ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦୁଗ୍ଧ ବିପ୍ଳବର ନୂଆ ଠିକଣା ଢେଙ୍କାନାଳ :‘ମିଲ୍କ ଭିଲେଜ୍’ କାର୍ଯ୍ୟକ୍ରମ ବଦଳାଇଲା ଶହ ଶହ ପରିବାରର ଜୀବନ

ଢେଙ୍କାନାଳ, 06/07/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) : ଗ୍ରାମାଞ୍ଚଳର ଆର୍ଥିକ ସ୍ୱାବଲମ୍ବନର ନୂଆ ଦିଗ ଦେଖାଇଛି ଢେଙ୍କାନାଳ ଜିଲ୍ଲା ପ୍ରଶାସନର 'ମିଲ୍କ ଭିଲେଜ୍' କାର୍ଯ୍ୟକ୍ରମ। "ଦୁଗ୍ଧ ଚାଷ କେବଳ ଆୟର ମାଧ୍ୟମ ନୁହେଁ, ବରଂ ଗ୍ରାମୀଣ ସମୃଦ୍ଧି ଓ ସ୍ୱାବଲମ୍ବନର ପଥ"—ଏହି ଦୃଷ୍ଟିକୋଣକୁ ନେଇ ଜିଲ୍ଲାପାଳଙ୍କ ପ୍ରୟାସରେ ଆରମ୍ଭ ହୋଇଥିବା ଏହି ଅଭିନବ କାର୍ଯ୍ୟକ୍ରମ ଆଜି ଶହ ଶହ ଗ୍ରାମୀଣ ପରିବାରଙ୍କ ଜୀବନରେ ଆର୍ଥିକ ପରିବର୍ତ୍ତନ ଆଣିଛି।
Article Image
ଗଁନ୍ଦିଆ ବ୍ଲକର ଷଡ଼ଙ୍ଗୀ ଗ୍ରାମ ପଞ୍ଚାୟତ ଏବଂ ସଦର ବ୍ଲକର ହରେକୃଷ୍ଣ ଗ୍ରାମ ପଞ୍ଚାୟତରେ କାର୍ଯ୍ୟକାରୀ ହୋଇଥିବା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ଥିଲା ନିଷ୍କ୍ରିୟ ହୋଇପଡ଼ିଥିବା ଦୁଇଟି ଦୁଗ୍ଧ ସମବାୟ ସମିତିକୁ ପୁନର୍ଜୀବିତ କରିବା, ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା (MKY)ର ସଫଳ କାର୍ଯ୍ୟକାରିତା ଏକ ପ୍ରମୁଖ ଭୂମିକା ନେଇଛି। ପ୍ରାୟ ୨.୩୦ ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ଦୁଗ୍ଧାଳୁ ଗାଈ ସହ ଏକ ଡେରି ୟୁନିଟ୍ ସ୍ଥାପନ ପାଇଁ ସାଧାରଣ ବର୍ଗର ହିତାଧିକାରୀଙ୍କୁ ୫୦ ପ୍ରତିଶତ ଏବଂ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ମହିଳା ଓ ଦିବ୍ୟାଙ୍ଗଙ୍କୁ ୬୦ ପ୍ରତିଶତ ସବସିଡି ପ୍ରଦାନ କରାଯାଉଛି। ପ୍ରାଣୀ ସମ୍ପଦ ବିଭାଗ, ଓଡ଼ିଶା ଜୀବିକା ମିଶନ (OLM), ଓମଫେଡ୍ ଏବଂ ବିଭିନ୍ନ ଆର୍ଥିକ ଅନୁଷ୍ଠାନର ସମନ୍ୱୟରେ କାର୍ଯ୍ୟକ୍ରମକୁ ସଫଳ ଭାବେ ଆଗେଇ ନିଆଯାଇଛି। ପଶୁପାଳନ, ରୋଗ ନିୟନ୍ତ୍ରଣ, ପଶୁ ବୀମା, ଗୋଖାଦ୍ୟ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ସହିତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ CIF, RF, PMFME ଭଳି ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ଏବଂ ବ୍ୟାଙ୍କ ଋଣ ସଂଯୋଗ ଯୋଗାଇ ଦିଆଯାଇଛି। ଓମଫେଡ୍, ଦୁଗ୍ଧ ସଂଗ୍ରହ କେନ୍ଦ୍ର ଓ ସ୍ଥାନୀୟ ବଜାର ସହ ସଂଯୋଗ ଯୋଗୁଁ ଉତ୍ପାଦିତ ଦୁଗ୍ଧର ବିକ୍ରି ମଧ୍ୟ ସୁନିଶ୍ଚିତ ହୋଇଛି। ଏହି ପ୍ରୟାସର ଫଳାଫଳ ଅତ୍ୟନ୍ତ ଉତ୍ସାହଜନକ। ମୋଟ ୩୫୦ଟି ପରିବାର ଏହା ଦ୍ୱାରା ଉପକୃତ ହୋଇଥିବାବେଳେ ୩୪୦ ଜଣ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ସକ୍ରିୟ ଭାବେ ଯୋଗଦେଇଛନ୍ତି। ଦୁଗ୍ଧ ସମବାୟ ସମିତିର ସକ୍ରିୟ ସଦସ୍ୟ ସଂଖ୍ୟା ୩୨ରୁ ବୃଦ୍ଧି ପାଇ ୮୧ରେ ପହଞ୍ଚିଛି। ପ୍ରତିଦିନ ଦୁଗ୍ଧ ସଂଗ୍ରହ ପରିମାଣ ୧୧୦ ଲିଟରରୁ ବଢ଼ି ୧,୬୨୦ ଲିଟରରେ ପହଞ୍ଚିଛି। ସ୍ୱୟଂ ସହାୟକ ଗୋଷ୍ଠୀର ସକ୍ରିୟ ସଦସ୍ୟ ସଂଖ୍ୟା ୧୨ରୁ ବୃଦ୍ଧି ପାଇ ୭୨ ହୋଇଥିବାବେଳେ ପ୍ରତ୍ୟେକ ପରିବାରର ଅତିରିକ୍ତ ମାସିକ ଆୟ ପ୍ରାୟ ୪ ହଜାର ଟଙ୍କାରୁ ବୃଦ୍ଧି ପାଇ ୧୮ ହଜାର ଟଙ୍କାରେ ପହଞ୍ଚିଛି। ୨+୨ ଗାଈ ପାଳନ ମଡେଲ୍ ଅନୁସାରେ ଜଣେ ଚାଷୀ ପ୍ରତିମାସ ପ୍ରାୟ ୩୦ ହଜାର ଟଙ୍କାର ଦୁଗ୍ଧ ବିକ୍ରି କରୁଥିବାବେଳେ ପ୍ରାୟ ୧୨ ହଜାର ଟଙ୍କା ଖର୍ଚ୍ଚ ପରେ ୧୮ ହଜାର ଟଙ୍କା ନିଟ୍ ଲାଭ ହାସଲ କରୁଛନ୍ତି। ବର୍ତ୍ତମାନ ଏହି କାର୍ଯ୍ୟକ୍ରମ ଅଧୀନରେ ଦୁଇଟି ଦୁଗ୍ଧ ସମବାୟ ସମିତି ସଫଳତାର ସହ କାର୍ଯ୍ୟ କରୁଛି। PMFME ଯୋଜନା ଅଧୀନରେ ପାଞ୍ଚ ଜଣ ସଦସ୍ୟ ଛେନା, ପନିର, ବିଭିନ୍ନ ମିଠା, ମଗଜି ଲଡୁ, ଖୁଆ ଭଳି ମୂଲ୍ୟଯୁକ୍ତ ଦୁଗ୍ଧଜାତ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି। ଉତ୍ପାଦିତ ଦୁଗ୍ଧର ପ୍ରାୟ ୬୦ ପ୍ରତିଶତ ସମବାୟ ସମିତି ମାଧ୍ୟମରେ ବିକ୍ରି ହେଉଥିବାବେଳେ ଅବଶିଷ୍ଟ ୪୦ ପ୍ରତିଶତ ଦୁଗ୍ଧକୁ ମୂଲ୍ୟଯୁକ୍ତ ଉତ୍ପାଦରେ ପରିଣତ କରାଯାଉଛି। ଏଥିପାଇଁ ପ୍ରତ୍ୟେକ ସଦସ୍ୟଙ୍କୁ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ୪୦ ହଜାର ଟଙ୍କାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି। 'ମିଲ୍କ ଭିଲେଜ୍' କାର୍ଯ୍ୟକ୍ରମ କେବଳ ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ସୀମିତ ନ ରହି ଗ୍ରାମୀଣ ପରିବାରର ଆୟ ବୃଦ୍ଧି, ମହିଳାଙ୍କ ସଶକ୍ତିକରଣ, ବଜାର ସଂଯୋଗ ଏବଂ ସ୍ଥାୟୀ ଜୀବିକା ସୃଷ୍ଟିର ଏକ ସଫଳ ମଡେଲ୍ ଭାବେ ଉଭା ହୋଇଛି। ଏହି ସଫଳତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଢେଙ୍କାନାଳର ଅନ୍ୟାନ୍ୟ ବ୍ଲକରେ ମଧ୍ୟ ଏହି ମଡେଲ୍‌ର ସମ୍ପ୍ରସାରଣ ପାଇଁ ଯୋଜନା କରିଛି।
4