ରାୟଗଡ଼ା, 30/06/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ପ୍ରସିଦ୍ଧ ଶକ୍ତିପୀଠ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ଦାନ ହୁଣ୍ଡି (ଦାନବାକ୍ସ) ଦୀର୍ଘ ୫ ମାସ ପରେ ପୁଣି ଥରେ ଖୋଲାଯାଇଛି। ସକାଳ ୯ଟାରେ ମାଜିଷ୍ଟ୍ରେଟ୍ ଏବଂ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର

ପରିଚାଳନା କମିଟି ତରଫରୁ ଏହି ହୁଣ୍ଡିଗୁଡ଼ିକୁ ଖୋଲାଯାଇ ଗଣତି ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଦେବୋତ୍ତର ବିଭାଗ ପକ୍ଷରୁ ନିରୀକ୍ଷକ ପୁଷ୍ପିତା ବେହେରାଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏହି ବୃହତ ଗଣତି କାର୍ଯ୍ୟକ୍ରମରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର କର୍ମଚାରୀଙ୍କ ସମେତ ମନ୍ଦିରର ଅନେକ ସ୍ୱେଚ୍ଛାସେବୀ ଓ ୩୦୦ ରୁ ଉର୍ଦ୍ଧ୍ୱ ଭକ୍ତ ସାମିଲ ହୋଇ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ହୁଣ୍ଡି ଖୋଲିବା ଏବଂ ଟଙ୍କା ଗଣତି ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ପୋଲିସ ଓ ମନ୍ଦିର ସୁରକ୍ଷା କର୍ମୀଙ୍କ ଦ୍ବାରା ସୁରକ୍ଷା ବ୍ୟବସ୍ଥାକୁ ବେଶ୍ କଡାକଡ଼ି କରାଯାଇଥିଲା। ମନ୍ଦିର କର୍ତ୍ତୃପକ୍ଷଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଚଳିତ ଗଣତି ଶେଷ ହେବା ପରେ ମା’ଙ୍କ ଭକ୍ତମାନଙ୍କ ଦ୍ୱାରା ଅର୍ପିତ ଦାନରେ ନଗଦ ୧ କୋଟି ୨୨ ଲକ୍ଷ ୨୯ ହଜାର ୭୨୩ ଟଙ୍କା, ସୁନା ୩୨ ଗ୍ରାମ ଏବଂ ରୁପା ୧ କିଲୋଗ୍ରାମ ୩୦୦ ଗ୍ରାମ ଦାନ ହୁଣ୍ଡିରୁ ବାହାରିଛି । ଏତଦବ୍ୟତୀତ ବିଭିନ୍ନ ବିଦେଶୀ ନୋଟ୍ ସହିତ ୟୂପିଆଇ ମାଧ୍ୟମରେ ୩ ଲକ୍ଷ ୫୭ ହଜାର ୨୩୧ ଟଙ୍କା ଦାନ ମିଳିଛି। ସୂଚନାଯୋଗ୍ୟ ଯେ, ମା’ ମଝିଘରିଆଣୀ ମନ୍ଦିରରେ ପ୍ରତି ବର୍ଷ ପ୍ରାୟ ୩ ରୁ ୪ ଥର ହୁଣ୍ଡି ଖୋଲାଯାଇଥାଏ। ଏହା ପୂର୍ବରୁ ଚଳିତ ବର୍ଷ ଜାନୁଆରୀ ୧୯ ତାରିଖରେ ହୁଣ୍ଡି ଖୋଲାଯାଇ ଗଣତି ହୋଇଥିଲା, ଯେଉଁଥିରେ ୯ଟି ହୁଣ୍ଡିରୁ ନଗଦ ୧ କୋଟି ୫ ଲକ୍ଷ ୫୨ ହଜାର ୮४୫ ଟଙ୍କା ସମେତ ୩୦ ଗ୍ରାମ୍ ସୁନା ଓ ୨୧୫୦ ଗ୍ରାମ୍ ରୁପା ବାହାରିଥିଲା। ଜାନୁଆରୀ ମାସ ତୁଳନାରେ ଏଥର ମା’ଙ୍କ ଦାନବାକ୍ସରୁ ନଗଦ ଟଙ୍କା ଏବଂ ଅନଲାଇନ୍ ମାଧ୍ୟମରେ ମିଳିଥିବା ଅର୍ଥରାଶିର ପରିମାଣ ଯଥେଷ୍ଟ ଅଧିକ ରହିଛି, ଯାହା ମା’ଙ୍କ ପ୍ରତି ଶ୍ରଦ୍ଧାଳୁଙ୍କ ଅତୁଟ ବିଶ୍ୱାସକୁ ଦର୍ଶାଉଛି। ଶାନ୍ତିଶୃଙ୍ଖଳାର ସହ ଗଣତି ଶେଷ ହେବା ପରେ ଏହି ସମସ୍ତ ଅର୍ଥରାଶିକୁ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ସୁରକ୍ଷିତ ଭାବେ ଜମା କରାଯାଇଛି।

