ଗଞ୍ଜାମ / ହିଞ୍ଜିଳିକାଟୁ, 26/05/2026, ଉତ୍କଳ voice news - utkalvoicenews.com ତା - (୨୬/୫) :

ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀରେ ମହିଳା ବିଜୁ ଜନତା ଦଳ ପକ୍ଷରୁ “ନାରୀ ଅଧିକାର ଅଭିଯାନ” କାର୍ଯ୍ୟକ୍ରମ ମଙ୍ଗଳବାର ସକାଳ ୯ ଘଣ୍ଟା ସମୟରେ ହିଞ୍ଜିଳି ଓ ଶେରଗଡ ବିଜୁ ଜନତା ଦଳ ପକ୍ଷରୁ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ପୂର୍ବତନ ମନ୍ତ୍ରୀ ସ୍ନେହାଗିନୀ ଛୁରିଆ ଯୋଗଦେଇଥିଲେ । ମହିଳା ମାନଙ୍କୁ ସୁରକ୍ଷା, ସମ୍ମାନ ଓ ରାଜନୈତିକ କ୍ଷେତ୍ରରେ ୩୩ ପ୍ରତିଶତ ସଂରକ୍ଷଣ ଦାବିକୁ ନେଇ ଆଜି ଶହ ଶହ ବିଜେଡି କର୍ମୀ ଓ ମହିଳା ମାନେ ଏକତ୍ରିତ ହୋଇ ହିଞ୍ଜିଳିକାଟୁ ଡାକବଙ୍ଗଳା ଠାରୁ ଏକ ବିଶାଳ ମହିଳା ରାଲି ଓ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ହିଞ୍ଜିଳିକାଟୁ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ପ୍ରତିନିଧିମଣ୍ଡଳୀ ହିଞ୍ଜିଳିକାଟୁ ଗୋଷ୍ଠୀ ଉନୟନ ଅଧିକାରୀ ଶ୍ରୀମତି ସୁଶ୍ରୀ ସାଗରିକା ଷଡ଼ଙ୍ଗୀ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ବିଜୁ ଜନତା ଦଳର ସୁପ୍ରିମୋ ତଥା ଓଡ଼ିଶା ବିଧାନସଭାର ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ବିଜେଡି ସାଧାରଣ ସମ୍ପାଦିକା ଡଃ ରଞ୍ଜିତା ସାହୁ, ହିଞ୍ଜିଳି ବିଧାୟକଙ୍କ ଡି.ଆର.ଡ଼ି.ଓ. ପ୍ରତିନିଧି ଶ୍ରୀ ଦେବାନନ୍ଦ ମହାପାତ୍ର, ବ୍ଲକ ପ୍ରତିନିଧି ଶ୍ରୀ ଏ. ସୁଦର୍ଶନ, ୬୯ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ପ୍ରିତି ସାହୁ, ବରିଷ୍ଠ ନେତା ଶ୍ରୀ ସୁରେନ୍ଦ୍ର ନାଥ ପ୍ରଧାନ, ଯୁବ ନେତା ଶ୍ରୀ ଅଜୟ ମହାରଣା ଓ ବ୍ଲକ ସଭାପତି ଶ୍ରୀ ଦୁର୍ଗା ମାଧବ ମହାନ୍ତିଙ୍କ ନେତୃତ୍ୱରେ ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ଶତାଧିକ ମହିଳା କର୍ମୀ ଯୋଗଦେଇଥିଲେ। ୨୦୨୩ ମସିହାରେ ପାରିତ ମହିଳା ସଂରକ୍ଷଣ ବିଲ୍କୁ ତୁରନ୍ତ ଲାଗୁ କରିବା ପାଇଁ ଦାବି କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ରାଜ୍ୟରେ “ଡବଲ୍ ଇଞ୍ଜିନ୍ ସରକାର” ମହିଳା ସୁରକ୍ଷା ଓ ନାରୀ ନିର୍ଯ୍ୟାତନା ରୋକିବାରେ ସଂପୂର୍ଣ୍ଣ ବିଫଳ ହୋଇଛି। ଓଡ଼ିଶାରେ ବଢୁଥିବା ନାରୀ ହିଂସା ଘଟଣାକୁ ନେଇ ବିଜେଡି ନେତୃବୃନ୍ଦ ଚିନ୍ତା ପ୍ରକାଶ କରିଥିଲେ। ରାଜ୍ୟ ମହିଳା ବିଜେଡି ସାଧାରଣ ସମ୍ପାଦିକା ଡଃ ରଞ୍ଜିତା ସାହୁ କହିଥିଲେ ଯେ, ମହିଳା ସଂରକ୍ଷଣ ନାମରେ ବିଜେପି ସରକାର ମା’ ଭଉଣୀମାନଙ୍କୁ ଭ୍ରମିତ କରୁଛି। ମହିଳାଙ୍କ ଅଧିକାର, ସମ୍ମାନ ଓ ସୁରକ୍ଷା ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ ସ୍ୱର ଉତ୍ତୋଳନ କରିବାକୁ ସେ ଆହ୍ୱାନ ଦେଇଥିଲେ। ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାରେ ଏବଂ ନାରୀ ନିର୍ଯ୍ୟାତନା ରୋକିବାରେ ବିଜେପି ସରକାର ବିଫଳ ବୋଲି ସେ ଅଭିଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିରୋଧୀଦଳର ମାନ୍ୟବର ମୁଖ୍ୟ ସଚେତକ ତଥା ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ବିଜେଡିର ରାଜ୍ୟ ମହିଳା ସଭାନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସ୍ନେହଙ୍ଗିନୀ ଛୁରିଆ ଯୋଗଦେଇ ରାଲିକୁ ସଫଳ କରିଥିଲେ। ଏହା ସହ ହିଞ୍ଜିଳି ଓ ଶେରଗଡ଼ ବ୍ଲକର ସମସ୍ତ ଜନପ୍ରତିନିଧି, ସରପଞ୍ଚ ସମିତିସଭ୍ୟ, ବରିଷ୍ଠ କର୍ମକର୍ତ୍ତା, ବିଜୁ ନବୀନ ପ୍ରେମୀ ଓ ଯୁବ ଛାତ୍ର ଓ ବହୁମାତ୍ରାରେ ମହିଳା ମାନେ ଯୋଗ ଦେଇଥିଲେ ।