ଗଞ୍ଜାମ/ବୁଗୁଡା , 08/06/2026, ଉତ୍କଳ voice news - utkalvoicenews.com

ବୁଗୁଡ଼ାରେ ପାଞ୍ଚ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ଟାଉନ୍ ହଲ୍ ନିର୍ମାଣ ନିମନ୍ତେ ଏନ୍ଏସି ଅନ୍ତର୍ଗତ କାଞ୍ଜିଆପଲ୍ଲୀ ପାର୍କ ରାସ୍ତା ଏବଂ ମୋଟାବାଡି ରାସ୍ତା କଡରେ ତହସିଲଦାରଙ୍କ ଦ୍ଵାରା ୩୭୦ ଡେସିମିଲ ସରକାରୀ ଜାଗା ଚିହ୍ନଟ ପରେ ସେହି ସ୍ଥାନର ମୂର୍ତ୍ତିକା ପରୀକ୍ଷଣ କାର୍ଯ୍ୟକ୍ରମ ଗତ ୩ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା । ତେବେ ମୂର୍ତ୍ତିକା ପରୀକ୍ଷଣ ପାଇଁ ସରକାରୀ ଜାଗାରେ ଗାତ ଖୋଲିବା ପରିବର୍ତ୍ତେ ରଘୁନାଥ ସାହୁ ନାମକ ଜନୈକ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜାଗାରେ ୭ଫୁଟ ଗଭୀରତା ବିଶିଷ୍ଟ ୩ଟି ଗାତ ଖୋଳା ଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏନେଇ ସେ ତହସିଲଦାର ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଉକ୍ତ ଗାତ ପୋତିବା ପାଇଁ ଅନୁରୋଧ କରିଥିବା କହିଛନ୍ତି । ଏନେଇ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରାଙ୍କୁ ପଚାରିବାରୁ ରଘୁନାଥଙ୍କ ଜାଗାରେ ଭୁଲବଶତଃ ଗୋଟିଏ ଗାତ ଖୋଳି ହୋଇଯାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି ଜାଗା ଚିହ୍ନଟ କରିଥିବା ରାଜସ୍ୱ ନିରୀକ୍ଷକଙ୍କ ଭୁଲ ଯୋଗୁଁ ଏପରି ହୋଇଛି ନା ଏନ୍ଏସି କର୍ତ୍ତୃପକ୍ଷଙ୍କ ଖାମଖୁଆଲି ନୀତି ଯୋଗୁଁ ଏମିତି ତ୍ରୁଟି ଘଟିଛି। ଅନ୍ୟ ପକ୍ଷରେ ଟାଉନ୍ ହଲ୍ ନିର୍ମାଣ ନିମନ୍ତେ ଚିହ୍ନଟ ହୋଇଥିବା ଜମି ବୁଗୁଡ଼ା ସହର ଠାରୁ ବହୁ ଦୂରରେ ହୋଇଥୁବାରୁ ସହର ଭିତରେ ଟାଉନ୍ ହଲ୍ ନିର୍ମାଣ ପାଇଁ ସାଧାରଣରେ ଦାବି ହେଉଛି।