ବୁଗୁଡ଼ା, 30/04/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
ବୁଗୁଡ଼ାରେ ଦୁଇ ଦିନ ହେଲା ଗୋଟିଏ ହନୁ ମାଙ୍କଡ଼ ଆତଙ୍କ ଚଳାଇଛି। ଆଜି ଜଣେ ଟ୍ରଲି ଚାଳକକୁ ଉକ୍ତ ହନୁ ମାଙ୍କଡ଼ ଆକ୍ରମଣ କରି ଖଣ୍ଡିଆ ଖାବରା କରିଦେଇଛି । ଆଦିପୁର ଗ୍ରାମର ଟ୍ରଲି ଚାଳକ ନାରାୟଣ ରାଉତ ସବୁ ଦିନ ଭଳି ଆଜି ମଧ୍ୟ ସକାଳେ ତାଙ୍କର ବୃଦ୍ଧା ମାଆକୁ ନିଜ ଟ୍ରଲିରେ ବସାଇ ବୁଗୁଡ଼ା ମେଡିକାଲ ଛକ ନିକଟରେ ଟ୍ରଲି ରଖୁଥିବା ବେଳେ ହଠାତ ଏକ ହନୁ ମାଙ୍କଡ଼ ନାରାୟଣ ଉପରକୁ ଡେଇଁ ପଡି ତାଙ୍କ ମୁହଁ ଓ ଦେହକୁ କାମୁଡି ପକାଇ ଥିଲା। ସ୍ଥାନୀୟ ଲୋକେ ହୋହାଲ୍ଲା କରି ମାଙ୍କଡ଼ କବଳରୁ ନାରାୟଣକୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲ ନେଇଥିଲେ l ଗତକାଲି ଉକ୍ତ ମାଙ୍କଡ଼ଟି ବ୍ଲକ ଛକର ଟିପୁ ଦାଶଙ୍କ ଗୋଡ଼କୁ କାମୁଡି ରକ୍ତାକ୍ତ କରି ଦେଇଥିବା ବେଳେ ବୁଗୁଡ଼ା ହାଇସ୍କୁଲ ଛକ ନିକଟରେ ପାନ ଦୋକାନ କରିଥିବା ପ୍ରମୋଦ ମିଶ୍ରଙ୍କ କାନକୁ କାମୁଡି ଖଣ୍ଡିଆ କରିଦେଇଛି।ଆଜି ସକାଳଠାରୁ ବନ ବିଭାଗର ଏକ ଟିମ ଉକ୍ତ ମାଙ୍କଡ଼କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଥିଲେ ହେଁ ସଫଳ ହୋଇ ନାହାନ୍ତି l ଉକ୍ତ ମାଙ୍କଡ଼କୁ ଧରିବା ପାଇଁ ଟ୍ରାଂକୁଲାଇଜର ଟିମ୍ ଡକାଇବା ପାଇଁ ଯୋଜନା କରାଯାଉଥିବା ନେଇ ବନାଞ୍ଚଳ ଅଧିକାରୀ ମାନସ କୁମାର ସାହୁଙ୍କଠାରୁ ପ୍ରକାଶ ପାଇଛି l