କେନ୍ଦ୍ରାପଡ଼ା / ଗୋପ (ପୟରା), 03/02/2026, ଉତ୍କଳ voice news - utkalvoicenews.com( ରାକେଶ କୁମାର ଙ୍କ ରିପୋର୍ଟ ) :
ଓଡ଼ିଶାର ବରିଷ୍ଠ ବୈଜ୍ଞାନିକ, ଶିକ୍ଷାବିଦ୍ ଓ ପ୍ରଶାସକ ଡ଼. ରବୀନ୍ଦ୍ରନାଥ ନାୟକଙ୍କ ୮୨ ବୟସରେ ପରଲୋକ ଘଟିଛି। ବାର୍ଦ୍ଧକ୍ୟଜନିତ ରୋଗରେ କିଛି ଦିନ ଧରି ପୀଡ଼ିତ ଥିବା ଡ଼. ନାୟକ ସରସ୍ୱତୀ ପୂଜା ରାତି ୩ ଟା ୪୫ ମିନିଟ ସମୟରେ ନିଜ ବାସଭବନ ଏବଂ ମୋ ଗାଁ ତାଙ୍କ ନିଜ ଜନ୍ମ ମାଟି ପୟରା ଗ୍ରାମରେ ପରଲୋକ ପ୍ରାପ୍ତ କରିଥିଲେ। ତାଙ୍କ ବିୟୋଗରେ ରାଜ୍ୟର ବୈଜ୍ଞାନିକ, ଶିକ୍ଷାନୁଷ୍ଠାନ, ବୁଦ୍ଧିଜୀବୀ ଓ ପୟରା ଗ୍ରାମବାସୀ ଙ୍କ ମହଳରେ ଗଭୀର ଶୋକର ଛାୟା ପଡ଼ିଛି।
ଡ଼. ନାୟକ ଦୀର୍ଘ ବର୍ଷ ଧରି ଓଡ଼ିଶା ମାଟିରେ କାର୍ଯ୍ୟରତ ରହି ଏକାଧିକ ଗବେଷଣା କାର୍ଯ୍ୟରେ ନିଜକୁ ସମର୍ପିତ କରିଥିଲେ। ବୈଜ୍ଞାନିକ କ୍ଷେତ୍ରରେ ତାଙ୍କର ଅବଦାନ ଅମୂଲ୍ୟ ଓ ଚୀର ସ୍ମରଣୀୟ ହୋଇଛି ରହିବ। ତାଙ୍କର ନେତୃତ୍ୱ ଓ ଦିଗ୍ଦର୍ଶନରେ ଅନେକ ଯୁବ ବୈଜ୍ଞାନିକ ଗଢ଼ିଉଠିଥିଲେ। ବୈଜ୍ଞାନିକ ମହଲରେ ସେ ଜଣେ ସମ୍ମାନିତ, ସଂୟମୀ ଓ ଆଦର୍ଶ ବ୍ୟକ୍ତିତ୍ୱ ଭାବେ ପରିଚିତ ଥିଲେ।
ଅଣୁଜୀବ ବିଜ୍ଞାନୀ ପ୍ରଫେସର ଡ଼. ରବୀନ୍ଦ୍ରନାଥ ନାୟକ ଭୁବନେଶ୍ୱର ନିକଟସ୍ଥ ଜଟଣୀରେ ଅବସ୍ଥିତ ନାଇଜର (NISER) ଭଳି ଆନ୍ତର୍ଜାତୀୟ ମାନଙ୍କ ଗବେଷଣା ପ୍ରତିଷ୍ଠାନ ସ୍ଥାପନା ପାଇଁ ଯେଉଁ କେତେଜଣ ବୈଜ୍ଞାନିକ ଅକ୍ଳାନ୍ତ ପ୍ରୟାସ କରିଥିଲେ, ସେମାନଙ୍କ ମଧ୍ୟରେ ଡ଼. ନାୟକ ଅନ୍ୟତମ। ସେ ନାଇଜରର ଅଣୁଜୀବ ବିଜ୍ଞାନ ବିଭାଗର ଅଧ୍ୟକ୍ଷ ଭାବେ ଦୀର୍ଘ ସମୟ ଦାୟିତ୍ୱ ନିର୍ବାହ କରିଥିଲେ।

ଆମେରିକାରେ କର୍କଟ ରୋଗ ଉପରେ ଉଚ୍ଚତର ଗବେଷଣା କରି ସେଠାକାର ସରକାରଙ୍କ ଠାରୁ ପ୍ରୋତ୍ସାହନ ମିଳିଥିବା ସତ୍ତ୍ୱେ ଡ଼. ନାୟକ ଦେଶସେବାର ଆହ୍ୱାନରେ ଭାରତକୁ ଫେରିଆସିଥିଲେ। ପରେ ସେ ବେଙ୍ଗାଳୁରୁସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନରେ (IISc) ଜୀବକୋଷ ବିଜ୍ଞାନ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ଗ୍ରହଣ କରି ଗବେଷଣା ମାଧ୍ୟମରେ ଟୀକାକରଣ କ୍ଷେତ୍ରକୁ ନୂତନ ଦିଗ ଦେଖାଇଥିଲେ।
ଅବସର ଗ୍ରହଣ ପରେ ସେ Institute of Physics, Institute of Life Sciences ଓ NISERର ପରିଚାଳନା କମିଟି ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ଏହା ସହିତ ନିଜ ଜନ୍ମମାଟି ଗୋପ ବ୍ଲକ ଅନ୍ତର୍ଗତ ପୟରା ଗାଁରେ ବସବାସ କରି ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ପାଇଁ ନିଷ୍କାମ ଭାବେ କାମ କରୁଥିଲେ। ସ୍ଥାନୀୟ ସ୍କୁଲର ଛାତ୍ରଛାତ୍ରୀମାନେ ଥିଲେ ତାଙ୍କର ନିକଟତମ ସାଥୀ। କିଛି ବର୍ଷ ପୂର୍ବେ ସେ ମୋର ଶିକ୍ଷାନୁଷ୍ଠାନ ଆର୍ଯ୍ୟ ସ୍କୁଲ ଅଫ ମ୍ୟାନେଜେମେଣ୍ଟ ଓ ଆଇଟି କୁ ମୁଖ୍ୟ ଅତିଥି ଭାବେ ଆସି, ମ୍ୟାନେଜମେଣ୍ଟ ଓ କମ୍ପୁଟର ସାଇନ୍ସ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ସହିତ ମ୍ୟାନେଜମେଣ୍ଟ ଓ କମ୍ପୁଟର ପ୍ରଯୁକ୍ତିକୁ କିପରି ସଫଳ ଭାବେ ସଂଯୋଜନ କରାଯାଇପାରିବ, ସେଥିରେ ଗଭୀର ଆଲୋକପାତ କରିଥିଲେ। ଏବଂ ଆଜିର ଏକାଦଶହ ଦିନରେ ଆର୍ଯ୍ୟ ସ୍କୁଲର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ମାନେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କଇଛନ୍ତି l
ଡ଼. ନାୟକଙ୍କ ବିୟୋଗରେ ବିଭିନ୍ନ ବୈଜ୍ଞାନିକ, ଶିକ୍ଷାନୁଷ୍ଠାନ, ସାମାଜିକ ସଂସ୍ଥା ଓ ବୁଦ୍ଧିଜୀବୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଗତକାଲି ତାଙ୍କର ଦଶାହ କାର୍ଯ୍ୟରେ ପୟରା ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମବାସୀ ସାମିଲ ହୋଇ ସମସ୍ତ କାର୍ଯ୍ୟ ସୁଚାରୁ ଓ ସୁସଂଘଟିତ ଭାବେ ସମ୍ପାଦନ କରିଥିଲେ। ଶୋକାକୁଳ ପରିବାରବର୍ଗ, ଆତ୍ମୀୟସ୍ୱଜନ ଓ ଶୁଭେଚ୍ଛୁମାନଙ୍କ ପ୍ରତି ସମସ୍ତଙ୍କର ଗଭୀର ସମବେଦନା। ଆଜିର ଏକାଦଶାହ ଉପଲକ୍ଷେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଅଛୁ ।