କାଶୀପୁର, 12/02/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*

କାଶୀପୁର ବ୍ଲକର କଂସାରୀଗୁଡା ଗ୍ରାମ ଶିବରାତ୍ରିର ପବିତ୍ର ଅବସରକୁ ଆଗମନ କରି ସାଂସ୍କୃତିକ ରଙ୍ଗରେ ମାତିଉଠିଲା। ଆଦିତ୍ୟ ଆଲୁମିନା ବିସ୍ଥାପିତ ପରିବାର ତରଫରୁ ଆଦିତ୍ୟ ଆଲୁମିନା ୟୁନିଟ୍ ହେଡ୍ ଶ୍ରୀ ମଜହେର ବେଗଙ୍କୁ ଉଦ୍ଦେଶ୍ୟ କରି ଏକ ଅଭିନନ୍ଦନ ଓ ସ୍ୱାଗତ କାର୍ଯ୍ୟକ୍ରମ ଅତ୍ୟନ୍ତ ଆଡମ୍ବର ଓ ଉତ୍ସାହର ସହ ଆୟୋଜିତ ହୋଇଥିଲା।
ଗ୍ରାମର ମଞ୍ଚ ଫୁଲମାଳ ରେ ଓ ଆଲୋକ ସଜ୍ଜାରେ ସୁଶୋଭିତ ହୋଇଥିବାବେଳେ ଛୋଟ ଛୋଟ ଝିଅମାନେ ପାରମ୍ପରିକ ପୋଶାକ ପିନ୍ଧି ଆଦିବାସୀ ନୃତ୍ୟ ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତିନେଇଥିଲେ। ସଙ୍ଗୀତର ମଧୁର ଧ୍ୱନି ଓ ନୃତ୍ୟର ଲୟରେ ସମଗ୍ର ପରିବେଶ ଭକ୍ତି ଓ ଭାବନାରେ ଭିଜିଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଆଦିତ୍ୟ ଆଲୁମିନା ୟୁନିଟ୍ ହେଡ୍ ଶ୍ରୀ ମଜହେର ବେଗ, ଶ୍ରୀମତୀ ହେନା ବେଗ, ଶ୍ରୀ ରମେଶ ଦେବୁଡା, ସିଏସଆର ମୁଖ୍ୟ ଶ୍ରୀ ତନ୍ମୟ ମହାନ୍ତି ଓ କମ୍ପାନୀର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ସେହିପରି ଆଞ୍ଚଳିକ ବିକାଶ ପରିଷଦର ସଭାପତି ଡଉଲ ରତ୍ନ ଚୌଧୁରୀ, ବିଦ୍ୟାରତ୍ନ ଚୌଧୁରୀ, ରାଜେନ୍ଦ୍ର ଦୁରିଆ,ବିପିନ ମାଣ୍ଡିଙ୍ଗା, ଅଗସ୍ତି ହଳବା, ଜ୍ୟୋତି ରତ୍ନ ଚୌଧୁରୀ, ମଧୁରତ୍ନ ଚୌଧୁରୀ, ଲକ୍ଷ୍ମଣ ରତ୍ନ ଚୌଧୁରୀ, ସଂଜୀବ ବାଗ ସହ କଂସାରୀଗୁଡା ଗ୍ରାମର ସୁଶାନ୍ତ ରତ୍ନ ଚୌଧୁରୀ ଓ ରମେଶ ଝୋଡିଆ, ରାଜୀବ ଝୋଡ଼ିଆ, ପାଇକୁ ଝୋଡ଼ିଆଙ୍କ ଏକତାବଦ୍ଧ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।
ସ୍ୱାଗତ ଅଭିଭାଷଣରେ ୟୁନିଟ୍ ହେଡ୍ ଶ୍ରୀ ମଜହେର ବେଗ କହିଥିଲେ ଯେ, “କମ୍ପାନୀର ଅନେକ ସ୍ଥାନରେ କାର୍ଯ୍ୟ ହେଉଥିଲେ ମଧ୍ୟ ଏପରି ଶାନ୍ତି, ସମନ୍ୱୟ ଓ ସହଯୋଗର ଦୃଶ୍ୟ ଅନ୍ୟତ୍ର ଦେଖିବାକୁ ମିଳିନି; କିନ୍ତୁ କଂସାରୀଗୁଡାରେ ଏହା ସମ୍ଭବ ହୋଇଛି।” ତାଙ୍କ ଏହି କଥା ଗ୍ରାମବାସୀଙ୍କ ମନରେ ଗର୍ବ ଓ ଆତ୍ମବିଶ୍ୱାସର ନୂଆ ଆଲୋକ ଜ୍ୱାଲିତ କରିଥିଲା।
ଶିବରାତ୍ରି ପର୍ବ ପୂର୍ବରୁ ଏପରି ଏକ ସାଂସ୍କୃତିକ ମିଳନମେଳା କେବଳ ସ୍ୱାଗତ ଉତ୍ସବ ନୁହେଁ, ବରଂ କମ୍ପାନୀ ଓ ବିସ୍ଥାପିତ ପରିବାରମାନଙ୍କ ମଧ୍ୟରେ ଭଲପାଇବା, ଆସ୍ଥା ଓ ସମ୍ପ୍ରୀତିର ଏକ ସୁନ୍ଦର ସେତୁ ଗଢ଼ି ତୋଳିଛି। କଂସାରୀଗୁଡା ଆଜି ପ୍ରମାଣ କରିଦେଇଛି ଯେ ଏକତା ଓ ସମନ୍ୱୟ ଥିଲେ ଉନ୍ନତିର ପଥ ସଦା ଖୋଲା ରହେ।