ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦିବଂଗତ ସରପଞ୍ଚ ସରୋଜ କୁମାର ସେଠିଙ୍କୁ ମରଣୋତ୍ତର ପ୍ରତିଭା ସମ୍ମାନ

ରାହାମା, 20/01/2026, ଉତ୍କଳ voice news - utkalvoicenews.com( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :
Article Image
ସାଇଲୋ ପଞ୍ଚାୟତର ପ୍ରିୟ ଜନସେବକ ତଥା ଦିବଂଗତ ସରପଞ୍ଚ ସରୋଜ କୁମାର ସେଠିଙ୍କ ସ୍ମୃତିରେ ତାଳପଡ଼ା ମକର ମେଳା ମଞ୍ଚରେ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସରୋଜ ଭାଇଙ୍କ ବହୁମୁଖୀ ପ୍ରତିଭା ଓ ସମାଜସେବାକୁ ସମ୍ମାନ ଜଣାଇ ‘ଟାଇଟାନିକ ଡ୍ରାମାଟିକ କ୍ଲବ’ ପକ୍ଷରୁ ତାଙ୍କୁ ଚଳିତ ବର୍ଷର ‘ମରଣୋତ୍ତର ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଛି। ସ୍ୱର୍ଗତ ସେଠିଙ୍କ ପିତା ଶ୍ରୀନାଥ ସେଠି ଏବଂ ପୁତ୍ର ଅରିୟାନ ଏହି ସମ୍ମାନ ଗ୍ରହଣ କରିଥିଲେ। ସମ୍ମାନ ପ୍ରଦାନ ବେଳେ ଉପସ୍ଥିତ ହଜାର ହଜାର ଜନତାଙ୍କ ଆଖି ଲୁହରେ ଭିଜିଯାଇଥିଲା।ସୂଚନା ଅନୁଯାୟୀ, ସ୍ୱର୍ଗତ ସରୋଜ ସେଠି ନିଜେ ‘ଟାଇଟାନିକ ଡ୍ରାମାଟିକ କ୍ଲବ’ର ପ୍ରତିଷ୍ଠା କରିବା ସହ ଜଣେ ନିଖୁଣ ଅଭିନେତା ଭାବେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ସରପଞ୍ଚ ଭାବେ କାର୍ଯ୍ୟରତ ଥିବା ସମୟରେ ଅସୁସ୍ଥତା ସତ୍ତ୍ୱେ ସେ ସେବା କାର୍ଯ୍ୟରୁ କେବେ ପଛଘୁଞ୍ଚା ଦେଇନଥିଲେ। ମୁମ୍ବାଇରେ ଚିକିତ୍ସିତ ହୋଇ ଫେରିବା ପରେ ମଧ୍ୟ ନିଜେ ମଞ୍ଚକୁ ଓହ୍ଲାଇ ନପାରିଲେ ବି କଳାକାର ମାନଙ୍କୁ ସବୁବେଳେ ଉତ୍ସାହିତ କରୁଥିଲେ। ମଞ୍ଚ ଉପରେ ତାଙ୍କର ସେହି ଅଭୁଲା ସଂଳାପ— “ହେ ମୃତ୍ୟୁ! ଥରେ ମୋତେ ଆଲିଙ୍ଗନ କରି ଦେଖ ମୁଁ କେମିତି ଅଛି” ଆଜି ବି ତାଳପଡ଼ା ମାଟିରେ ପ୍ରତିଧ୍ୱନିତ ହେଉଛି। ଯାତ୍ରା ଆରମ୍ଭ ପୂର୍ବରୁ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ପରେ କ୍ଲବ ପକ୍ଷରୁ ନାଟକ ‘ହାଃ କୃଷ୍ଣ’ ପରିବେଷିତ ହୋଇଥିଲା। ସ୍ୱର୍ଗତ ସେଠିଙ୍କ ଅକାଳ ବିୟୋଗ ସମଗ୍ର ସାଇଲୋ ପଞ୍ଚାୟତ ତଥା ଆଖପାଖ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମଞ୍ଚରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଟାଇଟାନିକ ଡ୍ରାମାଟିକ କ୍ଲବର ସମସ୍ତ କର୍ମକର୍ତ୍ତା ଓ ସ୍ଥାନୀୟ ଜନସାଧାରଣଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମଟି ଅତ୍ୟନ୍ତ ଭାବବିହ୍ୱଳ ପରିସ୍ଥିତିରେ ସମ୍ପନ୍ନ ହୋଇଥିଲା।
6