ଖୋର୍ଦ୍ଧା ଜିଲ୍ଲା ଭିଙ୍ଗାରପୂର୍ ଅନ୍ତର୍ଗତ ଗୁଆବାଡି ଗ୍ରାମ, 15/02/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ଙ୍କ ରିପୋର୍ଟ ) :

ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ଭିଙ୍ଗାରପୂର୍ ଅନ୍ତର୍ଗତ ଗୁଆବାଡି ଗ୍ରାମର କିଡନୀ ରୋଗରେ ପୀଡିତ ଆଲୋକ ରଂଜନ ଦାସ ଏବଂ ଭିଙ୍ଗାରପୂର୍ ଗ୍ରାମର ଆଣ୍ଠୁଗଣ୍ଠି ରୋଗରେ ପୀଡିତା ତିଳୋତ୍ତମା ପାତ୍ରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, ଦୁଇ ଜଣ ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି | ଗତ କିଛି ଦିନ ତଳେ ତିଳୋତ୍ତମାଙ୍କ ପତି ନିଜ ଅଟୋରେ ଘରକୁ ଫେରିବା ବାଟରେ ଆମ ବସ ଧକାରେ ନିଜର ଜୀବନ ହରାଇଥିଲେ | ଅଟୋ ଟି ମଧ୍ୟ ଲୋନ କରି କିଣିଥିଲେ | ତିଳୋତ୍ତମା ନିଜେ ଆଣ୍ଠୁଗଣ୍ଠି ରୋଗରେ ପୀଡିତ ହୋଇ ଚଲାବୁଲା କରିବାରେ ଅସମର୍ଥ | ବର୍ତ୍ତମାନ ନିଜର ଚିକିସ୍ଥା କରାଇବା ତ ଦୂରର କଥା, ଦୁଇ ପିଲାଙ୍କୁ ଦୁଇ ଓଳି ଖାଦ୍ୟ କେମିତି ଯୋଗାଇବେ ତାହା ଅତ୍ୟନ୍ତ ଚିନ୍ତାର ବିଷୟ | ସେହି ପରି ଆଲୋକ ଘରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଅଟନ୍ତି | ବର୍ତ୍ତମାନ ଦୁଇଟି କିଡ଼ନୀ ନଷ୍ଟ ହୋଇଯାଇଥିବାରୁ ସେ ତାଙ୍କର ଚିକିସ୍ଥା କରାଇବାକୁ ଅସମର୍ଥ | ଅର୍ଥାଭାବରୁ ଚିକିସ୍ଥାରେ ଅର୍ଥ ସାଜିଛି ବାଧକ | ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତି, ସଂଯୋଜକ କୁନେଶ ବାରିକି, ମାନସ କୁମାର ମଲ୍ଲିକ,ବରିଷ୍ଠ ସଦସ୍ୟ ନନ୍ଦନନ୍ଦନ ଜୟସିଂ,ରଞ୍ଜନ କୁମାର ମଲ୍ଲ ଏବଂ ଦିଲ୍ଲୀପ ଚନ୍ଦ୍ର ସ୍ୱାଇଁ ପ୍ରମୂଖ ସେମାନଙ୍କ ବାସଭବନରେ ପହଞ୍ଚି ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦଶ ହଜାର (୧୦,୦୦୦/-) ହିସାବରେ କୋଡ଼ିଏ ହଜାର (୨୦,୦୦୦/-) ଟଙ୍କାର ଆର୍ଥିକ ସହାୟତା, ଆଲୋକଙ୍କ ପରିବାରକୁ ଏକ ମାସର ରାସନ୍ ସାମଗ୍ରୀ, ନୂତନ ବସ୍ତ୍ର ପ୍ରଦାନ କରିବା ସହ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ସେମାନେ ଏବଂ ସେମାନଙ୍କ ପରିବାର ବର୍ଗ କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |

