ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାଷ୍ଟ୍ରୀୟ ମାନବାଧିକାର ପରିଷଦର ପ୍ରଥମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ – ସଂଗଠନକୁ ଜନସେବାମୂଖୀ କରିବାକୁ ଆହ୍ୱାନ ।

ରାହାମା, 02/03/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଜଗତସିଂହପୁର ଜିଲ୍ଲାର ପ୍ରମୁଖ ବାଣିଜ୍ୟକ କେନ୍ଦ୍ର ରାହାମା ଠାରେ ଭାରତୀୟ ଜାତୀୟ ମାନବାଧିକାର ପରିଷଦର ପ୍ରଥମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଗମ୍ଭୀର ଓ ଫଳଦାୟକ ଆଲୋଚନା ସହ ଅନୁଷ୍ଠିତ ହୋଇଥିଲା। ସଂଗଠନର ଜିଲ୍ଲା ସଭାପତି ମନୋଜ କୁମାର ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ଓ ବ୍ଲକ ସ୍ତରରେ ସଂଗଠନର କାର୍ଯ୍ୟକଳାପକୁ ଆହୁରି ସକ୍ରିୟ କରିବା ସହ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଯୋଜନା ପ୍ରସ୍ତୁତ କରାଯାଇଥିଲା। ବୈଠକରେ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରଶାନ୍ତ ଗିରି ଅନଲାଇନ ମାଧ୍ୟମରେ ଯୋଗଦେଇ କହିଥିଲେ ଯେ ମାନବାଧିକାର ସୁରକ୍ଷା କେବଳ ଏକ ସଂଗଠନର କାର୍ଯ୍ୟ ନୁହେଁ, ଏହା ସମାଜର ସମସ୍ତ ସ୍ତରର ସହଭାଗିତାରେ ସମ୍ଭବ। ଗ୍ରାମାଞ୍ଚଳରେ ଆଇନଗତ ସଚେତନତା ଅଭାବ ଥିବାରୁ ଅନେକ ଲୋକ ନିଜ ଅଧିକାର ସମ୍ପର୍କରେ ଅବଗତ ନୁହନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ସଭାରେ ଆଲୋଚନା ହୋଇଥିଲା ଯେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗ୍ରାମରୁ ସହର ପର୍ଯ୍ୟନ୍ତ ସମୟୋପଯୋଗୀ ଆଇନଗତ ସହାୟତା ଲୋକଙ୍କ ପାଖକୁ ସହଜରେ ପହଞ୍ଚିପାରୁନାହିଁ। ବିଶେଷକରି ଅର୍ଥନୈତିକ ଭାବେ ପଛୁଆ ପରିବାରମାନେ ଆଇନ ପ୍ରକ୍ରିୟା ଓ ସରକାରୀ ସହାୟତା ସମ୍ପର୍କରେ ଅଜ୍ଞତାରୁ ନ୍ୟାୟ ପାଇବାରେ ବଞ୍ଚିତ ହେଉଛନ୍ତି। ଏହି ପରିସ୍ଥିତିରେ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ନିଶୁଳ୍କ ଆଇନ ପରାମର୍ଶ ଶିବିର ଓ ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ଅବସରରେ ରାଜ୍ୟ ସଭାପତି ନୃସିଂହ ଚରଣ ମଲ୍ଲିକ, ଜିଲ୍ଲା ଉପସଭାପତି ରମାକାନ୍ତ ନାୟକ, ଜିଲ୍ଲା ସମ୍ପାଦକ ବେଦଦ୍ୟୁତି ପୃଷ୍ଟି, ତିର୍ତ୍ତୋଲ ବ୍ଲକ ସଭାପତି ବିଶ୍ୱଜିତ ସାହୁ, ବାଲିକୁଦା ବ୍ଲକ ସଭାପତି ସଂଗ୍ରାମ ସ୍ୱାଇଁ, କୁଜଙ୍ଗ ବ୍ଲକ ସଭାପତି ତୋଫାନ କୁମାର ମାଝୀ, ଉପସଭାପତି ଗଗନ ବିହାରୀ ଦାସ, ନୟାଗଡ ଜିଲ୍ଲା ସଭାପତି ରଞ୍ଜନ କୁମାର ଦାସ ଏବଂ ଏରସମା ବ୍ଲକ ସମ୍ପାଦକ ଦୀପକ ଗୋଛାୟତ ପ୍ରମୁଖ ଯୋଗଦେଇ ସଂଗଠନକୁ ତଳସ୍ତରରେ ସୁଦୃଢ଼ କରିବା ଉପରେ ମତ ରଖିଥିଲେ ସଦସ୍ୟମାନେ ସମାଜ ସେବାକୁ ବ୍ରତ ଭାବେ ଗ୍ରହଣ କରି ବିଗତ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକାଭିମୁଖୀ କାର୍ଯ୍ୟକ୍ରମ, ସଚେତନତା ଅଭିଯାନ ଓ ଅସହାୟ ଲୋକଙ୍କୁ ସହଯୋଗ କାର୍ଯ୍ୟ କରିଥିବା ବିଷୟ ସଭାରେ ଉଲ୍ଲେଖ କରାଯାଇଥିଲା। ଆଗାମୀ ଦିନରେ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ସଂଗଠନର କାର୍ଯ୍ୟକଳାପ ବିସ୍ତାର କରି ମାନବାଧିକାର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବାକୁ ସମସ୍ତେ ସଙ୍କଳ୍ପବଦ୍ଧ ହୋଇଥିଲେ l
Article Image
7