ପାରାଦ୍ୱୀପ , 22/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
ପାରାଦୀପ କଲେଜ୍ ଏନସିସି ଆଲୁମୁନି ଆସୋସିଏସନ ପକ୍ଷରୁ ଏକ ସ୍ୱାଗତଯୋଗ୍ୟ ପରିବେଶମୁଖୀ ପଦକ୍ଷେପ ଗ୍ରହଣ କରାଯାଇଛି। ସଂଘର ସଦସ୍ୟମାନେ କଲେଜ ପରିସର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଗଛମାନଙ୍କରେ ମାଟିର ଜଳପାତ୍ର ଓ ଖାଦ୍ୟ ପାତ୍ର ଟାଙ୍ଗିବା ସହିତ କଲେଜ ଘର, ବ୍ୟାଙ୍କ ରାସ୍ତାରେ, ଥାନା ଛକ ଏବଂ ବଡ଼ପଡ଼ିଆ ମାର୍କେଟ ଓ ବ୍ୟାଙ୍କ ଘର ଛାତ ଉପରେ ପାଣିର ବ୍ୟବସ୍ଥା କରିଛନ୍ତି। ଏହା ଫଳରେ ତିବ୍ର ଉଷ୍ଣତା ସମୟରେ ପକ୍ଷୀମାନେ ସହଜରେ ପାଣି ଓ ଖାଦ୍ୟ ପାଇ ପାରିବେ ଏବଂ ତାଙ୍କର ଜୀବନ ରକ୍ଷା ହେବ।
ଏହା ସହିତ ପ୍ଲାଷ୍ଟିକ ବୋତଲକୁ ପୁନଃବ୍ୟବହାର କରି ପକ୍ଷୀମାନଙ୍କ ପାଇଁ ସୁରକ୍ଷିତ ଭାବେ ଖାଦ୍ୟ ଓ ପାଣି ଯୋଗାଣ ବ୍ୟବସ୍ଥା କରାଯାଇଛି, ଯାହା ପରିବେଶ ସୁରକ୍ଷାରେ ଏକ ନୂତନ ଉଦାହରଣ ସୃଷ୍ଟି କରିଛି।

ଏନସିସି ଆଲୁମୁନି ସଂଘ ପ୍ରତି ରବିବାର ସମୁଦ୍ର କୂଳ ସଫାଇ କାର୍ଯ୍ୟକ୍ରମ କରୁଥିବା ବେଳେ, ବିଗତ ଏକ ମାସ ଧରି ପକ୍ଷୀମାନଙ୍କ ପାଇଁ ଜଳପାତ୍ର ସ୍ଥାପନ ଓ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଜାରି ରଖିଛି। ପ୍ରତିବର୍ଷ ସଂଘ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଇ ୧୦୦ରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ କରାଯାଉଛି। ଏହା ସହିତ “Say No to Plastic”, “Say No to Drugs”, ବୃକ୍ଷ ରୋପଣ ଓ “Swachhata Hi Seva” ପରି ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ମଧ୍ୟ ସଫଳତାର ସହ ଆୟୋଜନ କରି ଆସୁଛି ।
ସରକାରୀ ଯୋଜନା ଓ ସଚେତନତା ବାର୍ତ୍ତାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଏନସିସି କ୍ୟାଡେଟ ଓ ଆଲୁମୁନି ସଦସ୍ୟମାନେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି।
ଏହି ସମାଜସେବୀ ପଦକ୍ଷେପ ମାଧ୍ୟମରେ ପରିବେଶ ସୁରକ୍ଷା ଓ ପକ୍ଷୀ ସୁରକ୍ଷା ପ୍ରତି ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ାଇବାକୁ ସଂଘ ପକ୍ଷରୁ ଉଦ୍ୟମ କରାଯାଇଛି। ସଂଘର ସଦସ୍ୟମାନେ କହିଛନ୍ତି, ପ୍ରତ୍ୟେକ ନାଗରିକ ଯଦି ଏପରି ଛୋଟ ଛୋଟ ପଦକ୍ଷେପ ନିଅନ୍ତି, ତେବେ ପ୍ରକୃତି ସୁରକ୍ଷା ସହ ସମସ୍ତ ପ୍ରାଣୀଙ୍କ ପାଇଁ ଏକ ସୁସ୍ଥ ପରିବେଶ ଗଢ଼ି ତୋଳିବା ସମ୍ଭବ ହୋଇପାରିବ ।
ସଂଘର ସଭାପତି ଅମ୍ବିକା ପ୍ରସାଦ ମହାପାତ୍ର କହିଛନ୍ତି ଯେ, ଆଗାମୀ ଦିନରେ ମଧ୍ୟ ଏପରି ପରିବେଶମୁଖୀ ଓ ସମାଜସେବୀ କାର୍ଯ୍ୟକ୍ରମ ଜାରି ରହିବ। ଜୟ ହିନ୍ଦ, ଭାରତ ମାତାକି ଜୟ