ରାୟଗଡ଼ା, 27/05/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*

ରାୟଗଡା ଜିଲ୍ଲାର କଲ୍ୟାଣସିଂପୁର ବ୍ଲକ୍ସ୍ଥିତ ପଲମା ସରକାରୀ ଉଚ୍ଚ ବିଦ୍ୟାଳୟ ପୁଣିଥରେ ଜିଲ୍ଲା ଓ ରାଜ୍ୟ ପାଇଁ ଗର୍ବର କାରଣ ପାଲଟିଛି। ବିଦ୍ୟାଳୟର ତିନିଜଣ ପ୍ରତିଭାଶାଳୀ ଖେଳାଳି ଜାତୀୟ ଉପକନିଷ୍ଠ ଥ୍ରୋ’ବଲ୍ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେମାନେ ହେଲେ ନିକିତା ମାଣ୍ଡିକା, ସ୍ୱପ୍ନା ହୁଇକା ଏବଂ ମୌସୁମୀ ମାଝୀ।ଏହି ସଫଳତା କେବଳ ବିଦ୍ୟାଳୟ ପାଇଁ ନୁହେଁ, ସମଗ୍ର ରାୟଗଡା ଜିଲ୍ଲା ପାଇଁ ମଧ୍ୟ ଗର୍ବ ଓ ଆନନ୍ଦର ବିଷୟ ହୋଇଛି। ଜାତୀୟ ଉପକନିଷ୍ଠ ଥ୍ରୋ’ବଲ୍ ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ଖେଳାଳିମାନେ ଅଂଶଗ୍ରହଣ କରିଥିଲେ। ସେଥିରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ ପଲମା ବିଦ୍ୟାଳୟର ଏହି ତିନିଜଣ ଖେଳାଳି।ଗ୍ରାମୀଣ ଅଞ୍ଚଳରୁ ଜାତୀୟ ସ୍ତରକୁ ପହଞ୍ଚିବା ସେମାନଙ୍କ କଠିନ ପରିଶ୍ରମ, ଅଦମ୍ୟ ଇଚ୍ଛାଶକ୍ତି ଓ ନିୟମିତ ଅଭ୍ୟାସର ପରିଣାମ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ଖେଳାଳିମାନଙ୍କ ଏହି ସଫଳତା ପରେ ବିଦ୍ୟାଳୟରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ଅଞ୍ଚଳବାସୀ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷକ ବାବୁଲା ମେଲାକା କହିଛନ୍ତି ଯେ, ଏହି ଛାତ୍ରଛାତ୍ରୀମାନେ ଦୀର୍ଘଦିନ ଧରି ନିୟମିତ ଅଭ୍ୟାସ କରୁଥିଲେ। ସେମାନଙ୍କ ଦୃଢ଼ ସଂକଳ୍ପ ଓ ପରିଶ୍ରମର ଫଳସ୍ୱରୂପ ସେମାନେ ଜାତୀୟ ସ୍ତରରେ ବ୍ରୋଞ୍ଜ ପଦକ ହାସଲ କରି ସୁନାମ ଅର୍ଜନ କରିଛନ୍ତି।ବିଦ୍ୟାଳୟର ପ୍ରଧାନଶିକ୍ଷକ ମଧ୍ୟ ଖେଳାଳିମାନଙ୍କୁ ଶୁଭକାମନା ଜଣାଇ କହିଛନ୍ତି ଯେ, ପଲମା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କେବଳ ପାଠପଢ଼ାରେ ନୁହେଁ, କ୍ରୀଡା କ୍ଷେତ୍ରରେ ମଧ୍ୟ ନିଜ ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ଆଗାମୀ ଦିନରେ ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।ବ୍ରୋଞ୍ଜ ପଦକଜେତା ଖେଳାଳିମାନଙ୍କ ଅଭିଭାବକମାନେ ମଧ୍ୟ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ଯଦି ସଠିକ୍ ପରିବେଶ ଓ ପ୍ରଶିକ୍ଷଣ ପାଆନ୍ତି, ତେବେ ସେମାନେ ଜାତୀୟ ସ୍ତରର ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ନିଜ ପ୍ରତିଭା ପ୍ରଦର୍ଶନ କରିପାରିବେ।