ଏରସମା, 22/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ଅଗ୍ରଣୀ କମ୍ୟୁନିଟି ରେଡ଼ିଓ ଷ୍ଟେସନ ରେଡ଼ିଓ ଆଉଟରିଚ ୯୦.୮ ଏଫଏମ ପକ୍ଷରୁ ଜୟକୃଷ୍ଣ ବିଦ୍ୟାପୀଠ, ଇବ୍ରିସିଂହରେ ଛାତ୍ରଛାତ୍ରୀଙ୍କ ପାଇଁ ଅଂଶୁଘାତ ସଚେତନତା କାର୍ୟକ୍ରମ ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରେଡିଓ ରେଡ଼ିଓ ଆଉଟରିଚର କେନ୍ଦ୍ର ନିର୍ଦ୍ଦେଶକ ସୁବ୍ରତ କୁମାର ପତି ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଅଂଶୁଘାତର କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ବିସ୍ତୃତ ଅଲୋଚନା କରିଥିଲେ।
ସେ ଛାତ୍ରଛାତ୍ରୀଙ୍କୁ ଖରା ଦିନେ ଅଧିକ ପାଣି ପିଇବା, ଦିନ ୧୧ଟାରୁ ୩ଟା ମଧ୍ୟରେ ଘର ବାହାରୁ ନଯିବା, ଖରାରେ ମୁଣ୍ଡ ଢାଙ୍କିବା, ହାଲୁକା ସୁତା ଓ ଢିଲା ପୋଷାକ ପିନ୍ଧିବା ଓ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ଅଂଶୁଘାତ ହେଲେ ଅସୁସ୍ଥ ବ୍ୟକ୍ତିଙ୍କୁ ତୁରନ୍ତ ଥଣ୍ଡା ଜାଗାକୁ ନେବା, ପାଣି ପିଆଇବା ଓ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି ସେ କହିଥିଲେ।ଅଂଶୁଘାତ ସଚେତନତାରେ ରେଡିଓର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ପତି କହିଥିଲେ । ଗ୍ରାମୀଣ ଓ ଦୂରଦୂରାନ୍ତର ଅଞ୍ଚଳରେ ରେଡିଓ ସହଜରେ ପହଞ୍ଚି ପାରୁଥିବାରୁ ଏହା ମାଧ୍ୟମରେ ସରଳ ଭାଷାରେ ସ୍ୱାସ୍ଥ୍ୟ ସନ୍ଦେଶ ପ୍ରଚାର କରି ଲୋକମାନଙ୍କୁ ସଚେତନ କରାଯାଇପାରେ। ବିଶେଷକରି ଗ୍ରୀଷ୍ମକାଳରେ ନିୟମିତ ସୂଚନା ପ୍ରସାରଣ ଦ୍ୱାରା ଲୋକମାନେ ପୂର୍ବ ସତର୍କତା ନେବାରେ ସକ୍ଷମ ହେଉଛନ୍ତି। ରେଡ଼ିଓ ଆଉଟରିଚ ପକ୍ଷରୁ ପ୍ରତିଦିନ ଅଂଶୁଘାତ ସଚେତନତା ବାର୍ତ୍ତା ପ୍ରଚାର ହେଉଛି। ଏହାକୁ ଶୁଣିବାକୁ ଛାତ୍ରଛାତ୍ରୀଙ୍କୁ ଶ୍ରୀ ପତି ପରାମର୍ଶ ଦେଇଥିଲେ । ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁରଲୀଧର ରାଉତ ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ଶିକ୍ଷକ ରବିନ୍ଦ୍ର ଦାସ ଏବଂ ସୁଚିସ୍ମିତା ଦାସ ସହଯୋଗ କରିଥିଲେ। ଏହି ଅବସରରେ ରେଡ଼ିଓ ଆଉଟରିଚ ପକ୍ଷରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଏକ ରେଡ଼ିଓ ସେଟ ଉପହାର ସ୍ୱରୂପ ପ୍ରଦାନ କରାଯାଇ ଥିଲା । ରେଡିଓ ଆଉଟରିଚର ସାମ୍ବାଦିକ ତ୍ରୁପ୍ତି ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଂଶୁଘାତ ସମ୍ବନ୍ଧୀୟ ସଚେତନତା ବୃଦ୍ଧି କରିଥିବାରୁ ଅଭିଭାବକ ଓ ଶିକ୍ଷକମାନେ ସନ୍ତୋଷ ପ୍ରକାଶ କରିଥିଲେ।

_1776869128.jpg)