ଏରସମା, 03/05/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ରଙ୍କ ରିପୋର୍ଟ ) :

ବାଲିକୁଦା ବ୍ଲକ ଅନ୍ତର୍ଗତ ତିତିରା ପଞ୍ଚାୟତର କେଉଟପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମେନକା କୁମାରୀ ଦେଇଙ୍କୁ ବିଦ୍ୟାଳୟ ପରିସରରେ ଭାବପୂର୍ଣ୍ଣ ପରିବେଶ ମଧ୍ୟରେ ବିଦାୟୀକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ସୁମଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ଷଢଙ୍ଗୀ, ତିତିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରାମଚନ୍ଦ୍ର ଶତପଥି, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁଶାନ୍ତ କୁମାର ବାରିକ, ପୁରାତନ ଛାତ୍ର କାର୍ତ୍ତିକ ଚନ୍ଦ୍ର ବେହେରା, ଲକ୍ଷ୍ମୀପ୍ରିୟା ସାହୁ, ସସ୍ମିତା ବାରିକ, ପାନା ସୋରେନ, ବାବୁ ମଲ୍ଲିକ, ସସ୍ମିତା ଦାସ, ରଶ୍ମିତା ସ୍ୱାଇଁ, ଲିଲିରାଣୀ ବେହେରା, ନୟନା ମୁଦୁଲି ପ୍ରମୁଖ ଯୋଗଦେଇ ଶ୍ରୀମତୀ ଦେଇଙ୍କ ୨୯ ବର୍ଷର ଶିକ୍ଷକତା, ଛାତ୍ରାବତ୍ସଳତା ଓ ସମୟାନୁବର୍ତ୍ତିତା ଉପରେ ଗଭୀର ଆଲୋକପାତ କରିଥିଲେ । ଶିକ୍ଷା ସହ ଛାତ୍ରଛାତ୍ରୀ ମାନଙ୍କୁ ସୁନ୍ଦର ଭାବେ ଗଢି ତୋଳିବା ଓ ବିଦ୍ୟାଳୟର ଶୈଖିକ ବାତାବରଣ ସୃଷ୍ଟି କରିବାରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦେଇଙ୍କ ଅବଦାନ ଅତ୍ୟନ୍ତ ଅତୁଳନୀୟ ଅଟେ । ତାଙ୍କର ଅବସର ଶିକ୍ଷା ପାଇଁ ଅପୂରଣୀୟ କ୍ଷତି ଘଟିଲା ବୋଲି ଅତିଥି ମାନେ ଓ ଗ୍ରାମର ଗ୍ରାମବାସୀ ମାନେ ମତବ୍ୟକ୍ତ କରିଥିଲେ । ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଆଦର୍ଶ କଥାକୁ ମନେ ପକାଇ ଭାବବିହ୍ୱଳ ହୋଇପଡ଼ିଥିଲେ । ଯାହା ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ କାନ୍ଦୁଥିବାର ଦେଖିବାକୁ ମିଳିଛି । ଏହି ସମ୍ବର୍ଦ୍ଧନା ସଭାରେ ଶ୍ରୀମତୀ ଦେଇଙ୍କ ପୁରାତନ ଛାତ୍ରଛାତ୍ରୀ ଓ ଛାତ୍ର ଅଭିଭାବକ ମାନେ ଯୋଗ ଦେଇଥିଲେ । ପୁରାତନ ଛାତ୍ରଛାତ୍ରୀ ଓ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରଧାନଶିକ୍ଷୟିତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇଥିଲା ।
