ଏରସମା, 17/03/2026, ଉତ୍କଳ voice news - utkalvoicenews.com( ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ କୁଞ୍ଜକୋଠି ପଞ୍ଚାୟତର ଖୁରାଣ୍ଟ ଗ୍ରାମରେ ଦେଖିବାକୁ ମିଳିଛି ଏକ ଦୟନୀୟ ମାନବୀୟ ଚିତ୍ର। ଏଠାରେ ବସବାସ କରୁଥିବା ଜଗଦୀଶ ବର ଓ ତାଙ୍କ ଧର୍ମପତ୍ନୀ କାନନ ବର ବର୍ତ୍ତମାନ ଅତ୍ୟନ୍ତ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି।ଜଗଦୀଶ ବର ଉକ୍ତ ଗ୍ରାମର କବିରାଜ ଥିଲେ।ଝଡା,ଫୁଙ୍କା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ର ରୋଗର ଚିକିତ୍ସା କରୁଥିଲେ।ଦୂର ଦୂରାନ୍ତରୁ ରୋଗୀମାନେ ତାଙ୍କଠୁ ଚିକିତ୍ସା ପାଇ ଆରୋଗ୍ୟ ହୋଇଛନ୍ତି।ଲୋକ ମାନଙ୍କ ସେବା କରୁଥିବା ଜଗଦୀଶ ବର ଆଜି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି।
ଦୀର୍ଘ ଦିନ ଧରି ଜଗଦୀଶ ବର ପାରାଲିସିସ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ରହିଥିବା ବେଳେ ତାଙ୍କର ସମସ୍ତ ଦେଖାଶୁଣା କରୁଛନ୍ତି ବୃଦ୍ଧ ପତ୍ନୀ କାନନ ବର। ପରିବାର କହିଲେ ବର୍ତ୍ତମାନ ଏହି ଦମ୍ପତି ଦୁଇଜଣ।
ତାଙ୍କର ତିନି ଝିଅଙ୍କ ବାହାଘର ସରିଯାଇ ସେମାନେ ନିଜ ନିଜ ଶାଶୁଘରରେ ରହୁଥିବା ବେଳେ ଗୋଟିଏ ପୁଅ ପାରାଦ୍ୱୀପରେ ଚାକିରୀ କରୁଛନ୍ତି। କିନ୍ତୁ ଅଭିଯୋଗ ହେଉଛି ଯେ ସେ ନିଜ ବୃଦ୍ଧ ବାପା ଓ ମାଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି। ବାପା–ମା ଫୋନ କଲେ ମଧ୍ୟ ସେ ଫୋନ ଧରୁନାହାନ୍ତି କି ସେମାନଙ୍କ ସହ କଥା ହୁଏନାହିଁ।
ଯେଉଁ ସମୟରେ ବୃଦ୍ଧାବସ୍ଥାରେ ସନ୍ତାନଙ୍କ ସହାରା ଦରକାର, ସେହି ସମୟରେ ଏହି ଦମ୍ପତି ଆଜି ଅସହାୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି। ଏହାଠାରୁ ମଧ୍ୟ ଦୁଃଖଦ କଥା ହେଉଛି ସରକାରୀ ଯୋଜନା ମଧ୍ୟ ଏମାନଙ୍କ ପାଇଁ ପରିହାସ ସଦୃଶ ହୋଇପଡ଼ିଛି।ମାତ୍ର ୫ କିଲୋ ଚାଉଳରେ ମାସକ ସାରା ଚଳିବା କଷ୍ଟଦାୟକ ହୋଇପଡିଛି। ପାରାଲିସସ ସ୍ୱାମୀକୁ ଟଲୀ ରେ ପକାଇ ଗାଁ ଗାଁ ବୁଲି ଭିକ ମାଗି ଚଳୁଛନ୍ତି ଏହି ଦମ୍ପତି।
ଜଗଦୀଶ ବରଙ୍କୁ ମଧୁ ବାବୁ ପେନସନ ଯୋଜନାରେ କିଛି ଅର୍ଥ ସହାୟତା ମିଳୁଥିବା ବେଳେ ତାଙ୍କ ଧର୍ମପତ୍ନୀ କାନନ ବରଙ୍କୁ ୬୦ ବର୍ଷ ପୂରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ମିଳିନାହିଁ। କାନନ ବର ବାରମ୍ବାର ଅନଲାଇନ ଆବେଦନ କରିବା ସହିତ ପଞ୍ଚାୟତ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।
ପଞ୍ଚାୟତର ସରପଞ୍ଚଙ୍କ ଅକାଳ ମୃତ୍ୟୁ ଘଟିଥିବାରୁ ବର୍ତ୍ତମାନ ନାଏବ ସରପଞ୍ଚ ଦାୟିତ୍ୱରେ ରହିଛନ୍ତି। ଏହି ଘଟଣା ସମ୍ପର୍କରେ ପଞ୍ଚାୟତର ସହକାରୀ କାର୍ଯ୍ୟକାରୀ ଅଧିକାରୀଙ୍କୁ ଅବଗତ କରାଯାଇଥିବା ବେଳେ ସେ ପ୍ରଥମେ ଏହା ବିଷୟରେ ଅବଗତ ନଥିବା କହିଥିଲେ। ପରେ ସମସ୍ତ ତଥ୍ୟ ଜାଣିବା ପରେ ସେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ ଓ ଯାହା ସରକାରୀ ସହାୟତା ମିଳିବା ଦରକାର ସେସବୁ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି। ନାଏବ ସରପଞ୍ଚ ମଧ୍ୟ ତୃଣମୂଳ ସ୍ତରରେ ପହଞ୍ଚି ସହଯୋଗ କରିବେ ବୋଲି କହିଛନ୍ତି।
କିନ୍ତୁ ସବୁଠାରୁ ବଡ ପ୍ରଶ୍ନ ହେଉଛି — ତିନି ଝିଅ ଓ ଗୋଟିଏ ପୁଅ ଥିଲେ ମଧ୍ୟ କାହିଁକି ଏହି ବୃଦ୍ଧ ଦମ୍ପତି ଆଜି ଏତେ ଅସହାୟ? ପୁଅ ପାରାଦ୍ୱୀପରେ ପରିବାର ସହ ଆରାମରେ ରହୁଥିବା ବେଳେ ବାପା–ମାଙ୍କ ଦୁଃଖ କଷ୍ଟ ଦେଖିବାକୁ ମଧ୍ୟ ଆସୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏପରି ଦୟନୀୟ ସମୟରେ ଜାତୀୟ ମାନବାଧିକାର ପରିଷଦର କର୍ମକର୍ତ୍ତାମାନେ ଆଗକୁ ଆସି ମାନବିକତାର ଦୃଷ୍ଟାନ୍ତ ପ୍ରଦର୍ଶନ କରିଛନ୍ତି। ଆଜି ମାନବାଧିକାର ପରିଷଦର ରାଜ୍ୟ ସଭାପତି ନୃସିଂହ ମଲ୍ଲିକ ଓ ଜଗତସିଂହପୁର ଜିଲ୍ଲା ସଭାପତି ମନୋଜ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ପୀଡିତ ବୃଦ୍ଧ ଦମ୍ପତିଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ।
ସେମାନଙ୍କ ସହ ମାନବାଧିକାର ପରିଷଦର ଅନ୍ୟ କର୍ମକର୍ତ୍ତାମାନେ ଯଥା ରମାକାନ୍ତ ନାୟକ, ବେଦଦ୍ୟୁତି ପୃଷ୍ଟି, ତୋଫାନ କୁମାର ମାଝୀ, ଦୀପକ ଗୋଛାୟତ, ଗଗନ ଦାସ ଓ ବିଶ୍ୱଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସେମାନେ ପୀଡିତ ଦମ୍ପତିଙ୍କୁ ଏକ ମାସର ରାସନ ସାମଗ୍ରୀ ଯୋଗାଇ ଦେଇ ସହାନୁଭୂତି ଓ ସହଯୋଗର ହାତ ବଢ଼ାଇଥିଲେ।
ଏହି ଘଟଣା ପୁଣିଥରେ ସମାଜରେ ଏକ ଗଭୀର ପ୍ରଶ୍ନ ଉଠାଇଛି — ଯଦି ସନ୍ତାନମାନେ ବୃଦ୍ଧ ବାପା–ମାଙ୍କୁ ଏଭଳି ଅଣଦେଖା କରିଦେବେ ଓ ସରକାରୀ ଯୋଜନା ସମୟରେ ସେମାନଙ୍କ ପାଖକୁ ପହଞ୍ଚିବ ନାହିଁ, ତେବେ ଏମିତି ଅସହାୟ ଲୋକମାନେ ଶେଷରେ କାହା ପାଖରେ ନ୍ୟାୟ ଓ ସହାୟତା ଖୋଜିବେ?