ବୁଗୁଡ଼ା, 29/06/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ଶ୍ରୀ ବଳଦେବଜୀଉ ମନ୍ଦିର ପରିସର ଚଳଚଞ୍ଚଳ ହୋଇଉଠିଛି। ଆଜି ମନ୍ଦିରରେ ମହାପ୍ରଭୁ ଶ୍ରୀ ବଳଦେବଜୀଉ, ଜଗନ୍ନାଥ, ସୁଭଦ୍ରା ଓ ସୁଦର୍ଶନଙ୍କ ସ୍ନାନଯାତ୍ରା ପାରମ୍ପରିକ ରୀତିନୀତି ଅନୁଯାୟୀ ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି।ସକାଳୁ ପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି ଆଦି ନୀତିକାନ୍ତି ଶେଷ ହେବା ପରେ ମହାପ୍ରଭୁଙ୍କୁ ରତ୍ନବେଦୀରୁ ସ୍ନାନବେଦୀକୁ ଧାଡ଼ି ପହଣ୍ଡିରେ ବିଜେ କରାଯାଇଥିଲା। ଏହାପରେ ସୁବାସିତ ଜଳରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ସମ୍ପନ୍ନ ହୋଇଥିଲା। ବର୍ଷକରେ ଥରେ ମହାପ୍ରଭୁଙ୍କର ଏହି ଦୁର୍ଲଭ ସ୍ନାନଯାତ୍ରା ଓ ପରବର୍ତ୍ତୀ ପ୍ରସିଦ୍ଧ ଗଜାନନ ବେଶ ଦର୍ଶନ କରିବା ପାଇଁ ବୁଗୁଡ଼ା ଓ ଏହାର ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳହୁଳିରେ ସାରା ମନ୍ଦିର ପ୍ରାଙ୍ଗଣ ଉତ୍ସବମୁଖର ହୋଇଉଠିଥିଲା। ସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରକୁ ବିଜେ କରିଛନ୍ତି ଏବଂ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ନାହିଁ ବୋଲି ମନ୍ଦିର ପୂଜକ ସୂଚନା ଦେଇଛନ୍ତି।