ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଢେଙ୍କାନାଳରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା ଉପରେ ସାମ୍ବାଦିକ ସମ୍ମିଳନୀ ;ବିକାଶମୂଳକ ପଦକ୍ଷେପ ଉପସ୍ଥାପନ କଲେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ

ଢେଙ୍କାନାଳ, 18/06/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) : ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଜି ଢେଙ୍କାନାଳ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
Article Image
ପ୍ରଥମେ ମାନ୍ୟବର ମନ୍ତ୍ରୀ ଶ୍ରୀ ସ୍ୱାଇଁ ଢେଙ୍କାନାଳ ମିନି ଷ୍ଟାଡିୟମଠାରେ ବିଭିନ୍ନ ବିଭାଗ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀ ଷ୍ଟଲ୍‌ଗୁଡ଼ିକର ଉଦ୍‌ଘାଟନ କରିଥିଲେ। ଏହି ଷ୍ଟଲ୍‌ଗୁଡ଼ିକ ମାଧ୍ୟମରେ ଓଡ଼ିଶା ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଏବଂ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ପରବର୍ତ୍ତୀ ସମୟରେ ଜିଲ୍ଲା ସଦ୍‌ଭାବନା ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ରାଜ୍ୟ ସରକାରଙ୍କ ଗତ ଦୁଇ ବର୍ଷର ବିଭିନ୍ନ ଉଲ୍ଲେଖନୀୟ ସଫଳତା ଏବଂ ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ସେବା, ସୁଶାସନ ଓ ଜନକଲ୍ୟାଣକୁ ପ୍ରାଧାନ୍ୟ ଦେଇ “ସମୃଦ୍ଧ ଓଡ଼ିଶା” ଗଠନ ଦିଗରେ କାର୍ଯ୍ୟ କରୁଛନ୍ତି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ଶିଳ୍ପାୟନ, ମହିଳା ସଶକ୍ତିକରଣ ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛନ୍ତି। ଢେଙ୍କାନାଳ ଜିଲ୍ଲାର ବିକାଶ ପ୍ରସଙ୍ଗରେ ସେ କହିଥିଲେ ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ପ୍ରାୟ ୯.୪ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯାଇଥିବା ବେଳେ ଏହାର ସଫଳତା ହାର ୯୯.୮୯ ପ୍ରତିଶତ ରହିଛି। ବିଭିନ୍ନ ଆବାସ ଯୋଜନାରେ ୧୨ ହଜାରରୁ ଅଧିକ ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଜିଲ୍ଲାରେ ୧୩୭ କିଲୋମିଟର ସଡ଼କ ଏବଂ ୧୬ଟି ସେତୁ ନିର୍ମାଣ କରାଯାଇ ସଂଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ସେହିପରି ୪୩୮ଟି ସୌର ଶକ୍ତିଚାଳିତ ଗଭୀର ନଳକୂପ ସ୍ଥାପନ ମାଧ୍ୟମରେ ଜଳସେଚନ ବ୍ୟବସ୍ଥାର ସମ୍ପ୍ରସାରଣ କରାଯାଇଛି। କୃଷି କ୍ଷେତ୍ରରେ ଜିଲ୍ଲାରେ ୪,୦୦୦ ହେକ୍ଟରରେ ଧାନ ଚାଷ, ୬,୦୦୦ ହେକ୍ଟରରେ ମୁଗ ଏବଂ ୩,୦୦୦ ହେକ୍ଟରରେ ବିରି ଚାଷ ସଫଳତାର ସହ କରାଯାଇଥିବା ବେଳେ ୫୭୬ଟି ବାୟୋଫ୍ଲକ୍ ୟୁନିଟ୍‌କୁ ସହାୟତା ପ୍ରଦାନ କରାଯାଇ ମତ୍ସ୍ୟଚାଷ ମାଧ୍ୟମରେ ଅତିରିକ୍ତ ଜୀବିକା ସୁଯୋଗ ସୃଷ୍ଟି କରାଯାଇଛି। ଶିକ୍ଷା କ୍ଷେତ୍ରରେ ଜିଲ୍ଲାର ୧.୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଓ ଅନ୍ୟାନ୍ୟ ଶିକ୍ଷା ସହାୟତା ପ୍ରଦାନ କରାଯାଇଥିବା ବେଳେ ୬.୫ ଲକ୍ଷରୁ ଅଧିକ ପାଠ୍ୟପୁସ୍ତକ ମାଗଣାରେ ବଣ୍ଟନ କରାଯାଇଛି। ୨୬୯ଟି ବିଦ୍ୟାଳୟରେ ଏଫ୍‌ଏଲ୍‌ଏନ୍‌ ଅନୁରୂପ ଶ୍ରେଣୀଗୃହ ସ୍ଥାପନ ଏବଂ ୨୧ଟି ଭାଷା ପରୀକ୍ଷାଗାର ମଞ୍ଜୁର କରାଯାଇଛି। ଦକ୍ଷତା ବିକାଶ କ୍ଷେତ୍ରରେ ସ୍ୱଳ୍ପକାଳୀନ ପ୍ରଶିକ୍ଷଣ ପ୍ରାପ୍ତ ଯୁବକ ଯୁବତୀଙ୍କ ସଂଖ୍ୟା ୫୦୬ରୁ ବୃଦ୍ଧି ପାଇ ୯୯୧ରେ ପହଞ୍ଚିଛି। ମେଗା ଜବ୍‌ ଫେୟାରରେ ୨,୨୦୦ରୁ ଅଧିକ ଯୁବକ ଯୁବତୀ ଅଂଶଗ୍ରହଣ କରିଥିବା ବେଳେ ମହିଳା ପ୍ରଶିକ୍ଷାର୍ଥୀଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଏହାପରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସ୍ୱାଇଁ ଢେଙ୍କାନାଳ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ସମ୍ବୋଧିତ କରିଥିଲେ। ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ସେମାନଙ୍କ ଅଭିଜ୍ଞତା ଶୁଣିବା ସହ ଯୋଜନାଗୁଡ଼ିକର ସଫଳ ରୂପାୟନ ସମ୍ପର୍କରେ ମତାମତ ନେଇଥିଲେ। ହିତାଧିକାରୀମାନେ ସରକାରଙ୍କ ବିଭିନ୍ନ ଯୋଜନାରୁ ପାଇଥିବା ସୁବିଧା ସମ୍ପର୍କରେ ନିଜ ଅନୁଭୂତି ବ୍ୟକ୍ତ କରିଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁ ରାଜ୍ୟରେ କୃଷକ କଲ୍ୟାଣ, ନିଯୁକ୍ତି ସୃଷ୍ଟି, ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ମହିଳା ସଶକ୍ତିକରଣ, ଶିଳ୍ପାୟନ ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସରକାରଙ୍କ ସଫଳତା ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମଗୁଡ଼ିକରେ ମାନ୍ୟବର ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି; ମାନ୍ୟବର ବିଧାୟକ, ପରଜଙ୍ଗ, ଶ୍ରୀ ବିଭୂତି ଭୂଷଣ ପ୍ରଧାନ; ମାନ୍ୟବର ବିଧାୟିକା, ହିନ୍ଦୋଳ, ଶ୍ରୀମତୀ ସୀମାରାଣୀ ନାୟକ; ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
4