ଗଞ୍ଜାମ, 04/06/2026, ଉତ୍କଳ voice news - utkalvoicenews.comଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅଧୀନ ଦାରୁଭଦ୍ରା ଗ୍ରାମ ପଞ୍ଚାୟତରେ ବୟସ୍କ ଭତ୍ତା ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆସିଥିବା ସରକାରୀ ପାଣ୍ଠିରୁ ପ୍ରାୟ ୧୨ ଲକ୍ଷ ୩୦ ହଜାର ଟଙ୍କା ହେରଫେର ହୋଇଥିବା ଅଭିଯୋଗ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାରେ ସମ୍ପୃକ୍ତ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ତ୍ରିଲୋଚନ ନାୟକଙ୍କୁ ପୁଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ, ଦାରୁଭଦ୍ରା ଗ୍ରାମ ପଞ୍ଚାୟତରେ ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗଙ୍କ ପାଇଁ ଆସୁଥିବା ଭତ୍ତା ରାଶି ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆବଣ୍ଟିତ ଅର୍ଥରେ ଅନିୟମିତତା ହୋଇଥିବା ନେଇ ପ୍ରଶାସନ ପକ୍ଷରୁ ସନ୍ଦେହ ପ୍ରକାଶ ପାଇଥିଲା। ଗତ ମାର୍ଚ୍ଚ ମାସରେ ପଞ୍ଚାୟତର ବ୍ୟାଙ୍କ ଖାତା ସମ୍ପର୍କିତ ତଥ୍ୟ ନିୟମିତ ଭାବେ ଅପଡେଟ୍ ନ ହେବାରୁ ବ୍ଲକ ପ୍ରଶାସନର ନଜରକୁ ଏହି ବିଷୟ ଆସିଥିଲା।
ଏହାପରେ ହିଞ୍ଜିଳିକାଟୁ ବିଡିଓ ସମ୍ପୃକ୍ତ ପିଇଓଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ନୋଟିସର ଜବାବରେ ପିଇଓ ପକ୍ଷରୁ ଦିଆଯାଇଥିବା ସ୍ପଷ୍ଟୀକରଣ ସନ୍ତୋଷଜନକ ନ ଥିବାରୁ ବିଡିଓ ସମସ୍ତ ତଥ୍ୟ ଓ ରିପୋର୍ଟ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିଡିଓ ହିଞ୍ଜିଳି ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରେ ପ୍ରାୟ ୧୨ ଲକ୍ଷ ୩୦ ହଜାର ଟଙ୍କା ହେରଫେର ହୋଇଥିବା ସନ୍ଦେହ ହେବା ପରେ ପୁଲିସ ପିଇଓ ତ୍ରିଲୋଚନ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଏନେଇ ବିଡିଓ ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏପଟେ ଏହି ଘଟଣାର ସିଧାସଳଖ ପ୍ରଭାବ ଗ୍ରାମର ବୟସ୍କ ଓ ଅସହାୟ ଲୋକଙ୍କ ଉପରେ ପଡ଼ିଛି। ଗତ ଦୁଇରୁ ତିନି ମାସ ଧରି ଅନେକ ହିତାଧିକାରୀ ତାଙ୍କ ଭତ୍ତା ରାଶି ପାଇନଥିବାରୁ ନାନା ସମସ୍ୟାରେ ପଡ଼ିଛନ୍ତି। କେହି ଔଷଧ କିଣିବାରେ ଅସମର୍ଥ ହେଉଥିବା ବେଳେ ଆଉ କେହି ପରିବାର ଚଳାଇବା ପାଇଁ ହଇରାଣ ହେଉଛନ୍ତି। ଭତ୍ତା ଟଙ୍କା ଆସିଛି କି ନାହିଁ ଜାଣିବା ପାଇଁ ବୃଦ୍ଧମାନେ ଖରାରେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ୟାଙ୍କକୁ ଦୌଡ଼ି ନିରାଶ ହୋଇ ଫେରୁଥିବା ଅଭିଯୋଗ କରିଛନ୍ତି।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ହେରଫେର ହୋଇଥିବା ସମସ୍ତ ଟଙ୍କା ଫେରସ୍ତ କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଏବଂ ହିତାଧିକାରୀଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।