ଜଗତସିଂହପୁର, 10/06/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :

ଜଗତସିଂହପୁର ସୃଷ୍ଟି ଓଡିଶୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ୨ଦିନିଆ ଶାରଳା ଓଡିଶୀ ମହୋତ୍ସବ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ଏହି ଶାସ୍ତ୍ରୀୟ ନୃତ୍ୟ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ଜିଲ୍ଲାପାଳ ଜେ ସୋନାଲ,ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା,ଜଗନ୍ନାଥ ସଂସ୍କୃତି ପ୍ରଚାରକ ବାବା ଦିବାକର ଦାସ ମହାରାଜ, ରୋଟାରିଆନ ଯଜ୍ଞାଶୀଷ ମହାପାତ୍ର, ସୃଷ୍ଟି ଏକାଡେମୀ ର ଉପଦେଷ୍ଟା ମନୋଜ କୁମାର ଦାସ ପ୍ରମୁଖ ଯୋଗ ଦେଇ କହିଥିଲେ ଯେ ମହାପ୍ରଭୁ ଜଗନ୍ନାଥଙ୍କର ଅତି ପ୍ରିୟ ନୃତ୍ୟ ହେଉଛି ଦେବଦାସୀ ନୃତ୍ୟ ।ସେହି ଦେବଦାସୀ ନୃତ୍ୟରୁ ଓଡିଶୀ ନୃତ୍ୟର ସୃଷ୍ଟି ବୋଲି ଅତିଥିମାନେ କହିବା ସହିତ ଏଭଳି କାର୍ଯ୍ୟକ୍ରମ କୁ ସ୍ୱାଗତ କରିଥିଲେ ।ଆମ ଓଡ଼ିଆ ସଂସ୍କୃତି, ପରମ୍ପରା ସାରା ବିଶ୍ୱ ବିଦିତ ।ଏହି ଓଡିଶୀ ନୃତ୍ୟ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି । ଜଗତସିଂହପୁର ଜିଲ୍ଲାରେ ସ୍ଥାପିତ "ସୃଷ୍ଟି ଓଡ଼ିଶୀ ଡ୍ୟାନ୍ସ ଏକାଡେମୀ"ର ପ୍ରତିଷ୍ଠା ଦିବସ ଆଡମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଥିବା ବେଳେ ଏକାଡେମୀ ର ଶିକ୍ଷାର୍ଥୀମାନେ ମନୋମୁଗ୍ଧକର ଓଡ଼ିଶୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ମୁଗ୍ଧ କରିଥିଲେ।ଓଡ଼ିଶୀ ନୃତ୍ୟ କେବଳ ଏକ କଳା ନୁହେଁ, ବରଂ ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଆଧ୍ୟାତ୍ମିକ ଐତିହ୍ୟର ଜୀବନ୍ତ ପ୍ରତୀକ। ସୃଷ୍ଟି ଓଡ଼ିଶୀ ଏକାଡେମୀ ଦୀର୍ଘ ବର୍ଷ ଧରି ଏହି ଶାସ୍ତ୍ରୀୟ ନୃତ୍ୟ ଶୈଳୀର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଆସୁଛି।
ସୃଷ୍ଟି ଓଡ଼ିଶୀ ଡ୍ୟାନ୍ସ ଏକାଡେମୀର ଦ୍ବାରା ଅନେକ ଛାତ୍ରଛାତ୍ରୀ ରାଜ୍ୟ ଓ ଜାତୀୟ ସ୍ତରରେ ସଫଳତା ହାସଲ କରି ଜଗତସିଂହପୁର ଜିଲ୍ଲାର ନାମକୁ ଗୌରବାନ୍ୱିତ କରିଛନ୍ତି। ନୂତନ ପିଢ଼ି ମଧ୍ୟରେ ଓଡ଼ିଶୀ ନୃତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ଏହାର ମୌଳିକତାକୁ ଅକ୍ଷୁଣ୍ଣ ରଖିବା ଦିଗରେ ଏକାଡେମୀର ପ୍ରୟାସ ପ୍ରଶଂସନୀୟ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ମଧ୍ୟ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥାଏ । ତେବେ ପ୍ରତିଷ୍ଠା ଦିବସ ଅବସରରେ ଗୁରୁଜନ, କଳାକାର, ଅଭିଭାବକ ଓ ସଂସ୍କୃତି ପ୍ରେମୀମାନେ ଏକାଡେମୀର ଭବିଷ୍ୟତ ସଫଳତା କାମନା କରିଥିଲେ। ଓଡ଼ିଶାର ଗୌରବମୟ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀକୁ ବିଶ୍ୱ ଦରବାରରେ ଆହୁରି ପ୍ରତିଷ୍ଠିତ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ଏହି ମହୋତ୍ସବର ଉଦଯାପନୀ ଉତ୍ସବରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ଆନ୍ତର୍ଜାତିୟ ଖ୍ୟାତି ସମ୍ପନ୍ନ ଓଡିଶୀ ନୃତ୍ୟ ଶିଳ୍ପୀ ଡକ୍ଟର ଚିତ୍ତ ରଞ୍ଜନ ସାହାଣୀ ଯୋଗ ଦେଇ କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା କ୍ଷେତ୍ରରେ ଜଗତସିଂହପୁର ଜିଲ୍ଲା ସାରା ରାଜ୍ୟ ଓ ଦେଶରେ ସୁନାମ ଅର୍ଜନ କରିଛି ।କଳାର ପ୍ରଚାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୋତ୍ସାହନ ରାଶି ଯୋଗାଇ ଦେଇଛନ୍ତି । ଜିଲ୍ଲାରେ ଚଳିତ ବର୍ଷ ପ୍ରଥମ କରି ଏହି ସାରଳା ଓଡିଶୀ ନୃତ୍ୟ ମହୋତ୍ସବ ଆୟୋଜନ ହୋଇଥିବାରୁ ସମସ୍ତଙ୍କ ମନରେ ଆନନ୍ଦ ଉତ୍ସାହ ଭାରି ଦେଇଛି ।

