାରୀ ଶ୍ରୀ ସେନାପତି କହିଛନ୍ତି ଯେ, ଜବତ ହୋଇଥିବା ଏହି କଳା ଜହର କେଉଁଠାରୁ ଆସୁଥିଲା ଏବଂ ଏହି ବ୍ୟବସାୟର ଚେର କେଉଁ ପର୍ଯ୍ୟନ୍ତ ବ୍ୟାପିଛି, ସେ ନେଇ ଅଧିକ ତଦନ୍ତ ଜାରି ରହିଛି।