ଜଗତସିଂହପୁର, 29/06/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ) :
ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ହାଜିପୁର ସ୍ଥିତ ପ୍ରସିଦ୍ଧ ଧ୍ୟାନକୁଦ ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ହୋଇଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ବୈଦିକ ରୀତିନୀତି ଓ ଭକ୍ତିମୟ ପରିବେଶ ମଧ୍ୟରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ସମ୍ପନ୍ନ ହୋଇଥିବା ବେଳେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।
ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ହାଜିପୁର ସ୍ଥିତ ଧ୍ୟାନକୁଦ ଶ୍ରୀଜଗନ୍ନାଥ ମନ୍ଦିରରେ ମହାଆଡ଼ମ୍ବରରେ ପାଳିତ ହୋଇଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ପ୍ରାତଃକାଳରୁ ମନ୍ଦିରରେ ବିଭିନ୍ନ ନୀତିକାନ୍ତି ଆରମ୍ଭ ହୋଇଥିଲା। ପରେ ବୈଦିକ ମନ୍ତ୍ରୋଚ୍ଚାରଣ ଓ ପୂଜାର୍ଚ୍ଚନା ମଧ୍ୟରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପବିତ୍ର ଜଳରେ ମହାସ୍ନାନ କରାଯାଇଥିଲା। ଏହି ଅବସରରେ ମନ୍ଦିର ପରିସରକୁ ସୁସଜ୍ଜିତ କରାଯାଇଥିବା ବେଳେ ଭଜନ, କୀର୍ତ୍ତନ ଓ ହରିନାମ ସଂକୀର୍ତ୍ତନରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା।

ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଦୂରଦୂରାନ୍ତରୁ ଶହ ଶହ ଶ୍ରଦ୍ଧାଳୁ ମନ୍ଦିରକୁ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପାରମ୍ପରିକ ରୀତିନୀତି ଅନୁଯାୟୀ ଦେବସ୍ନାନ ପରେ ମହାପ୍ରଭୁ ଅନବସରକୁ ଯିବେ। ଏହାପରେ ନବଯୌବନ ଦର୍ଶନ ପରେ ଆସନ୍ତା ରଥଯାତ୍ରାରେ ଭକ୍ତମାନଙ୍କୁ ଦର୍ଶନ ଦେବେ ବୋଲି ପରମ୍ପରା ରହିଛି।
ଭକ୍ତି, ଶ୍ରଦ୍ଧା ଓ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ଏହି ଦେବସ୍ନାନ ପୂର୍ଣ୍ଣିମା ମହୋତ୍ସବ ଭକ୍ତମାନଙ୍କ ମନରେ ଆଧ୍ୟାତ୍ମିକ ଉତ୍ସାହ ସୃଷ୍ଟି କରିଛି ।