ଏରସମା, 30/01/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଫ୍ରେଣ୍ଡ୍ସ କ୍ଲବର ୯୬ ତମ ବାର୍ଷିକ ମହୋତ୍ସବ ଅବସରରେ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସେଠୀଙ୍କୁ “ନାଟ୍ୟ ସୌରଭ” ସମ୍ମାନରେ ସମ୍ମାନିତ କରାଯାଇଛି। କ୍ଲବର ସଭାପତି ଡ଼କ୍ଟର ସଞ୍ଜୟ କୁମାର ବିଶ୍ୱାଳ ଓ ବାଲିକୁଦା ଏରସମାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସେଠୀଙ୍କର ନିର୍ଦ୍ଦେଶନା ଶୈଳୀକୁ ଭୁୟସୀ ପ୍ରଶଂସା କରିବା ସହିତ ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ।
ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସେଠୀ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ସରସଦା ଗ୍ରାମ ପଞ୍ଚାୟତ ଅଧିନସ୍ଥ ପିରିପୁର ଗ୍ରାମର ଶ୍ରୀମତୀ ଉମାମଣୀ ସେଠୀ ଓ କାହ୍ନୁ ଚରଣ ସେଠୀଙ୍କର ମଧ୍ୟମ ପୁତ୍ର ଅଟନ୍ତି। ପିଲାଟି ଦିନରୁ ପ୍ରଶାନ୍ତ ସେଠୀ ବକ୍ତୃତା, ନାଟକରେ ରୁଚି ରଖୁଥିଲା ବେଳେ ସେ ପରବର୍ତ୍ତୀ ସମୟରେ ଅନେକ ସାମାଜିକ ନାଟକ ରଚନା କରିବା ସହିତ ବହୁ ନାଟକର ନିର୍ଦ୍ଦେଶନା ଦେଇ ଦର୍ଶକମାନଙ୍କର ପ୍ରଶଂସା ପାତ୍ର ହୋଇଛନ୍ତି। ସଦ୍ୟ ନିର୍ଦ୍ଦେଶିତ ନାଟକ “ବାବୁ ମୁଠେ ଭିକ ଦିଅ” ନାଟକଟି ଏରସମା ଜନସାଧାରଣଙ୍କୁ ବେଶ ଆକୃଷ୍ଟ କରିଥିଲା। ଶ୍ରୀଯୁକ୍ତ ସେଠୀ ଏକ ଧାରାରେ ଜଣେ ସୁଵକ୍ତା, ସୁସାହିତ୍ୟ, ସଂଗଠକ ଓ ବହୁ ସାରସ୍ୱତ ଅନୁଷ୍ଠାନ ସହିତ ଓତପ୍ରୋତ ଭାବେ ଜଡିତ। ତାଙ୍କର କବିତା ଗୁଡିକ ମାର୍ମିକ, ହୃଦୟସ୍ପର୍ଶୀ ଓ ସଚେତନଧର୍ମୀ। ଏରସମାଠାରେ ନୂତନ ଭାବେ ଗଢି ଉଠିଥିବା ମଦର୍ସ ଇଂଲିଶ ମିଡିୟମ ସ୍କୁଲର ସେ ପ୍ରତିଷ୍ଠାତା ସମ୍ପାଦକ। ଏଭଳି ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ପ୍ରଶାନ୍ତ କୁମାର ସେଠୀଙ୍କୁ “ନାଟ୍ୟ ସୌରଭ” ସମ୍ମାନରେ ସମ୍ମାନିତ କରି ଅନୁଷ୍ଠାନ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହିତ ଯୁବ ସମାଜ ପାଇଁ ପ୍ରେରଣା ବୋଲି ପ୍ରକାଶ କରିଛନ୍ତି.