ରାୟଗଡ଼ା, 17/12/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
ରାଜ୍ୟରେ ଆଞ୍ଚଳିକ ବୈଷମ୍ୟତାକୁ ବିରୋଧ ଏବଂ ବିକାଶର ବିକେନ୍ଦ୍ରୀକରଣ ଦାବିନେଇ ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚ ପକ୍ଷରୁ ମଞ୍ଚ ଆବାହକ ଗୌରଚନ୍ଦ୍ର ତ୍ରିପାଠୀଙ୍କ ନେତୃତ୍ବରେ ଏକ ଶାନ୍ତିପୂର୍ଣ୍ଣ ଧର୍ମଘଟ ଅନୁଷ୍ଠିତ ହୋଇଯାଇଛି । ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ ଓ ସଂଯୋଗ କ୍ଷେତ୍ରରେ ଦ୍ରୁତ ଉନ୍ନତି ଦେଖାଯାଇଛି । ବିଶ୍ୱବିଦ୍ୟାଳୟ, ଭେଷଜ ମହାବିଦ୍ୟାଳୟ ଏବଂ ବୃହତ୍ ଶିଳ୍ପ ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ପୂର୍ବରୁ ବିକଶିତ ଏହି ଅଞ୍ଚଳଗୁଡ଼ିକରେ ହିଁ କେନ୍ଦ୍ରିଭୁତ । ଅଥଚ ପ୍ରାକୃତିକ ସମ୍ପଦ ଓ ସମୃଦ୍ଧ ସାଂସ୍କୃତିକ ଐତିହ୍ୟରେ ପୂର୍ଣ୍ଣ ଥିବା ସତ୍ତ୍ୱେ, ଅବିଭକ୍ତ କୋରାପୁଟ ଜିଲ୍ଲା ମୌଳିକ ସୁବିଧା ସୁଯୋଗରୁବି ବଞ୍ଚିତ ।

ରାଜ୍ୟ ବଜେଟର ବୃହତ ଅଂଶ ପୂର୍ବରୁ ସମୃଦ୍ଧଶାଳୀ ଜିଲ୍ଲା ମାନଙ୍କରେ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ପ୍ରଦାନରେ ବ୍ୟୟ କରାଯାଉଥିବା ବେଳେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ସାକ୍ଷରତା ହାର ଜାତୀୟ ହାରଠାରୁ ବହୁତ କମ୍; ଗୁଣାତ୍ମକ ଶିକ୍ଷା ସାଧାରଣ ଲୋକଙ୍କ ପାଇଁ ଅପହଞ୍ଚ । ସଡ଼କ ଓ ରେଳ ଯୋଗାଯୋଗ ଅତ୍ୟନ୍ତ ଦୁର୍ବଳ; ସ୍ୱାସ୍ଥ୍ୟ ସୁବିଧା ଅପର୍ଯ୍ୟାପ୍ତ ଏବଂ ବିଦ୍ୟୁତ୍ ଯୋଗାଣ ଅସ୍ଥିର । ରାଜ୍ୟ ମନ୍ତ୍ରୀମଣ୍ଡଳରେ ସଠିକ ରାଜନୈତିକ ପ୍ରତିନିଧିତ୍ୱ ଏବଂ ପ୍ରଭାବଶାଳୀ ନେତୃତ୍ବର ଅଭାବ ଯୋଗୁଁ , ଏହି ଜିଲ୍ଲାଗୁଡ଼ିକ ତାଙ୍କର ଯଥୋଚିତ ବିକାଶରୁ ବଞ୍ଚିତ ହୋଇ ରହିଛନ୍ତି ।
ପୂର୍ବରୁ ୨୦୨୨ ମସିହାରେ ନୀତି ଆୟୋଗ ପକ୍ଷରୁ ଏକ ବିବରଣୀ ଅନୁସାରେ ଅବିଭକ୍ତ କୋରାପୁଟ ଜିଲ୍ଲା ଅନ୍ତର୍ଗତ ଚାରିଟି ଜିଲ୍ଲା ଜୀବନ ମାନଦଣ୍ଡ ଅନୁସାରେ ସବୁଠାରୁ ଅତି ଅନୁନ୍ନତ ଥାଇ ରେଡ ଜୋନରେ ଥିଲା । ପୁନଃଶ୍ଚ ମାର୍ଚ୍ଚ ୨୦୨୫ରେ ସେଇ ନୀତି ଆୟୋଗ ଦ୍ବାରା ପ୍ରକାଶିତ ରିପୋର୍ଟ ମାଲକାନଗିରି, ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାକୁ ଦେଶର “ସବୁଠାରୁ ପଛୁଆ” ଜିଲ୍ଲା ଭାବେ ପରିଗଣିତ କରି ପୁନର୍ବାର ରେଡ ଜୋନ ରେ ରଖିଛି ଓ ଗଭୀର ଅସମତାକୁ ପ୍ରକାଶ କରିଛି । ବର୍ଷ ବର୍ଷ ଧରି ଅବହେଳିତ ଏବଂ ଉପେକ୍ଷିତ ଏହି ଅଞ୍ଚଳବାସୀ ନିଜ ରାଜ୍ୟରେ ନିଜକୁ ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବରେ ମନେ କରୁଛନ୍ତି ଏବଂ ସରକାରଙ୍କ ଏହି ବୈମାତୃକ ମନୋଭାବ ଅଞ୍ଚଳ ବାସୀଙ୍କୁ ଗଭୀର ଭାବରେ ବ୍ୟଥିତ କରିଛି ।
ଏହାଛଡ଼ା ଦୁର୍ବଳ ରାଜନୈତିକ ପ୍ରତିନିଧିତ୍ୱ ଏବଂ ନିର୍ବାଚିତ ଜନ ପ୍ରତିନିଧିଙ୍କ ଉଦାସୀନ ମନୋଭାବ ଯୋଗୁଁ , ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ଦୁଃଖଦୁର୍ଦ୍ଦଶାର ବାସ୍ତବ ଚିତ୍ର ସରକାରଙ୍କ ଦୃଷ୍ଟିଗୋଚର ହୋଇପାରୁନାହିଁ । ଆଦିବାସୀ ଓଡ଼ିଶାର ଯନ୍ତ୍ରଣା ଓ ବେଦନାର କାହାଣୀ ସରକାରଙ୍କ କର୍ଣ୍ଣଗୋଚର ହେବାର ସୁନିଶ୍ଚିତ କରିବା ପାଇଁ ଏବଂ ରାଜ୍ୟରେ ଆଞ୍ଚଳିକ ବୈଷମ୍ୟତା ଦୂରୀକରଣ ଦାବିନେଇ ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚ ପକ୍ଷରୁ ଏହି ଶାନ୍ତିପୂର୍ଣ୍ଣ ସିଟ-ଇନ-ଧର୍ମଘଟ କରା ଯାଇଥିଲା ।
ଏହି ଧର୍ମଘଟରେ ଅନ୍ୟମାନଙ୍କ ମଧ୍ୟରେ ମଞ୍ଚର ସକ୍ରିୟ ସଦସ୍ୟ ଶ୍ରୀ ଗୁପ୍ତେଶ୍ୱର ପାଣିଗ୍ରାହୀ ଏବଂ ରାୟଗଡର ଜଣାଶୁଣା ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ଡ଼ଃ ବାଦଲ କୁମାର ତା, ବରିଷ୍ଠ ସାମ୍ବାଦିକ ଦୀପକ ପୃଷ୍ଟି, ରାଜନେତା ଦୁର୍ଗା ପ୍ରସାଦ ପଣ୍ଡା, ଝୁନା ପଣ୍ଡା, ସନ୍ତୋଷ ଦଳେଇ, କିଶୋର ପଣ୍ଡା, ଭିନ୍ନକ୍ଷମ ମହାସଂଘର ଶିଶିର ରାଉଳ ଏବଂ ଅମରେନ୍ଦ୍ର ନାଥ ଯୋଗ ଦେଇଥିଲେ । ଏହିପରି ଧର୍ମଘଟ ଆଗାମୀ ୨୨ ତାରିଖରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଜ୍ୟାଳୟ ସମ୍ମୁଖରେ କରାଯିବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତ୍ଯେକ ପଂଚାୟତ ସ୍ତରଯାଏଁ ବ୍ୟାପକ କରାଯିବ ବୋଲି ଶ୍ରୀଯୁକ୍ତ ତ୍ରିପାଠୀ ସୂଚନା ଦେଇଛନ୍ତି ।
Dr.Badal kumar Tah
Correspondent
The Pioneer(English Daily)
Barijhola
Via-Sugar Factory
Rayagada-765 002
Odisha[India]
Cell- 094375 78468
email- badal.kumar.tah@gmail.com