ରାୟଗଡ଼ା, 16/04/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଅଧୀନ କୋଡୀଙ୍ଗାମାଳି ଅଞ୍ଚଳରେ ବକ୍ସସାଇଡ ନେଉଥିବା କମ୍ପାନୀଙ୍କ କାର୍ଯ୍ୟକଳାପକୁ ନେଇ ପୁଣିଥରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ, କମ୍ପାନୀର ବିସ୍ତାର ପରିକଳ୍ପନା ଓ ଜଣଶୁଣାଣି ପ୍ରକ୍ରିୟାରେ ସ୍ଥାନୀୟ ଲୋକଙ୍କ ମତାମତକୁ ଅବହେଳା କରାଯାଉଛି।
ଅଞ୍ଚଳବାସୀମାନେ କହିଛନ୍ତି ଯେ, ରାଜ୍ୟର ମୁଖ୍ୟମନ୍ତ୍ରୀ ପୂର୍ବରୁ ଅଞ୍ଚଳବାସୀଙ୍କ ସମ୍ମୁଖରେ ପ୍ରତିଶୃତି ଦେଇଥିଲେ ଯେ ଲୋକମାନେ ଯାହା ଚାହିଁବେ ସେହିଭଳି ନିଷ୍ପତ୍ତି ହେବ। କିନ୍ତୁ ବର୍ତ୍ତମାନ ସେହି ପ୍ରତିଶୃତି ପୂରଣ ହୋଇନଥିବାରୁ ଲୋକମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଆଜି ପ୍ରାୟ ୧୫୦୦ ରୁ ୨୦୦୦ ଅଞ୍ଚଳବାସୀ ରାୟଗଡା ଜିଲ୍ଲାପାଳ କାର୍ଯ୍ୟାଳୟ ଓ ଓଏମସି (OMC) କାର୍ଯ୍ୟାଳୟ ସମ୍ମୁଖରେ ଜମାହୋଇ ଏକ ଦାବିପତ୍ର ଦାଖଲ କରିଥିଲେ। ଏହି ଦାବିପତ୍ରରେ ୩ ମିଲିୟନ ଟନରୁ ୬ ମିଲିୟନ ଟନକୁ ବୃଦ୍ଧି ପାଇଁ ହେବାକୁ ଥିବା ଜଣଶୁଣାଣିକୁ ତୀବ୍ର ବିରୋଧ କରାଯାଇଛି।
ବିଶେଷ କରି, ରାୟଗଡା ଜିସିଡି ପଡିଆରେ ଜଣଶୁଣାଣି ଆୟୋଜନକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ପ୍ରଶ୍ନ କରିଛନ୍ତି ଯେ, ଖଣି ଅଞ୍ଚଳକୁ ଛାଡି ଜିଲ୍ଲା ସ୍ତରରେ କାହିଁକି ଜଣଶୁଣାଣି କରାଯାଉଛି। ଏହା ଲୋକମାନଙ୍କୁ ଦୂରେ ରଖି ନିଷ୍ପତ୍ତି ନେବା ପ୍ରୟାସ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଅଞ୍ଚଳବାସୀମାନେ ଏହା ମଧ୍ୟ କହିଛନ୍ତି ଯେ, ଯଦି ଜଣଶୁଣାଣିକୁ ଜବରଦସ୍ତି କରାଯିବ, ତେବେ ତୀବ୍ର ଆନ୍ଦୋଳନ ଗଢ଼ିଉଠିବ। “କମ୍ପାନୀ ନାହିଁ ତ ଖଣି ନାହିଁ, ନିଯୁକ୍ତି ନାହିଁ ତ ଖଣି ନାହିଁ” ବୋଲି ସ୍ପଷ୍ଟ ମତ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ। ଏହି ଦାବିପତ୍ର ଦେବା ସମୟରେ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଡଉଲ ରତ୍ନ ଚୌଧୁରୀ, କାଶୀପୁର ବ୍ଲକ କଂଗ୍ରେସ ସଭାପତି ରାଜେନ୍ଦ୍ର ଦୁରିଆ, କଂସାରୀଗୁ ବିସ୍ଥାପିତ ପରିବାର କମିଟି ସମ୍ପାଦକ ବିଦ୍ୟା ରତ୍ନ ଚୌଧୁରୀ, ବିଜୟ ରତ୍ନ ଚୌଧୁରୀ, ବିଜୁ ଜନତା ଦଳ ଲଷ୍ମୀପୂର ବ୍ଲକ ସଭାପତି ବିପିନ ମାଣ୍ଡିଙ୍ଗା,କଂସାରୀ ଯାନୀ,ଜିଜୁରୁ ମାଝୀ ଙ୍କ ସହ ଅନେକ ଅଞ୍ଚଳବାସୀ ଓ କୋଡୀଙ୍ଗାମାଳି ପ୍ରଭାବିତ ବାସୀ ଉପସ୍ଥିତ ରହିଥିଲେ |
ଅନ୍ୟପଟେ, ଓଏମସି ପଦାଧିକାରୀଙ୍କ ପକ୍ଷରୁ ଏହା ଉପରେ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଗଲେ ମଧ୍ୟ କୌଣସି ସ୍ପଷ୍ଟ ମତ ମିଳିନାହିଁ।
ଏହି ପରିସ୍ଥିତିରେ କୋଡୀଙ୍ଗାମାଳି ଅଞ୍ଚଳରେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବାର ସମ୍ଭାବନା ଦେଖାଦେଇଛି।