ଜଗତସିଂହପୁର , 17/06/2026, ଉତ୍କଳ voice news - utkalvoicenews.com( ପ୍ରସନ୍ନଜିତ ଦାସ ଙ୍କ ରିପୋର୍ଟ ) :

ସମାଜସେବା, ପରିବେଶ ସଂରକ୍ଷଣ ଏବଂ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତଗତ କୃଷ୍ନାଦାସପୁର ପଞ୍ଚାୟତର ରାୟରପୁର ଗ୍ରାମର ସମାଜସେବୀ ତଥା ପରିବେଶପ୍ରେମୀ ସୁଶ୍ରୀ ସୌନ୍ଦର୍ଯ୍ୟାମୟୀ ପାଲଙ୍କୁ ପ୍ରତିଷ୍ଠିତ ଜାତୀୟ ସ୍ତରୀୟ "କମ୍ମୁ ରାଷ୍ଟ୍ର ଗୌରବ ସମ୍ମାନ-୨୦୨୬" ପାଇଁ ମନୋନୀତ କରାଯାଇଛି।ରାଜସ୍ଥାନର ସିକର ସ୍ଥିତ କମଳା ଦେବୀ ଜନସେବା ସଂସ୍ଥାନ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯିବ। ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ମନୋନୀତ ପ୍ରାର୍ଥୀଙ୍କ ତାଲିକାରେ ଦେଶର ବିଭିନ୍ନ ରାଜ୍ୟର ସାହିତ୍ୟିକ,ସାମାଜିକ କର୍ମୀ ଏବଂ ଶିକ୍ଷାବିତ୍ମାନଙ୍କ ସହ ସୁଶ୍ରୀ ସୌନ୍ଦର୍ଯ୍ୟାମୟୀ ପାଲଙ୍କ ନାମ ମଧ୍ୟ ସ୍ଥାନ ପାଇଛି।ସାମାଜିକ ଓ ପରିବେଶଗତ କ୍ଷେତ୍ରରେ ତାଙ୍କର ନିଷ୍ଠାପର କାର୍ଯ୍ୟ ଓ ଅବଦାନକୁ ସ୍ୱୀକୃତି ଦେଇ ତାଙ୍କୁ ଏହି ସମ୍ମାନ ପାଇଁ ଚୟନ କରାଯାଇଛି।
ସୁଶ୍ରୀ ସୌନ୍ଦର୍ଯ୍ୟାମୟୀ ପାଲ ଦୀର୍ଘଦିନ ଧରି ରକ୍ତଦାନ ଅଭିଯାନ, ବୃକ୍ଷରୋପଣ କାର୍ଯ୍ୟକ୍ରମ,ସ୍ୱଚ୍ଛତା ଅଭିଯାନ,ନିଶା ନିବାରଣ ସଚେତନତା ଏବଂ ବିଭିନ୍ନ ସାମାଜିକ ସେବା କାର୍ଯ୍ୟରେ ସକ୍ରିୟ ଭୂମିକା ନିଭାଇ ଆସୁଛନ୍ତି।ଏହି ସେବାମୂଳକ କାର୍ଯ୍ୟ ମାଧ୍ୟମରେ ସେ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।ବର୍ତ୍ତମାନ ସେ ତେଲେଙ୍ଗାନାର ହାଇଦ୍ରାବାଦ ସ୍ଥିତ ଡିବିଏଚ୍ପିଏସ୍ (DBHPS) ତାଲିମ ମହାବିଦ୍ୟାଳୟରେ ଶିକ୍ଷକ ତାଲିମ ଗ୍ରହଣ କରୁଛନ୍ତି।ତାଙ୍କର ଏହି ସଫଳତା ଜଗତସିଂହପୁର ଜିଲ୍ଲା ସମେତ ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି।ପ୍ରତିଷ୍ଠାନ ପକ୍ଷରୁ ଜାରି ସୂଚନା ଅନୁଯାୟୀ,ଆସନ୍ତା ୧୫ ଅଗଷ୍ଟ ୨୦୨୬ ତାରିଖ ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍ତରୀୟ ଅନଲାଇନ୍ ସମାରୋହରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ।ସୁଶ୍ରୀ ସୌନ୍ଦର୍ଯ୍ୟାମୟୀ ପାଲଙ୍କ ଏହି ଉପଲବ୍ଧି ପାଇଁ ତାଙ୍କର ଶିକ୍ଷକ,ସହଯୋଗୀ,ବନ୍ଧୁ ଏବଂ ଶୁଭେଚ୍ଛୁମାନେ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।
