ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆରୋଗ୍ୟ ମନ୍ଦିର ରେ ସିମେଣ୍ଟ-ଚାଉଳ କାରବାରକୁ ନେଇ ତୀବ୍ର ଅସନ୍ତୋଷ

ଜଗତସିଂହପୁର, 25/06/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ସରକାର ଗ୍ରାମାଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ଉପସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ସୁଦୃଢ଼ କରୁଥିବା ବେଳେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଣିତୋ ପଞ୍ଚାୟତର ଡଗରପଡା ଉପସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ସାମ୍ନାକୁ ଆସିଛି ଚମକପ୍ରଦ ଅଭିଯୋଗ। ଯେଉଁ ଭବନରେ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ମିଳିବା କଥା, ସେଠାରେ ଖୋଲାଖୋଲି ସିମେଣ୍ଟ ଓ ଚାଉଳ ବ୍ୟବସାୟ ଚାଲିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସମଗ୍ର ପଞ୍ଚାୟତରେ ଅସନ୍ତୋଷ ତୀବ୍ର ହୋଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବଣିତୋ ପଞ୍ଚାୟତ ସରପଞ୍ଚ ସ୍ୱର୍ଣ୍ଣପ୍ରଭା ଗୋଛାୟତଙ୍କ ପ୍ରତିନିଧି ଦୀପକ ଗୋଛାୟତଙ୍କ ନିର୍ଦ୍ଦେଶରେ ଦୀର୍ଘଦିନ ଧରି ଉପସ୍ୱାସ୍ଥ୍ୟ କେନ୍ଦ୍ର ପରିସରକୁ ବ୍ୟବସାୟିକ କାର୍ଯ୍ୟରେ ବ୍ୟବହାର କରାଯାଉଛି। ଫଳରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବା ପ୍ରଭାବିତ ହେଉଥିବା ସହ ସରକାରୀ ସମ୍ପତ୍ତିର ଦୁରୁପଯୋଗ ହେଉଥିବା ଅଭିଯୋଗ ଉଠିଛି। ସ୍ଥାନୀୟ ଲୋକଙ୍କ କହିବା କଥା, ସ୍ୱାସ୍ଥ୍ୟ କେନ୍ଦ୍ର ହେଉଛି ଜନସାଧାରଣଙ୍କ ଜୀବନରକ୍ଷା ପାଇଁ ନିର୍ମିତ ଏକ ପବିତ୍ର ସ୍ଥାନ। ସେହି ସ୍ଥାନକୁ ଯଦି ବ୍ୟବସାୟ କେନ୍ଦ୍ରରେ ପରିଣତ କରାଯାଏ, ତେବେ ଏହା କେବଳ ପ୍ରଶାସନିକ ଅବହେଳା ନୁହେଁ, ବରଂ ସରକାରୀ ବ୍ୟବସ୍ଥା ପ୍ରତି ଏକ ଖୋଲା ଚ୍ୟାଲେଞ୍ଜ ବୋଲି ସେମାନେ କହିଛନ୍ତି।ଏହି ଘଟଣାକୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି ଯେ, ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ବ୍ୟବସାୟ କରିବା ପାଇଁ ଅନୁମତି ଦେଲା କିଏ? କେଉଁ ନିୟମ ଅନୁଯାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଦାମ କିମ୍ବା ବ୍ୟବସାୟିକ ସ୍ଥାନ ଭାବେ ବ୍ୟବହାର କରାଗଲା? ଏହା ପଛରେ କାହାର ପ୍ରଶ୍ରୟ ରହିଛି? ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି। ଗ୍ରାମବାସୀ ଓ ପଞ୍ଚାୟତବାସୀ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛନ୍ତି। ଯଦି ଏଭଳି କାର୍ଯ୍ୟ ବନ୍ଦ ନହୁଏ, ତେବେ ଆଗାମୀ ଦିନରେ ବ୍ୟାପକ ଜନଆନ୍ଦୋଳନ କରାଯିବ ଏବଂ ଜିଲ୍ଲାବ୍ୟାପୀ ପ୍ରତିବାଦ ଗଢ଼ି ଉଠିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ସ୍ୱାସ୍ଥ୍ୟସେବା ପାଇଁ ନିର୍ମିତ ଆରୋଗ୍ୟ ମନ୍ଦିର ଯଦି ରାଜନୈତିକ ପ୍ରଭାବ ଓ ବ୍ୟକ୍ତିଗତ ସ୍ୱାର୍ଥର କେନ୍ଦ୍ର ପାଲଟିଯାଏ, ତେବେ ଏହା ଗ୍ରାମୀଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଅତ୍ୟନ୍ତ ଉଦ୍ବେଗଜନକ ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
9