ରାୟଗଡ଼ା, 31/01/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
ଆନ୍ଧ୍ର ପ୍ରଦେଶର ତିରୁପତି ମହତ୍ତି ଅଡିଟୋରିୟମ୍ରେ ୩୦.୦୧.୨୬ ତାରିଖରେ ଆୟୋଜିତ ଏକ ଗରିମାମୟ ସମାରୋହରେ ଶ୍ରୀପତି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରାୟଗଡ଼ାର ସ୍ୱର୍ଗ ଧାମ ସେବା ସହିତ ସଂପୃକ୍ତ ତାଲା ଲୋକେଶ୍ୱରୀ (ଆଶା) ଓ ତାଙ୍କ ସହଯୋଗୀ ଟି. ଲୋକେଶ କୁମାରଙ୍କୁ ସମାଜ ସେବା କ୍ଷେତ୍ରରେ ତାଙ୍କର ଅମୂଲ୍ୟ ଅବଦାନ ପାଇଁ ସମ୍ମାନିତ କରାଯାଇଛି।
ତାଲା ଲୋକେଶ୍ୱରୀ ରାୟଗଡ଼ା ସରକାରୀ ଚିକିତ୍ସାଳୟର ଜଣେ ଚତୁର୍ଥ ଶ୍ରେଣୀର କର୍ମଚାରୀ ହେବା ସତ୍ତ୍ୱେ ନିଜ ସୀମିତ ଦରମାରୁ ମାନବିକତାର ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କରିଆସୁଛନ୍ତି। ସେ ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଅନାଥ ମୃତଦେହଙ୍କୁ ହିନ୍ଦୁ ରୀତି-ନୀତି ଅନୁଯାୟୀ ନିଜସ୍ୱ ଖର୍ଚ୍ଚରେ ଶୋଭନ ଭାବରେ ଶବଦାହ କରି ସମାଜରେ ଉଚ୍ଚ ପ୍ରଶଂସା ଲାଭ କରିଛନ୍ତି।
ତାଙ୍କ ସହଯୋଗୀ ଟି. ଲୋକେଶ କୁମାର ମଧ୍ୟ ଏହି ମାନବିକ କାର୍ଯ୍ୟରେ ଦୀର୍ଘଦିନ ଧରି ସହଯୋଗ ଓ ସମର୍ପଣ ଭାବନାର ସହିତ କାର୍ଯ୍ୟ କରିଆସୁଛନ୍ତି।
ଏହି ସମାରୋହରେ ଶ୍ରୀପତି ଚାରିଟେବୁଲ ଟ୍ରଷ୍ଟର ପଦାଧିକାରୀ, ବିଭିନ୍ନ ସମାଜସେବୀ ଓ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ଏବଂ ଦୁହେଁଙ୍କର ନିଷ୍କାମ ସେବାକୁ ଉଚ୍ଚ ପ୍ରଶଂସା କରିଥିଲେ।