ରାହାମା, 02/12/2024, ଉତ୍କଳ voice news - utkalvoicenews.comକୁଜଙ୍ଗ ବ୍ଲକ ଅନ୍ତର୍ଗତ ସାଇଲୋ ଗ୍ରାମ ପଞ୍ଚାୟତ ସ୍ଥିତ ପି.ଏମ.ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ଅଧକ୍ଷ ଶ୍ରୀକୃଷ୍ଣ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ପୁରାତନ ଛାତ୍ର ସଂସଦର ବୈଠକ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟର ପୂର୍ବତନ ଅଧକ୍ଷ ଶ୍ରୀ ସତ୍ୟବ୍ରତ ସିହ୍ନା ଏବଂ ସମ୍ମାନୀତ ଅତିଥି ରୂପେ ସମାଜସେବୀ ଡଃ ସୁନାକର ବେହେରା ଯୋଗ ଦେଇଥିଲେ ।ଏହି ଛାତ୍ର ସଂସଦରେ ୨୭ ଜଣ ପୁଅ ଏବଂ ୧୪ ଜଣ ଝିଅ ଯୋଗଦେଇଥିଲେ।ସର୍ବ ପ୍ରଥମେ ପୁରାତନ ଛାତ୍ର ଏବଂ ବର୍ତ୍ତମାନ ଅଧ୍ୟୟନରତ ଛାତ୍ରମାନଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ଼ ଅନୁଷ୍ଠିତ ହୋଇଥିଲା।ଯେଉଁଥିରେ ପୁରାତନ ଛାତ୍ରମାନେ ବିଜୟୀ ହୋଇଥିଲେ।ତତ୍ ପଶ୍ଚାତ ପୁରାତନ ଛାତ୍ରୀମାନଙ୍କ ମଧ୍ୟରେ ମ୍ୟୁଜିକାଲ ଚ଼େୟାର ପ୍ରତିଯୋଗିତା ଆୟୋଜନ କରାଯାଇଥିଲାଯେଉଁଥିରେ ପ୍ରଥମ ସ୍ଥାନ ଦେବର୍ଶୀ ମୁଖାର୍ଜୀ,ଦ୍ୱିତୀୟ ସ୍ଥାନ ଲିପ୍ସା ପ୍ରିୟଦର୍ଶିନୀ ଏବଂ ତୃତୀୟ ସ୍ଥାନ ଜାନକୀ ସୋରେନ ଅଧିକାର କରିଥିଲେ।
ମଧ୍ୟାହ୍ନ ଭୋଜନ ଉପରାନ୍ତ ଏକ ସଭାର ଆୟୋଜନ କରାଯାଇଥିଲା ଯାହାକୁ ମୁଖ୍ୟ ଅତିଥି,ସମ୍ମାନୀତ ଅତିଥି ତଥା ନିମନ୍ତ୍ରିତ ଅତିଥିମାନଙ୍କ ଦ୍ଵାରା ଦୀପ ପ୍ରଜ୍ବଳିତ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।ସ୍ଵାଗତ ଗାନ ଉପରାନ୍ତ ରସାୟନ ବିଜ୍ଞାନର ଅଧକ୍ଷ ଜୟନ୍ତ କୁମାର ପାଣିଙ୍କ ଦ୍ଵାରା ସ୍ଵାଗତ ଭାଷଣ ପ୍ରଦାନ କରାଯାଇଥିଲା। ସର୍ବ ପ୍ରଥମେ ପୁରାତନ ଛାତ୍ର ଛାତ୍ରୀମାନେ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ ତଥା ଅତିଥିମାନଙ୍କୁ ଫୁଲ ଚନ୍ଦନ ଓ ପୁଷ୍ପଗୁଛ ଦେଇ ସମ୍ମାନୀତ କରିଥିଲେ।କାର୍ଯ୍ୟକ୍ରମର ମଧ୍ୟଭାଗରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ବର୍ତ୍ତମାନର ଦ୍ଵାଦଶ ଶ୍ରେଣୀ ଛାତ୍ର ଛାତ୍ରୀମାନେ ଚନ୍ଦନ ଓ ପୁଷ୍ପ ପ୍ରଦାନ ସହିତ ମଞ୍ଚରେ ସମ୍ମାନୀତ କରିଥିଲେ।ପୁରାତନ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ମଞ୍ଚ ଉପରେ ବକ୍ତବ୍ୟ,ସଙ୍ଗୀତ ଏବଂ ଆଲୋଚନା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।କ୍ରିକେଟ ମ୍ୟାଚରେ ବିଜେତା ଦଳକୁ ତଥା ମ୍ୟୁଜିକାଲ ଚ଼େୟାର ବିଜେତାମାନଙ୍କୁ ମୁଖ୍ୟ ଅତିଥି ତଥା ସମ୍ମାନୀତ ଅତିଥିଙ୍କ କରକମଳରେ ଟ୍ରଫି ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମର ଶେଷ ଭାଗରେ ସଙ୍ଗୀତ ଅଧ୍ୟାପିକା ପଦ୍ମଜା ବେହେରାଙ୍କ ତତ୍ତ୍ଵାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଭାରତ ନାଟ୍ୟମ ନୃତ୍ୟ,ଓଡ଼ିଶୀ ନୃତ୍ୟ ଏବଂ ସାମୁହିକ ନୃତ୍ୟ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା।ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ ଉପଦେଶାତ୍ମକ ବାର୍ତ୍ତା ତଥା ଆର୍ଶି ବଚନ ପ୍ରଦାନ କରିଥିଲେ।ସମ୍ମାନୀତ ଅତିଥି ଡଃ ସୁନାକର ବେହେରା ତାଙ୍କ ଅଭିଭାଷଣରେ ଛାତ୍ର ଛାତ୍ରୀମାନଙ୍କୁ ପୋତ୍ସାହିତ କରିଥିଲେ ଏବଂ ଭଲ ମଣିଷ ହେବା ପାଇଁ ବାର୍ତ୍ତା ଦେଇଥିଲେ।ନିମନ୍ତ୍ରୀତ ଅନ୍ୟ ଅତିଥି ଯଥା ମୁନା ସାର,ବୈକୁଣ୍ଠ ସାର,ମନୋରମା ମ୍ୟାଡମ ଆଦି ତାଙ୍କ ଅଭିଭାଷଣରେ ଛାତ୍ର ଛାତ୍ରୀମାନଙ୍କୁ ମାର୍ଗ ଦର୍ଶନ କରିଥିଲେ।ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀ ଅଧିର କୁମାର ନାୟକ ତାଙ୍କ ଅଭିଭାଷଣରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ପୁରାତନ ଛାତ୍ର ସଂସଦର ଭୂମିକା ବିଷୟରେ ଆଲୋକପାତ କରିଥିଲେ। ଶେଷରେ ଅଧକ୍ଷ ଶ୍ରୀକୃଷ୍ଣ ମହାପାତ୍ର ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ପୂର୍ବକ ସମ୍ବର୍ଦ୍ଧିତ କରି ଉତ୍ତରୀୟ ସହ ସ୍ମୁତି ଚିହ୍ନ ଉପହାର ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମର ସଫଳ ରୂପାୟନରେ ବିଦ୍ୟାଳୟର ଉପାଧ୍ୟକ୍ଷ ଏବଂ ଅନ୍ୟ ଶିକ୍ଷକ ଯଥା ଦିଗନ୍ତ ପଟ୍ଟନାୟକ,ପ୍ରଶାନ୍ତ କୁମାର ନାୟକ ,ସଞ୍ଜୟ କୁମାର ଜେନା,ସିମାଞ୍ଚଳ ଗୌଡ଼,ସୁଧିରଞ୍ଜନ ମହାପାତ୍ର,ପ୍ରମିଳା ସାହୁ,ମୀନାକ୍ଷୀ ବାରିକ,ସତ୍ୟଭାମା ସ୍ୱାଇଁ ଆଦିଙ୍କର ଭୂମିକା ଅଗ୍ରଣୀ ଥିଲା। ଯାହା ପ୍ରଶଂଶନୀୟ ।


