ବାଲେଶ୍ଵର, 02/06/2026, ଉତ୍କଳ voice news - utkalvoicenews.comବାଲେଶ୍ଵର ତା୦୧/୦୬/୨୦୨୬.

ସଦର ବ୍ଲକ ଅନ୍ତର୍ଗତ ଖାନନଗର ପଞ୍ଚାୟତ ବାଙ୍ଗରା ରେଲୱେ ଫାଟକ ନିକଟରେ ରେଲୱେ ଷ୍ଟେସନ ଏବଂ ଉଡନ୍ତା ପୋଲ ନିର୍ମାଣ ଲାଗି ଦୀର୍ଘଦିନ ଧରି ଦାବି ହୋଇଆସୁଛି। ସେହି ଫାଟକ ଦେଇ ବିଭିନ୍ନ ପଞ୍ଚାୟତ ଯଥା ଖାନନଗର, ଗେଙ୍ଗୁଟି, ଶାସଙ୍ଗ, କୁରୁଡା, ଜୟଦେବ କସବା, ରସାଳପୁର, ପଦ୍ମପୁର, ବର୍ଦ୍ଧନପୁର ପ୍ରଭୃତି ଅଞ୍ଚଳର ଲକ୍ଷାଧିକ ଲୋକ କର୍ମସଂସ୍ଥାନ ଓ ଜରୁରୀ କାର୍ଯ୍ୟ ପାଇଁ ଯାତାୟାତ କରିବା ସମୟରେ ରେଲୱେ ଫାଟକ ପଡିବା ଯୋଗୁଁ ନାନାଦି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ନିକଟରେ ଅବସ୍ଥିତ ଏବିଏ କଲେଜ, ନିଳକଣ୍ଠେଶ୍ବର କଲେଜ, ମଡର୍ଣ୍ଣ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଏବଂ ସେମାନଙ୍କର ପରୀକ୍ଷା ସମୟରେ ଯିବାଆସିବାର ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରେଲୱେ ଫାଟକ ପଡିବା ଯୋଗୁଁ ରାତି ଅଧରେ ଆମ୍ବୁଲାନ୍ସରେ ରୋଗୀ ସେବା ବାଧାପ୍ରାପ୍ତ ହେବା ଯୋଗୁଁ ବହୁ ଜୀବନ ନଷ୍ଟ ହେଉଛି। ଏହି ପରିପ୍ରେକ୍ଷୀରେ ୨୭ ଏପ୍ରିଲ ୨୦୨୬ ରେ ଦକ୍ଷିଣ ପୂର୍ବ ରେଳବାଇ ଡି, ଆର, ଏମ୍, ଙ୍କୁ ବାଙ୍ଗରା ରେଳଷ୍ଟେସନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରେଲୱେ ଷ୍ଟେସନ ଏବଂ ଉଡନ୍ତା ପୋଲ ନିର୍ମାଣ ଲାଗି ଦାବିପତ୍ର ପ୍ରଦାନ କରାଯାଇଥିଲେ ବି ବହୁ ଦିନର ଦାବି ପୂରଣ ହୋଇପାରି ନାହିଁ। ଆଗରୁ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରେମୁଣା ବିଧାୟକ ତଥା ଓଡ଼ିଶା ବିଧାନସଭାର ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ଏବିଷୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା ବେଳେ ଆଜି ସୋମବାର ସକାଳ ୯ ଘଟିକା ସମୟରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବିପତ୍ର ପ୍ରଦାନ କରିଛନ୍ତି। ତାପରେ ସଦର ବିଧାୟକ ମାନସ କୁମାର ଦତ୍ତ ଙ୍କୁ ଜେଲ୍ ରୋଡ଼ ସ୍ଥିତ କାର୍ଯ୍ୟାଳୟରେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ପ୍ରଦାନ ସମୟରେ କ୍ରିୟାନୁଷ୍ଠାନ କମିଟି ସଭାପତି ସତ୍ୟନାରାୟଣ ଆଚାର୍ଯ୍ୟ, ସାଧାରଣ ସମ୍ପାଦକ ନିରଞ୍ଜନ ଦାସ, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ନାୟକଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଏବଂ ଅଞ୍ଚଳବାସୀ ମାନେ ଉପସ୍ଥିତ ଥିଲେ।